ଭୁବନେଶ୍ବର : ଆଜି ଭୁବନେଶ୍ବର ଉପଜିଲ୍ଲାପାଳଙ୍କ ଅଧୀନସ୍ଥ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ଭୁବନେଶ୍ବର ଲୋକସଭା ପାଇଁ ମତଦାନ ଶେଷ ହୋଇଛି। ଏଠାରେ ୭୭ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବାବେଳେ ମତଦାତାମାନେ ଏଥିରୁ ନିଜ ନିଜ ପସନ୍ଦର ପ୍ରାର୍ଥୀମାନଙ୍କୁ ଭୋଟ୍ ଦେଇଛନ୍ତି। ପ୍ରାର୍ଥୀମାନେ ବି ବିଜୟ ହାସଲ କରିବା ପାଇଁ କୌଣସି ପ୍ରକାରର ଉଦ୍ୟମ ଛାଡ଼ି ନଥିବାରୁ ସମସ୍ତେ ବିଜୟ ମୁକୁଟ ପିନ୍ଧିବେ ବୋଲି ଦାବି କରୁଛନ୍ତି। ନିର୍ବାଚନ ପରୀକ୍ଷା ଆଜି ସରିଯାଇଥିବାବେଳେ ଅପେକ୍ଷା ମେ ୨୩ରେ ବାହାରିବାକୁ ଥିବା ଫଳକୁ। ଜନତା କାହାକୁ ଗ୍ରହଣ କରୁଛନ୍ତି, କାହା ପ୍ରତିଶ୍ରୁତିକୁ ବିଶ୍ବାସ କରିଛନ୍ତିି, କାହାକୁ ପ୍ରତ୍ୟାଖାନ କରିଛନ୍ତି ତାହା ମେ ୨୩ତାରିଖରେ ଜଣାପଡ଼ିବ।
ଆଜି ଭୁବନେଶ୍ବର ସବ୍ଡିଭିଜନ ଅଧୀନସ୍ଥ ଜୟଦେବ, ଭୁବନେଶ୍ବର ମଧ୍ୟ, ଭୁବନେଶ୍ବର ଉତ୍ତର, ଏକାମ୍ର ଭୁବନେଶ୍ବର ଓ ଜଟଣୀ ନିର୍ବାଚନ ମଣ୍ଡଳୀର ୧୧୫୬ଟି ବୁଥ୍ରେ ମତଦାନ ହୋଇଛି। ଜୟଦେବ ଓ ଜଟଣୀକୁ ଛାଡ଼ିଦେଲେ ଭୁବନେଶ୍ବରର ତିନି ନିର୍ବାଚନ ମଣ୍ଡଳୀରେ ମତଦାନ ନୈରାଶ୍ୟଜନକ ହୋଇଛି। ଏଠାରେ ବିଗତବର୍ଷଗୁଡ଼ିକ ଭଳି ମତଦାନ ହାର ୪୦% ପାଖାପାଖି ରହିଛି। ରାଜଧାନୀରେ ବହୁ ଶିକ୍ଷିତ, କର୍ମଜୀବୀ ରହୁଥିଲେ ହେଁ ସେମାନଙ୍କ ଭୋଟ୍ ହାର ଆଶାନୁରୂପ ହୋଇନି। ପୂର୍ବଥରଗୁଡ଼ିକ ପରି ଏଥର ବି ବସ୍ତିବାସିନ୍ଦା ଅଧିକ ଭୋଟ୍ ଦେଇଛନ୍ତି। ତେଣୁ ବସ୍ତିବାସିନ୍ଦାଙ୍କ ଭୋଟ୍ ପ୍ରାର୍ଥୀଙ୍କ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି। ମେ ୨୩ରେ ଫଳ ପ୍ରକାଶ ପାଇଲେ ଜଣାପଡ଼ିବ କେଉଁଠି ପ୍ରାର୍ଥୀ କେତେ ଭୋଟ୍ ପାଇଛନ୍ତି।
କାଁ ଭାଁ ଗଣ୍ଡଗୋଳକୁ ଛାଡ଼ିଦେଲେ ପ୍ରାୟ ସମସ୍ତ ବୁଥ୍ରେ ଶାନ୍ତିଶୃଙ୍ଖଳାର ସହିତ ମତଦାନ ଶେଷ ହୋଇଛି। କେତେକ ସ୍ଥାନରେ ଇଭିଏମ୍ ଜନିତ ତ୍ରୁଟି ଯୋଗୁଁ ବୁଥ୍ ସ୍ତରରେ ସାମାନ୍ୟ ଉତ୍ତେଜନା ଦେଖାଦେଇଥିବାବେଳେ କେତେକ ସ୍ଥାନରେ ପ୍ରାର୍ଥୀଙ୍କ ସମର୍ଥକମାନେ ଭୋଟରଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ କରି ଉଭୟ ପକ୍ଷ ଧସ୍ତାଧସ୍ତି ପର୍ଯ୍ୟନ୍ତ କଥା ଯାଇଛି। କେତେକ ସ୍ଥାନରେ ବି ପୁଲିସ କିଛି ଗଣ୍ଡଗୋଳକାରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
ଆଜି ରାଜଧାନୀର କିଛି ବୁଥ୍ରେ ଇଭିଏମ୍ ମେସିନ୍ ହଠାତ୍ ବନ୍ଦ ହୋଇଯିବାରୁ, ପ୍ରାର୍ଥୀମାନେ ଭୋଟ୍ ଦେଲାବେଳେ ଏହା କିଛି ରେସ୍ପନ୍ସ ନକରିବାରୁ ମତଦାତାମାନେ ପୁଲିଂ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। କିଛି ସ୍ଥାନରେ ଏହାକୁ ମରାମତି କରି ପୁଣି ମତଦାନ କରାଯାଇଥିବାବେଳେ କେତେକ ସ୍ଥାନରେ ସେକ୍ଟର ଅଧିକାରୀଙ୍କ ଅନୁମତି ନେଇ ନୂଆ ଇଭିଏମ୍ ମେସିନ୍ ଲଗାଯାଇଥିଲା। ହେଲେ ଏହି ସମୟରେ ଉତ୍ତେଜନା ଦେଖାଦେଇଥିଲା।
ଅପରପକ୍ଷେ ଆଜି ଭୋଟ୍ ସରିବା ପରେ ପ୍ରାର୍ଥୀମାନେ ସେମାନଙ୍କ କାର୍ଯ୍ୟାଳୟରେ ବସି ଏଜେଣ୍ଟ ମାନଙ୍କ ଦ୍ବାରା କେତେ ଭୋଟ୍ କେଉଁ ବୁଥ୍ରେ ପାଇବାର ସମ୍ଭାବନା ଅଛି ତା’ର ତାଲିକା ପ୍ରସ୍ତୁତ କରୁଛନ୍ତି। ଏପରିକି କେଉଁଠି ୖଅଧିକ ଭୋଟ୍ ମିଳିଲା, କେଉଁଠି ଆଶା ଠାରୁ ଭୋଟ୍ କମିଲା ତା’ର ହିସାବ ନିକାଶ କରିଛନ୍ତି।