ଛିଡ଼ୁନି ଭିଏସ୍‌ଏସ୍‌ନଗର ହାଟ ଅଡ଼ୁଆ, ରାସ୍ତାରେ ପରିବା ଢାଳିଦେଲେ

ଚନ୍ଦ୍ରଶେଖରପୁର: ଭିଏସ୍‌ଏସ୍‌ନଗର ପରିବା ହାଟ ଅଡ଼ୁଆ ଛିଡ଼ିବା ନାଁ ଧରୁନାହିଁ। ପରିବା ବେପାରୀ ଓ ବିଏମ୍‌ସି କର୍ତ୍ତୃପକ୍ଷ ନିଜ ନିଜ ଜିଦ୍‌ରେ ଅଟଳ ରହିବା ଯୋଗୁଁ ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଆଜି ପରିବା ବେପାରୀମାନେ ରାସ୍ତାରେ ପରିବା ଢାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ବିଏମ୍‌ସି କର୍ତ୍ତୃପକ୍ଷ ହାଟ ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ପାଇଁ ଡାକିବା ପରେ ବେପାରୀମାନେ ଧାରଣାରୁ ଉଠିଥିଲେ।

ସୂଚନାଯୋଗ୍ୟ ଏହି ହାଟରେ କୋଭିଡ୍ ମାର୍ଗଦର୍ଶିକାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିଲା। ଅସମ୍ଭାଳ ଭିଡ଼ କାରଣରୁ ଗତ ୨ ତାରିଖରେ ବିଏମ୍‌ସି ପକ୍ଷରୁ ଏହି ହାଟକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସିଲ୍ କରାଯାଇଥିଲା। କିନ୍ତୁ ବ୍ୟବସାୟୀମାନେ ବିଏମ୍‌ସି ନିର୍ଦ୍ଦେଶକୁ ନମାନି ପୁଣି ହାଟ ଖୋଲିଦେଇଥିଲେ। ଖବର ପାଇ ଡେପୁଟି କମିସନର ହାଟ ବ୍ୟବସାୟୀ ସଂଘକୁ ତାଗିଦ୍ କରିବା ସହ ପୁଣି ପରିବା ହାଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ବିରୋଧ କରି ଆଜି ସକାଳେ ଶତାଧିକ ବେପାରୀ ରାସ୍ତାରେ ପରିବା ଢାଳି ଆନ୍ଦୋଳନ କରିଥିଲେ। ପରିବା ବେପାରୀମାନଙ୍କ କହିବା କଥା ୨୦ ଫୁଟ୍ ଦୂରରେ ଜଣେ ଲେଖାଏଁ ବ୍ୟବସାୟୀ ବସିବାକୁ ବିଏମ୍‌ସି ଅନୁମତି ଦେଉଛି। ଏମିତି ହେଲେ ହାଟ ଭିଏସ୍‌ଏସ୍‌ନଗରରୁ ଜାତୀୟ ରାଜପଥ ପର୍ଯ୍ୟନ୍ତ ଲମ୍ବା ହୋଇଯିବ। ଫଳରେ ଉଭୟ ପରିବା ବେପାରୀ ଓ ଗ୍ରାହକମାନେ ସମସ୍ୟାରେ ପଡ଼ିବେ। ଚାଷୀ ନେତା ଅଶୋକ ପାଲଟାସିଂହଙ୍କ ଅଭିଯୋଗ ଅନୁସାରେ ପୂର୍ବରୁ ୧୦ ଫୁଟ୍ ଦୂରରେ ଜଣେ ଜଣେ ବେପାରୀ ବସିବା ପାଇଁ ଜାଗା ଚିହ୍ନଟ ହୋଇଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ଗ୍ରାହକମାନଙ୍କୁ ଗୋଲେଇରେ ଠିଆ ହେବାକୁ ବ୍ୟବସ୍ଥା କରାଯାଇଥିଲା। ସମସ୍ତେ ନିୟମ ମାନୁଥିଲେ। କିନ୍ତୁ ବର୍ତ୍ତମାନ ୨୦ ଫୁଟ୍ ଦୂରତା ରଖିବାକୁ କୁହାଯାଉଛି। ଏମିତି ନିୟମ କରିବା ସହ ହାଟ ବନ୍ଦ କରାଯାଉଥିବାରୁ ବହୁ ବେପାରୀ ଓ ଚାଷୀ ଦହଗଞ୍ଜ ହେଉଛନ୍ତି। ତେଣୁ ପୂର୍ବ ଭଳି ୧୦ ଫୁଟ୍‌ ଦୂରତା‌ରେ ବେପାରୀଙ୍କୁ ବସିବାକୁ ଦିଆଯାଉ ଓ ହାଟ ଖୋଲା ଯାଉ ବୋଲି ଭିଏସ୍‌ଏସ୍‌ ନଗର ହାଟ ମହାସଂଘର ସଭାପତି ଲକ୍ଷ୍ମଣ ସାହୁ ଓ ସମ୍ପାଦକ ମନୋରଞ୍ଜନ ସାହୁ କହିଛନ୍ତି।

ଏ ସମ୍ପର୍କରେ ବିଏମସି ଉତ୍ତର-ଜୋନ୍ ଡେପୁଟି କମିସନର ପୁରନ୍ଦର ନନ୍ଦ କହିଛନ୍ତି ଯେ ବ୍ୟବସାୟୀଙ୍କ ସମସ୍ୟାକୁ ନଜରରେ ରଖି ହାଟ ସଂଘ ସହ ଆଲୋଚନା କରାଯିବ ଓ ହାଟ ଖୋଲିବାକୁ ଅନୁମତି ଦିଆଯିବ। କିନ୍ତୁ ବ୍ୟବସାୟୀମାନେ କୋଭିଡ୍‌ ନିୟମ ନମାନିଲେ, ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର