କେନାଲକୁ ନଳା କରିଦେଲେ : ଦୟାୱେଷ୍ଟରେ ବହୁଛି ନର୍ଦ୍ଦମା ପାଣି

ପ୍ରାଚୀ ଡିଭିଜନ ଶୋଇଛି, ବିଏମ୍‌ସି ଆବର୍ଜନା ଛାଡ଼ୁଛି

ଭୁବନେଶ୍ୱର, (ବିଶ୍ୱଜିତ ଦାଶ ) : ବିଏମ୍‌ସି କାମ ହେଉଛି ନାଳ ନର୍ଦ୍ଦମା ପୁନରୁଦ୍ଧାର କରିବା। ରାଜଧାନୀର ଜଳାଶୟଗୁଡ଼ିକୁ ପୁନରୁଦ୍ଧାର କରି ପୂର୍ବାବସ୍ଥାକୁ ଫେରାଇ ଆଣିବା। କିନ୍ତୁ ଏଠି ଓଲଟା କାମ ହେଉଛି। ବିଏମ୍‌ସି ଏବେ ଦୟାୱେଷ୍ଟ କେନାଲକୁ ନଳାରେ ପରିବର୍ତ୍ତନ କରିଦେଇଛି। ରାଜଧାନୀର ଆବର୍ଜନାକୁ ଏହି କେନାଲକୁ ଛାଡ଼ି ଏହାକୁ ଏକ ବଡ଼ ଡ୍ରେନ୍‌ରେ ପରିଣତ କରିଦେଲାଣି। ରାଜଧାନୀ ଭିତରେ ଦୟାୱେଷ୍ଟ କେନାଲର ସ୍ଥିତି ଏବେ ଯେପରି ଅଛି କେହି ଏହାକୁ ଦେଖିଲେ ବିଶ୍ବାସ କରିପାରିବନି ଯେ ଏଠାରେ କିଛି ବର୍ଷ ତଳେ କାଚ‌କେନ୍ଦୁ ଭଳି ପାଣି ବୋହୁଥିଲା। ରାଜଧାନୀବାସୀ ଗାଧେଇବାଠାରୁ ଆରମ୍ଭ କରି ନିତ୍ୟକର୍ମ ପାଇଁ ଏହାକୁ ବ୍ୟବହାର କରୁଥିଲେ। ବହୁ ଜୀବଜନ୍ତୁ ଏହାର ପାଣି ପିଉଥିଲେ। କିନ୍ତୁ ଗତ କିଛି ବର୍ଷ ହେଲା ଏହି କେନାଲର ଧ୍ବଂସ ପ୍ରକ୍ରିୟା ଆରମ୍ଭ ହୋଇଛି।

ଦୁଇ ବର୍ଷ ଭିତରେ ବିଏମ୍‌ସି ୫ରୁ ଅଧିକ ସ୍ଥାନରେ ଏହି କେନାଲକୁ ସିଧା ଡ୍ରେନ୍‌ ପାଣି ଛାଡ଼ି ଦେଉଥିବାରୁ ଏବେ ବଡ଼ ଡ୍ରେନ୍ ପାଲଟି ଯାଇଛି। କାଚକେନ୍ଦୁ ଭଳି ପାଣି ଜାଗାରେ କଳା ନର୍ଦ୍ଦମା ପାଣି ବୋହୁଛି। ଯେଉଁ କେନାଲର କାଚକେନ୍ଦୁ ଭଳି ପାଣି ହଜାର ହଜାର ଲୋକ, ଜୀବଜନ୍ତୁଙ୍କ ତୃଷ୍ଣା ମେଣ୍ଟାଉଥିଲା; ସେଥିରେ ଏବେ କଳା ଜହର ପାଣି ବୋହି ‌ଜୀବଜନ୍ତୁଙ୍କୁ ଜୀବନ ନେଉଛି। କେବଳ ନର୍ଦ୍ଦମା ପାଣି ବୋହୁନି। ନାଳ ସାରା ଦଳ ଭର୍ତ୍ତି ହୋଇଛି। ଆବର୍ଜନାରେ ଦୟା ୱେଷ୍ଟ କେନାଲ ଚାରିକଡ଼ୁ ପୋତି ହୋଇ ଡ୍ରେନ୍‌ ଭଳି ଅଣଓସାର ହୋଇଗଲାଣି। ପ୍ରାୟ ୪୦ଫୁଟ ଓସାରର କେନାଲ ଏବେ ୨୦ଫୁଟକୁ ଆସିଗଲାଣି। ୧୫ ଫୁଟରୁ ଅଧିକ ଗଭୀର ଥିବା ଏହି ନାଳ ଏବେ ୫ଫୁଟକୁ ଖସିଆସିଲାଣି। ବିଏମ୍‌ସି ପଳାସୁଣିରୁ ଝାରପଡ଼ାକୁ ପଡ଼ିଥିବା କେନାଲ ବନ୍ଧକୁ ଖୋଳି ଦୁଇଟି ଜାଗାରେ ଡ୍ରେନ୍‌ ପାଣି ସିଧା କେନାଲକୁ ଛାଡ଼ି ଦେଉଛି। ‌ଜିଜିପି କଲୋନି ଛକରେ ଏବେ ପୂର୍ତ୍ତ ବିଭାଗ କେନାଲ ଉପରେ ବ୍ରିଜ୍‌ ନିର୍ମାଣ କରିଥିବା ବେଳେ ଅଧିକାରୀଙ୍କ ମୁଣ୍ଡକୁ କ’ଣ ଦୁର୍ବୁଦ୍ଧି ଜୁଟିଲା କେଜାଣି, ରାସ୍ତା ଖୋଳି ଡ୍ରେନ୍‌କୁ କେନାଲରେ ମିଶାଇ ଦେଲେ। ରସୁଲଗଡ଼ ଗାଁର ସବୁତକ ଆବର୍ଜନା ପାଣି ଏହି ଡ୍ରେନ୍‌ ଦେଇ କେନାଲରେ ମିଶୁଛି।

କେବଳ ଏତିକି ନୁହେଁ, ଦୁଇ ବର୍ଷ ତଳେ ରାଜଧାନୀରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଥିଲା। ଜୁଲାଇ, ୨୦୧୮‌ରେ ଲଗାଣ ବର୍ଷା ଯୋଗୁଁ ବହୁ ଅଞ୍ଚଳ ଜଳମଗ୍ନ ହେଲା। ‌ସବୁଠୁ ବଡ଼ ମୁଖ୍ୟ ଡ୍ରେନ୍‌-୧୦ରେ ପାଣି ପ୍ରବାହ ଅଧିକ ହେବାରୁ ଏହି କେନାଲ ବନ୍ଧରେ କେତେକ ସ୍ଥାନରେ ପାଚେରି ଭାଙ୍ଗିଲା। ଏପରିକି ଝାରପଡ଼ା ନିକଟସ୍ଥ କେତେକ ଅଞ୍ଚଳରେ ପାଣି ଲୋକଙ୍କ ଘରେ ପଶିଲା। ବିଏମ୍‌ସି କର୍ତ୍ତୃପକ୍ଷ ଏହି ଡ୍ରେନ୍‌ର ମରାମତି କରିବା ବଦଳରେ ଡ୍ରେନ୍‌ର ଗତିପଥ ବଦଳାଇ ଦେଲେ। ଏହାକୁ କେନାଲ ବନ୍ଧସ୍ଥିତ ହନୁମାନ ମନ୍ଦିର ନିକଟରେ ଦୟାୱେଷ୍ଟ କେନାଲରେ ମିଶାଇ ଦେଲେ। ବର୍ଷାଧିକ କାଳ ସିମେଣ୍ଟ ପାଇପ୍‌ ପକାଇ ପାଣି ଛାଡ଼ୁଥିଲେ ଏବଂ ରାସ୍ତାକୁ ଖୋଳିକି ରଖିଥିଲେ। ଏବେ ସ୍ଥାୟୀ ଭାବେ କେନାଲକୁ ପାଣି ଛାଡ଼ି ଦେଇଛନ୍ତି। ଫଳରେ ନୂଆପଲ୍ଲୀ, ଇସ୍କନ ମନ୍ଦିର ଅଞ୍ଚଳରୁ ଆରମ୍ଭ କରି ସହିଦନଗର, ବମିଖାଲ ଅଞ୍ଚଳର ସବୁ ଆବର୍ଜନା ପାଣି ଆସି ଏଠାରେ ମିଶୁଛି। ଦିନକୁ ଲକ୍ଷ ଲକ୍ଷ ଲିଟର ଆବର୍ଜନା ପାଣି ଏହି କେନାଲରେ ମିଶି ଏହାକୁ ନଳାରେ ପରିଣତ କରିଦେଇଛି।

ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଏହି କାରନାମାକୁ ପ୍ରାଚୀ ଡିଭିଜନ କର୍ତ୍ତୃପକ୍ଷ ଦେଖିଲେ। ହେଲେ ପାଟି ଫିଟାଇଲେନି। ଯେଉଁ ଡିଭିଜନ୍ ନିଜ କେନାଲକୁ ପରିଷ୍କାର ରଖିପାରୁନି, ନିୟମିତ ଆବର୍ଜନା ସଫା କରୁନି, ପୁନରୁଦ୍ଧାର କରୁନି, ସେ ଡିଭିଜନର ବାବୁମାନେ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଏନେଇ ପାଟି ଫିଟାଇବାକୁ ସାହାସ କଲେନି। ପ୍ରାଚୀ ଡିଭିଜନ୍‌ର ଅପାରଗତାର ଫାଇଦା ନେଇ ବିଏମ୍‌ସି କର୍ତ୍ତୃପକ୍ଷ ଦୟାୱେଷ୍ଟ କେନାଲକୁ ଆବର୍ଜନା ପାଣି ଛାଡ଼ି ଚାଲିଛନ୍ତି।

ଏନେଇ ବିଏମ୍‌ସିର ଜଣେ ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ ଯେ ବିଭିନ୍ନ ସ୍ଥାନରେ ମୁଖ୍ୟ ଡ୍ରେନ୍‌ର ପାଚେରି ଦୁର୍ବଳ ହୋଇଯାଇଥିବା ବେଳେ ସେଠାରେ ବର୍ଷା ଦିନେ ଜୋର୍‌ରେ ପାଣି ପ୍ରବାହ ହେଲେ ତାହା ଭୁଶୁଡ଼ି ପଡ଼ୁଛି। ମୁଖ୍ୟ ଡ୍ରେନ୍‌-୧୦ ସବୁଠୁ ବଡ଼ ଡ୍ରେନ୍‌ ହୋଇଥିବା ବେଳେ ଏଥିରେ ସବୁଠୁ ଅଧିକ ପାଣି ପ୍ରବାହ ହୁଏ। ବମିଖାଲ କେନାଲ ବ୍ରିଜ୍‌ ନିକଟରେ ଏହା ହଠାତ୍‌ ଡାହାଣକୁ ବୁଲି କେନାଲ ସମାନ୍ତରାଳରେ କିଛି ବାଟ ଯାଇଛି। କିନ୍ତୁ ଏହି ସବୁ ସ୍ଥାନରେ ବର୍ଷା ଦିନେ ସ୍ଥିତି ଅଣାୟତ୍ତ ହେଉଥିଲା। ଏଠାରେ ପାଚେରି ନିର୍ମାଣ କରିବା ଏବଂ ଡ୍ରେନ୍‌ ପୁନରୁଦ୍ଧାର ପାଇଁ ଟଙ୍କା ନଥିବାରୁ ଆମେ ରାସ୍ତା କାଟି ଡ୍ରେନ୍‌କୁ ଦୟାୱେଷ୍ଟ କେନାଲରୁ ମିଶାଇଦେଲୁ। କେବଳ ବର୍ଷା ଦିନେ ପାଣି କେନାଲରେ ମିଶୁଛି। ଅନ୍ୟ ଦିନରେ ପୂର୍ବ ରାସ୍ତାରେ ଯାଉଛି। ବାସ୍ତବରେ ମୁଖ୍ୟ ଡ୍ରେନ୍‌-୧୦ର ସବୁ ପାଣି ଏବେ ଦୟାୱେଷ୍ଟ କେନାଲରେ ପଶୁଛି। ପୂର୍ବ ରାସ୍ତାରେ ପାଣି ଯାଉନି। ତେଣୁ ଏବେ ଲୋକ ଆବର୍ଜନା ପକାଇ ଏହାକୁ ପୋତି ଦେଲେଣି। ବିଏମ୍‌ସିର ଅପାରଗତାକୁ ଦେଖି ଲୋକ ବି ଏହାର ଫାଇଦା ଉଠାଇଲେଣି।

ସମ୍ବନ୍ଧିତ ଖବର