ଭୁବନେଶ୍ୱର: ରାଜନୀତିରେ ଛନ୍ଦି ହୋଇପଡ଼ିଛି ଭିଏସ୍ଏସ୍ ନଗର ୟୁସିଏଚ୍ସି। ବର୍ଷେ ତଳୁ ନିର୍ମାଣ ସରିଥିଲେ ହେଁ ଏହି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏ ପର୍ଯ୍ୟନ୍ତ ଉଦ୍ଘାଟନ ହୋଇପାରୁନି। ସ୍ୱାୟତ୍ତ ଶାସନ ଦିବସରେ ଉଦ୍ଘାଟନ କରି ବାହାବା ନେବାକୁ ସମସ୍ତେ ଅପେକ୍ଷା କରିଛନ୍ତି। ଭିଏସ୍ଏସ୍ ନଗରରେ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା ଦାବି ବହୁତ ପୁରୁଣା। ଏଠାରେ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା ପାଇଁ ୨୦ ବର୍ଷ ତଳୁ ଘୋଷଣା ହୋଇଥିଲା। ୨୦୧୫ ଜାନୁଆରିରେ ମେୟର ଅନନ୍ତ ନାରାୟଣ ଜେନା ଓ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଭିଏସ୍ଏସ୍ ନଗର ଡାକ୍ତରଖାନାର ଶୁଭ ଦେଇଥିଲେ। ପରେ ପରେ ପାଚେରି କାମ ମଧ୍ୟ ସରିଥିଲା। ମାତ୍ର ୨୦୧୬ ଜାନୁଆରି ୧୯ ତାରିଖରେ ଡ୍ରେନେଜ୍ ପାଇଁ ଜାଇକା ଏହାର ପାଚେରିକୁ ଭାଙ୍ଗି ଦେଇଥିଲା। ଏହି ଘଟଣାକୁ ୨ ବର୍ଷ ବିତିଲାଣି, ହେଲେ ଆଜି ପର୍ଯ୍ୟନ୍ତ ପାଚେରି ନିର୍ମାଣ ହୋଇପାରିନି। ସେହିପରି ବର୍ଷେ ତଳୁ ନିର୍ମାଣ ସରିଥିଲେ ହେଁ କୌଣସି ଡାକ୍ତର କିମ୍ବା ପାରାମେଡିକଙ୍କୁ ଏ ପର୍ଯ୍ୟନ୍ତ ନିଯୁକ୍ତି ଦିଆଯାଇ ନାହିଁ। ଭିଏସ୍ଏସ୍ ନଗର ପାଇଁ ନିକଟରେ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରଟିଏ ନାହିଁ। କ୍ୟାପିଟାଲ ହସ୍ପିଟାଲ ୬ କି.ମି ଦୂର ହୋଇଥିବାରୁ ଲୋକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଏକ ସରକାରୀ ଡାକ୍ତରଖାନା ଥିଲେ ହେଁ ସେଠାରେ ବିଶ୍ୱବିଦ୍ୟାଳୟର କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ବାଦ୍ ବାହାର ଲୋକଙ୍କୁ ଅନୁମତି ଦିଆଯାଉ ନାହିଁ। ଭିଏସ୍ଏସ୍ ନଗର ଉନ୍ନୟନ ପରିଷଦର ସାଧାରଣ ସଂପାଦକ ଦିଲ୍ଲୀପ ଦାଶଶର୍ମାଙ୍କ କହିବାନୁଯାୟୀ, ଡାକ୍ତଖାନାର ପାଚେରି ଭଙ୍ଗା ବାବଦରେ ଜାଇକା ଅର୍ଥ ଦେଇନାହିଁ। ତେଣୁ ପାଚେରି ତିଆରି ହୋଇ ପାରି ନାହିଁ। ସ୍ଥାନୀୟ କର୍ପୋରେଟର ରଶ୍ମିତା ଜେନା କହିଛନ୍ତି, ନିକଟରେ ବିଏମ୍ସି ଏହାକୁ ଜାତୀୟ ସ୍ୱାସ୍ଥ୍ୟ ମିସନକୁ ହସ୍ତାନ୍ତର କରିଛି। ଶୀଘ୍ର ଏଠାରେ ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବା। ସ୍ୱାୟତ୍ତ ଶାସନ ଦିବସରେ ଏହାକୁ ଉଦ୍ଘାଟନ କରାଯିବାକୁ ଯୋଜନା ରହିଛି ବୋଲି ସେ କହିଛନ୍ତି।
ନିର୍ମାଣ ସରିଲାଣି, ଉଦ୍ଘାଟନ ହେଉନି
ଭିଏସ୍ଏସ୍ ନଗର ୟୁସିଏଚ୍ସି
/sambad/media/post_attachments/wp-content/uploads/2018/08/m12.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)