ଭୁବନେଶ୍ୱର: ଦୁର୍ଗାପୂଜା ତୋରଣ ଓ ଭୋଗ ପାଇଁ ଚର୍ଚ୍ଚାରେ ରହୁଥିବା ଭିଏସ୍‌ଏସ୍‌ନଗର ଦୁର୍ଗାପୂଜା ସମିତି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତ ବର୍ଷ ଢୋଲ ଶୈଳୀରେ ପ୍ରସ୍ତୁତ ମେଢ଼ରେ ପୂଜା ପାଇବେ ମା’। ଗତ ସୁନିଆଁ ତିଥିରୁ କୁଆଖାଇ ନଦୀରୁ ମାଟି ଅନୁକୂଳ ହେବା ସହିତ ମା’ଙ୍କ ପ୍ରତିମା ନିର୍ମାଣ ଚାଲିଛି। ତୋରଣର ଉଚ୍ଚତା ୪୫ ଫୁଟ ରହିଥିବା ବେଳେ ଦୈର୍ଘ୍ୟ ରହିଛି ୫୦ ଫୁଟ। ସେହିପରି ଚଳିତ ବର୍ଷ ମୂର୍ତ୍ତିର ଉଚ୍ଚତା ୧୮ ଫୁଟ ରହିଛି। ମା’ଙ୍କ ସମେତ ପାର୍ଶ୍ୱ ଦେବଦେବୀ ମଧ୍ୟ ରୁପା ମୁକୁଟ ପିନ୍ଧିବେ। ମା’ଙ୍କ ମୁଖ ମଣ୍ଡଳ ଗଙ୍ଗା ମାଟିରେ ପ୍ରସ୍ତୁତ ହେବ। ଭିଏସ୍ଏସ୍‌ନଗରର କଲୋନି ଭିତରେ ଦଶହରା ପୂଜା ହେଉଥିବାରୁ ଏଠାରେ ପ୍ରତିବର୍ଷ ଅଧିକ ସଂଖ୍ୟକ ଭୋଗ ଡାଲା ଆସେ ଓ ଅଧିକ ଗାଡ଼ି ପୂଜା ହୁଏ। ସେହିପରି ଅଷ୍ଟମୀରେ ଖେଚୁଡ଼ି, ଡାଲମା ଓ ଦଶମୀରେ ଦହି ପଖାଳ ଓ ଶାଗ ଭଜା ଭୋଗ ହୁଏ। 

Advertisment

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନବମୀରେ ଭଜନ ହେବ ଓ  ଶ୍ରୀଚରଣ ମହାନ୍ତି ସଙ୍ଗୀତ ଗାନ କରିବେ। ଭିଏସ୍‌ଏସ୍‌ନଗରର ଉଭୟ ପାର୍ଶ୍ୱରେ ଲାଇଟ୍‌ ଗେଟ୍‌ ତିଆରି ହେବ। ସେହିଭଳି ଫୁଲପୋଖରୀ ଗାଁରୁ ଜରି ମେଢ଼ ଆସିବା ସହିତ ପାରମ୍ପରିକ ବାଜାରେ ମା’ ମେଲାଣି ନେବେ। ଚଳିତ ବର୍ଷ ଭିଏସ୍ଏସ୍‌ନଗରରେ ରେଳ ଓଭରବ୍ରଜ ନିର୍ମାଣ ହେଉଥିବାରୁ ଦଶହରାରେ ଦର୍ଶନ ପାଇଁ ବାଧକ ହେବାର କିଛି ଭକ୍ତ ଆଶଙ୍କା କରୁଥିବେ, ମାତ୍ର ପୂଜା ପୂର୍ବରୁ ସମସ୍ତ ରାସ୍ତା ନିର୍ମାଣ ହୋଇଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଛି। ତେଣୁ ଭକ୍ତମାନେ ଭଲରେ ଦର୍ଶନ କରି ପାରିବେ ବୋଲି ସମିତିର ବରିଷ୍ଠ ସଦସ୍ୟ ଦିଲ୍ଲୀପ ଦାଶଶର୍ମା କହିଛନ୍ତି।

ପ୍ରଶାସନର ନିୟମ ଭିତରେ ହେବ ପୂଜା
୪୫ ବର୍ଷ ଧରି ଭିଏସ୍ଏସ୍‌ନଗରରେ ମା’ଦୁର୍ଗାଙ୍କ ପୂଜା ଶାନ୍ତି, ଶୃଙ୍ଖଳାର ଓ ଭାଇଚାରା ବଜାୟ ରଖି ହୋଇଆସୁଛି। ଚଳିତ ବର୍ଷ ମଧ୍ୟ ସେହିଭଳି ଶାନ୍ତି ଶୃଙ୍ଖଳା ସହିତ ପୁଲିସ ପ୍ରଶାସନର ନିୟମ ଭିତରେ ହେବ। ମା’ ଦୁର୍ଗାଙ୍କ କରୁଣା ଓ ଆଶୀର୍ବାଦ ଲାଭକରିବା ପାଇଁ ଭିଏସ୍ଏସ୍‌ନଗର କଲୋନିବାସୀ ସବୁବେଳେ ସହଯୋଗର ହାତ ବଢ଼ାଉଛନ୍ତି। 
-ନିମାଇଁ ଚରଣ ଦାସ, ଉପସଭାପତି

ଉଚ୍ଚକୋଟୀର ଆଲୋକ ସଜ୍ଜା ଓ ତୋରଣ
ଅଞ୍ଚଳର ବରିଷ୍ଠମାନଙ୍କ ଠାରୁ ଆରମ୍ଭ କରି କନିଷ୍ଠମାନେ ସମସ୍ତେ ଅତି ନିଷ୍ଠାର ସହିତ ମା’ଙ୍କ ପୂଜା କରନ୍ତି। କଲୋନିରେ ଦାନ ସଂଗ୍ରହ ପାଇଁ ବେଶୀ କଷ୍ଟ ହୁଏ ନାହିଁ। ଚଳିତ ବର୍ଷ ଆଲୋକ ସଜ୍ଜା ଓ ତୋରଣ ଅତି ଉଚ୍ଚକୋଟୀର ହେବ। 
-ସଞ୍ଜୟ କୁମାର ସ୍ୱାଇଁ, ଯୁଗ୍ମସମ୍ପାଦକ