ଭିଏସ୍‌ଏସ୍‌ ନଗର ଦୁର୍ଗାପୂଜା, ସନ୍ଧି ପୂଜାରେ କଲୋନିରେ ଜଳିବ ଦୀପ

ଭୁବନେଶ୍ବର: ଗତ ସୁନିଆ ତିଥିରୁ କୁଆଖାଇ ନଦୀରୁ ମାଟି ଅନୁକୂଳ ସହ ଭିଏସ୍‌ଏସ୍‌ ନଗରରେ ମା’ଙ୍କ ପ୍ରତିମୂର୍ତି ନିର୍ମାଣ କରାଯାଉଛି। ପୂଜା ୪୨ବର୍ଷରେ ପଦାର୍ପଣ କରିଛି। ତେବେ ଚଳିତ ବର୍ଷ ଦାନ ସଂଗ୍ରହ କରାଯିବ ନାହିଁ। ସଦସ୍ୟମାନଙ୍କ ସହଯୋଗରେ ପୂଜା ଆୟୋଜନ ହେବ। ଭିଏସ୍‌ଏସ୍‌ ନଗରର ଦଶହରା କଲୋନି ପୂଜା ହୋଇଥିବାରୁ ଏଠାରେ ପ୍ରତିବର୍ଷ ବହୁସଂଖ୍ୟକ ଭୋଗ ଡାଲା ଆସେ ଓ ଗାଡ଼ି ପୂଜା କରାଯାଏ। ମାତ୍ର ଚଳିତ ବର୍ଷ କରୋନା କଟକଣା ପାଇଁ ପୂଜା ମଣ୍ଡପକୁ ଭକ୍ତଙ୍କ ଆଗମନରେ ରୋକ୍‌ ଲଗାଯାଇଥିବାରୁ ଶ୍ରଦ୍ଧାଳୁମାନେ ଏଥିରୁ ବଞ୍ଚିତ ହେବେ। ପୂଜା କମିଟିର ସଭାପତି ଆର୍ତତ୍ରାଣ ଦଳାଇ କହିଛନ୍ତି, ଅଷ୍ଟମୀରେ ଖେଚୁଡ଼ି-ଡାଲମା, ଦଶମୀରେ ଦହି ପଖାଳ-ଶାଗ ଭଜା, ମା’ଙ୍କ ପାଖରେ ଭୋଗ ହେବ। ମାତ୍ର ଏହା ଭକ୍ତଙ୍କ ନିମନ୍ତେ ଉପଲବ୍ଧ ହେବ ନାହିଁ। ନବମୀରେ ହେଉଥିବା ଭଜନ, ଜରି ମେଢ଼, ତୋରଣ ଓ ଭସାଣି ଯାତ୍ରା ମଧ୍ୟ ଅନୁଷ୍ଠିତ ହେବ ନାହିଁ। ତେବେ ୨୪ ତାରିଖ ସକାଳ ସାଢ଼େ ୫ଟାରେ ସନ୍ଧି ପୂଜା ସମୟରେ ମା’ଙ୍କ ପାଇଁ ଦୀପଟିଏ ଜାଳିବାକୁ ପୂଜା କମିଟି ପକ୍ଷରୁ କଲୋନିବାସୀଙ୍କୁ ଅନୁରୋଧ କରାଯାଇଛି।

କଟକଣା ମାନି ପୂଜା
ଚଳିତ ବର୍ଷ କରୋନା ମହାମାରୀକୁ ସାମ୍ନା କରିଥିବାରୁ ମା’ଙ୍କ ପୂଜା ଆଡ଼ମ୍ବରରେ ଫିକା ପଡ଼ିବାକୁ ଯାଉଛି। ତେବେ ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଏଥର କଟକଣାରେ କେବଳ ବିଧି ରକ୍ଷା ପାଇଁ ପୂଜା କରିବୁ। ତେଣୁ କଲୋନିବାସୀ ଏଥିରେ ସହଯୋଗ କରିବେ ବୋଲି ଆମର ବିଶ୍ବାସ।
ଶୀତଳ ଚନ୍ଦ୍ର ମହାନ୍ତି (ସାଧାରଣ ସମ୍ପାଦକ)

ପୂଜା ମଣ୍ଡପକୁ ଆସନ୍ତୁ ନାହିଁ
ଭୁବନେଶ୍ବରବାସୀ ଅଧିକ ସଂଖ୍ୟାରେ କରୋନା ଆକ୍ରାନ୍ତ ହୋଇଛନ୍ତି। ତେଣୁ ଚଳିତ ବର୍ଷ ଭିଏସ୍‌ଏସ୍‌ ନଗର କଲୋନିବାସୀ ନିଜ ସୁରକ୍ଷାକୁ ଦୃଷ୍ଟିରେ ରଖି ମଣ୍ଡପକୁ ନଆସିବାକୁ ଆସିବାକୁ ନିବେଦନ। ଆସନ୍ତା ୨୪ ତାରିଖରେ ସକାଳ ସାଢ଼େ ୫ଟାରେ ସନ୍ଧିପୂଜାରେ ମା’ଙ୍କ ପାଇଁ ଦୀପଟିଏ ଜାଳିବାକୁ ଅନୁରୋଧ।
ଦିଲ୍ଲୀପ ଦାଶଶର୍ମା (ବରିଷ୍ଠ ସଦସ୍ୟ)

ସମ୍ବନ୍ଧିତ ଖବର