ଚନ୍ଦ୍ରଶେଖରପୁର: ୧୬ ନମ୍ବର ଜାତୀୟ ରାଜପଥ ସତ୍‌ସଙ୍ଗବିହାର ଛକରୁ ଭିଏସ୍‌ଏସ୍‌ନଗର ଦେଇ ନନ୍ଦନକାନନ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ସ୍ଥାନୀୟ ଅଞ୍ଚଳର ଜୀବନରେଖା ସଦୃଶ ଏହି ମୁଖ୍ୟ ରାସ୍ତାରେ ବଡ଼ବଡ଼ ଖାଲଖମା ଥିବାରୁ ସଡ଼କ ଦୁର୍ଘଟଣା ଏକ ନିତିଦିନିଆ ଘଟଣା ହୋଇରହିଛି। ମାତ୍ର ୪ କିଲୋମିଟର ଦୈର୍ଘ୍ୟର ଏହି ରାସ୍ତାରେ ଥିବା ଶହେରୁ ଅଧିକ ଗର୍ତ୍ତ ଯାନବାହାନ ଚଳାଚଳ କରିବାରେ ଘୋର ଅନ୍ତରାୟ ସୃଷ୍ଟି କରୁଛନ୍ତି। ମରାମତି ପାଇଁ ବାରମ୍ବାର ଦାବି ହେଉଥିଲେ ବି ବିଭାଗୀୟ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି।

Advertisment

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଏହି ୪ ରାସ୍ତାରେ ଭିଏସ୍‌ଏସ୍‌ନଗର, ମଞ୍ଚେଶ୍ବର, ଗାଡ଼କଣ, ରଙ୍ଗମାଟିଆ, ଚକେଇସିହାଣି, ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଆଦି ଅଞ୍ଚଳର ହଜାର ହଜାର ଲୋକେ ଯାତାୟାତ କରନ୍ତି। ବାଇକ୍‌ ଠାରୁ ଭାରୀଯାନ ପର୍ଯ୍ୟନ୍ତ ଗାଡ଼ି ଏହି ରାସ୍ତାରେ ଯାତାୟାତ କରୁଛି। ଶିଳ୍ପାଞ୍ଚଳକୁ ଯାଉଥିବା ଅଧିକାଂଶ ଭାରୀଯାନ ଯାତାୟାତ କରିବା ଦ୍ବାରା ଓ ଦୀର୍ଘ ବର୍ଷ ହେଲା ମରାମତି ହେଉନଥିବାରୁ ଏହି ରାସ୍ତାରୁ ପିଚୁ ଉଠିଗଲାଣି। ଫଳରେ ବଡ଼ବଡ଼ ଗର୍ତ୍ତଗୁଡ଼ିଏ ସୃଷ୍ଟି ହୋଇଛି। ଦିନର ଅଧିକାଂଶ ସମୟରେ ଏହି ରାସ୍ତା ଜାମ୍‌ ରହୁଥିବାରୁ ସ୍ବାଭାବିକ ଭାବେ ବହୁ ଗାଡ଼ିଚାଳକ ଭାରସାମ୍ୟ ହରାଇ ଖାଲରେ ପଡ଼ି ଯାଉଛନ୍ତି ଓ ସଡ଼କ ଦୁର୍ଘଟଣା ଘଟୁଛି। ସଂନ୍ଧ୍ୟା ବେଳେ ଏହି ରାସ୍ତାରେ ପ୍ରବଳ ଟ୍ରାଫିକ୍‌ ଜାମ୍‌ ହେଉଛି। ସ୍ଥାନୀୟ ଲୋକେ ବଜାର ହାଟ କରିବାକୁ ବାହାରୁଥିବା ବେଳେ ବ୍ୟବସାୟୀମାନେ ଚଳପ୍ରଚଳ ହେଉଛନ୍ତି। ତେଣୁ ଭିଡ଼ ପାଇଁ ଭିଏସ୍‌ଏସ୍‌ନଗର୍ ମାର୍କେଟ ରାସ୍ତା ରାତି‌ରେ ଅଧିକ ବିପଜ୍ଜନକ ହୋଇପଡ଼ୁଛି। ବିଶେଷକରି ହାଟ ପାଳି ଦିନ ଏଠାରେ ଅସମ୍ଭବ ଭିଡ଼ ହେଉଛି। ଲୋକମାନେ ରାସ୍ତାର ଅଧାରୁ ଅଧିକ ସ୍ଥାନ କବ୍‌ଜା କରି ଗାଡ଼ି ରଖି ବଜାର କରୁଛନ୍ତି। ଫଳରେ ଏମିତି ସମୟରେ ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଲମ୍ବା ସମୟ ଧରି ଫସି ରହୁଛି।

ଭିଏସ୍‌ଏସ୍‌ନଗର ମାର୍କେଟ ପାଖରୁ ଡମ୍ପିଂୟାର୍ଡ ରାସ୍ତା, ରେଲ୍‌ୱେବିହାର ମାର୍କେଟ ଠାରୁ ଡମଣା ଛକ ଆଡକୁ ଯାଇଥିବା ରାସ୍ତାର ଅବସ୍ଥା ଅଧିକ କଦର୍ଯ୍ୟ। ବଡ଼ କଥା ହେଉଛି ବହୁ ସ୍ଥାନରେ ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁନଥିବାରୁ ଅନ୍ଧାର ପାଇଁ ସବୁଦିନ ଏହି ଅଂଶରେ ଦୁର୍ଘଟଣା ଘଟୁଛି। ଲୋକଙ୍କ କହିବା କଥା ଗତ ୨ମାସ ଭିତରେ ୧୦ରୁ ଅଧିକ ଦୁର୍ଘଟଣା ଘଟିଛି। ସ୍ଥାନୀୟ ବାସିନ୍ଦା ହରିହର ସାହୁଙ୍କ କହିବା କଥା ଏହି ୪ କିମି ରାସ୍ତାରେ ଶହେରୁ ଅଧିକ ଖାଲ ରହିଛି। ବର୍ଷ ବର୍ଷ ଧରି ମରାମତି ହେଉନାହିଁ। ଆମେ ହାଡ଼େହାଡ଼େ ଟିକସ ଗଣୁଛୁ। ଅଥଚ ଆମ ପାଇଁ ମରଣଯନ୍ତା ରାସ୍ତା। ତୁରନ୍ତ ମରାମତି ନହେଲେ ଲୋକେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେ‌ବେ ବୋଲି ଶ୍ରୀ ସାହୁ କହିଛନ୍ତି।