ଭୁବନେଶ୍ୱର: ଭିଏସ୍‌ଏସ୍‌ ନଗରରୁ ସହିଦନଗରକୁ ଯୋଗାଯୋଗ ପାଇଁ ବହୁ ଦାବି ପରେ ୨୦୧୪ ମସିହାରେ ବାଣୀବିହାର ଓଭରବ୍ରିଜ୍‌ ତଳ ଭୂତଳ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା। ୪ ବର୍ଷ ବିତିଗଲା ନା ରାସ୍ତା କାର୍ଯ୍ୟ ସରିଲା ନା ଅଞ୍ଚଳବାସୀଙ୍କ ଦୁଃଖ ଗଲା। ଏହି ରାସ୍ତା ଉପରେ ଭିଏସ୍‌ଏସ୍‌ ନଗର, ଚକେଇସିଆଣି ସମତେ ୧୦ଟି ମୌଜାର ଲୋକ ନିର୍ଭରଶୀଳ ଥିବା ବେଳେ ଏହାର ଶୋଚନୀୟ ଅବସ୍ଥା ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି। ଏହି ଭୂତଳ ରାସ୍ତା ଦେଇ ଏକ ପାଣି ପାଇପ ଲାଇନ୍‌ ବିଛା ହୋଇଥିଲା। ଏହି ପାଇପ ଲାଇନ୍‌ ନ ଉଠିଲେ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ଭବ ନୁହେଁ। ତେଣୁ ଏହି ପାଇପ ଲାଇନ୍‌ ଉଠାଇବା ପାଇଁ ୨୦୧୪ ମସିହାରେ ୧ କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା। ଠିକ୍‌ ସମୟରେ କାମ ନ ହେବାରୁ ଖର୍ଚ୍ଚ ଆକଳନ ବଢ଼ି ସାଢ଼େ ୪ କୋଟିରେ ପହଞ୍ଚିଥିଲେ ମଧ୍ୟ ଏନେଇ କାହାର ଆନ୍ତରିକତା ନାହିଁ। ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ ପାଇପ୍‌ ଲାଇନ୍‌ ଉଠିଲେ ରାସ୍ତା ୭ ମିଟର ପ୍ରଶସ୍ତ ହେବ। କିନ୍ତୁ ଏହି ପାଇପ୍‌ ଲାଇନ୍‌ ଉଠିବାରେ ବିଳମ୍ବ ଓ ବହୁ ସମସ୍ୟା ହେଉଥିବାରୁ ସେହି ସ୍ଥାନକୁ ଛାଡ଼ି ବାକି ରାସ୍ତାରେ ଚାରିଚକିଆ ଯାନ ଯିବା ଭଳି ଜାଗା ଥିବାରୁ ସେଥିପାଇଁ ଅସ୍ଥାୟୀ ବ୍ୟବସ୍ଥା କରିବା ପାଇଁ ଅଞ୍ଚଳବାସୀ ବାରମ୍ବାର ଦାବି କରୁଛନ୍ତି। ପୁଣି ରାସ୍ତାଟି ସମ୍ପୂର୍ଣ୍ଣ ଖାଲୁଆ ସ୍ଥାନରେ ରହିଥିବାରୁ ବିନା ବର୍ଷାରେ ବି ସବୁଆଡ଼ୁ ଆଣି ଆସି ଏହି ଭୂତଳ ରାସ୍ତାରେ ଜମି ରହୁଛି। ସଂଧ୍ୟାରେ ଏହା ଅସାମାଜିକ ଲୋକଙ୍କ ଆଡ଼ା ପାଲଟି ଯାଉଛି। ଏ ରାସ୍ତା କାହା କାମରେ ଲାଗୁନି କି ବୋଲି ଅଭିଯୋଗ ହୋଇଛି।

Advertisment

ସୋମବାର ଜାତୀୟ ରାଜପଥ ଅବରୋଧ କରିବ ‘ଭୂତଳ ରାସ୍ତା ସଂଗ୍ରାମ ସମିତି’
ଭୂତଳ ରାସ୍ତା ସମସ୍ୟା ନେଇ ଅଞ୍ଚଳବାସୀଙ୍କ ବହୁ ଅଭିଯୋଗ ସତ୍ତ୍ୱେ କିଛି ସୁଫଳ ମିଳିନାହିଁ। ଏଣୁ ଭିଏସ୍‌ଏସ୍‌ନଗର, ଚକେଇସିଆଣି, ମଞ୍ଚେଶ୍ୱର, ଭୋଟପଡ଼ା, ଆଶୁତାଷ ନଗର, ସମେଇଗାଡ଼ିଆ, ରଙ୍ଗମାଟିଆ, ସତ୍ୟ ବିହାର ସମେତ ୧୦ରୁ ଊର୍ଧ୍ୱ ମଉଜା ଲୋକଙ୍କୁ ନେଇ ଗଠିତ ‘ଭୂତଳ ରାସ୍ତା ସଂଗ୍ରାମ ସମିତି’ ପକ୍ଷରୁ ୧୫ ଦିନ ତଳେ ଜାତୀୟ ରାଜପଥର ମୁଖ୍ୟ ଅଧିକାରୀ ଧର୍ମାନନ୍ଦ ଷଡ଼ଙ୍ଗୀଙ୍କୁ ଦେଖା କରି ଅଞ୍ଚଳର ଅସୁବିଧା ସମ୍ପର୍କରେ ଅବଗତ କରାଇଥିଲେ। କିନ୍ତୁ ୧୫ ଦିନ ବିତିଗଲା କୌଣସି ପଦକ୍ଷେପ ନ ନେବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏନେଇ ଆସନ୍ତା ୨ ଦିନ ମଧ୍ୟରେ କିଛି ପଦକ୍ଷେପ ନିଆ ନଗଲେ ସମିତି ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରାଯିବ ବୋଲି ସମିତିର ଆବାହକ ଦିଲ୍ଲୀପ ଦାଶଶର୍ମା ଆଜି ମୁଖାର୍ଜୀ ପାର୍କଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ସମିତିର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ସାହୁ, ସୁବାସ ସାମଲ, ମହେଶ୍ୱର ବିଶ୍ୱାଳ ଓ ସୂର୍ଯ୍ୟମଣି ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମସ୍ୟା ପରଖିଲେ କେନ୍ଦ୍ର ମନ୍ତ୍ରୀ
‘ଭୂତଳ ରାସ୍ତା ସଂଗ୍ରାମ ସମିତି’ ପକ୍ଷରୁ ୧୫ ଦିନ ତଳେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ସାକ୍ଷାତ କରାଯାଇଥିଲା। ଶୁକ୍ରବାର ଶ୍ରୀ ପ୍ରଧାନ ଭୂତଳ ରାସ୍ତା ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବା ସହ ଆସନ୍ତା ୨/୩ ଦିନ ଭିତରେ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଜାତୀୟ ରାଜପଥର ମୁଖ୍ୟ ଅଧିକାରୀ ଧର୍ମାନନ୍ଦ ଷଡ଼ଙ୍ଗୀଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ପୁଣି ଅଞ୍ଚଳବାସୀଙ୍କ ସୁବିଧା ପାଇଁ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବାକୁ ମଧ୍ୟ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ତାଗିଦ୍‌ କରିଛନ୍ତି।