ନବୀନଙ୍କ ଫ୍ଲାଇଙ୍ଗ୍‌ କିସ୍‌କୁ ଅପେକ୍ଷା କରିଥିଲେ, ଖଗେଶ୍ବରଙ୍କୁ ଟେକିନେଲା ପୁଲିସ

ଭୁବନେଶ୍ବର: ମାଇ ଲଭ୍, ମାଇ ଫ୍ୟାମିଲି, ନବୀନ ସାର୍। ଓଡ଼ିଶାର ୫ଥର ମୁଖ୍ୟମନ୍ତ୍ରୀ; ବିଶ୍ବକର୍ମା…। ମୁଁ ତାଙ୍କର ସବୁଠାରୁ ବଡ଼ ଫ୍ୟାନ୍। ସାର୍‌ ଫ୍ଲାଇଙ୍ଗ୍‌ କିସ୍ କରିବେ, ମୁଁ କ୍ୟାଚ୍ କରିବି। ଏହିଭଳି କେତେ କ’ଣ କହି ରାସ୍ତାରେ ଗଡ଼ିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫ୍ୟାନ୍ ଖଗେଶ୍ବର ଦେହୁରୀ। କିନ୍ତୁ ଏଥର ନଛୋଡ଼ବନ୍ଧା ପୁଲିସ ଖଗେଶ୍ବରଙ୍କୁ ଆଇନ ଓ ମୁଖ୍ୟମନ୍ତ୍ରୀ ସୁରକ୍ଷା ପାଠ ପଢ଼ାଇଥିଲା। ଖଗେଶ୍ବର ନ ମାନିବାରୁ ତାଙ୍କୁ ଟେକିନେଇ ଜୟଦେବଭବନ ପାର୍ଶ୍ବରେ ଥିବା ଓମ୍‌ଫେଡ୍ ବୁଥ୍‌ ପାଖରେ ଶୁଆଇ ଦେଇଥିଲା। ବିଜେଡି ପତାକା ଓ ନବୀନଙ୍କ ଫଟୋରେ ସଜ୍ଜିତ ଥିବା ତାଙ୍କ ବାଇକ୍‌କୁ ମଧ୍ୟ ପୁଲିସ ହଟାଇ ଦେଇଥିଲା। ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ୧୫ ବେଳକୁ ଲୋକସେବା ଭବନ ନିକଟରେ ଏଭଳି ହାଇଡ୍ରାମା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ନିଜକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପ୍ରଶଂସକ କହୁଥିବା ବରଗଡ଼ର ଖଗେଶ୍ବରଙ୍କୁ ଆଜି ସଚିବାଳୟ ନିକଟରୁ ହଟାଇବାକୁ ଯାଇ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା। ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାକୁ ଆସୁଥିବା ବେଳେ ପୁଲିସ ଓ ଟ୍ରାଫିକ୍ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସବୁ ରୁଟ୍‌ରୁ ଗାଡ଼ିଗୁଡ଼ିକୁ ହଟାଉଥିଲା। ଠିକ୍ ଏହି ସମୟରେ ଖଗେଶ୍ବର ତାଙ୍କ ବାଇକ୍ ଧରି ଲୋକସେବା ଭବନ ସମ୍ମୁଖରେ ରଖିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯିବା ବାଟରେ ମୋତେ ଅନାଇବେ। ଏମିତି କେ‌ତେ କ’ଣ କହି ବିଜେଡି ପତାକା ଦେହରେ ଗୁଡ଼ାଇ ସେଠାରେ ବୁଲିଥିଲେ।

ମାତ୍ର ପୁଲିସ ଖଗେଶ୍ବରଙ୍କୁ ବୁଝାଇବା ସହ ଲୋକସେବା ଭବନର ଅପରପଟେ ରହି ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରିବାକୁ କହିଥିଲା। ହେଲେ ଖଗେଶ୍ବରଙ୍କ ଏକା ଜିଦ୍‌ ସେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବ। ସେ ପୁଲିସକୁ ଓଲଟି ବୁଝାଇଥିଲେ ଯେ ସବୁ ଜାଣିକି କ’ଣ ଏମିତି ହେଉଛ। ମୁଖ୍ୟମନ୍ତ୍ରୀ ସାର୍ ଜାଣିଛନ୍ତି, ଲଡ୍‌କା ମେରା ଵହିଁ ହୋଗା…। ତେଣୁ ସେପଟକୁ ଗଲେ ସାର୍ ମୋତେ ଦେଖିବେ ନାହିଁ। ଏପରିକି ଖଗେଶ୍ବରଙ୍କୁ ପୁଲିସ ଜୋର୍‌ଜବରଦସ୍ତ ଉଠାଇବାକୁ ଚେଷ୍ଟା କଲା ବେଳେ ସେ ପାଖ ଡ୍ରେନ୍‌ରେ ଚାଲି ପଳାଇବାକୁ ଉଦ୍ୟମ କରିଥିଲେ। ତେଣୁ ପୁଲିସ ବାଧ୍ୟ ହୋଇ ଖଗେଶ୍ବରଙ୍କ ହାତ ଓ ଗୋଡ଼କୁ ଧରି ଟେକି ନେଇଥିଲା। ତାଙ୍କୁ ଜୟଦେବ ଭବନ ଶୁଆଇ ଦେଇଥିଲା।

ଗଣମାଧ୍ୟମକୁ ପ୍ରେମ ପାଠ ପଢ଼ାଇଲେ

ନବୀନ ଅଛନ୍ତି ତ ଆଇ ଡୋଣ୍ଟ୍ ଫିଅର୍। ମାଇଁ ହାର୍ଟବିଟ୍ ଫର୍ ନବୀନ ସାର୍। ଗଣମାଧ୍ୟମ ପ୍ରତିନିଧିମାନେ ଯେତେବେଳେ ଖଗେଶ୍ବରଙ୍କୁ ଆଜିର ଘଟଣା ସମ୍ପର୍କରେ ପ୍ରଶ୍ନ କରିଥିଲେ ସେ ଏଭଳି ଢଙ୍ଗରେ ଉତ୍ତର ଦେଇଥିଲେ। ଏପରିକି ତମ ପାଇଁ ଏଇଟା ଡ୍ରାମା ଲାଗୁଥିଲେ ବି ମୋ ପାଇଁ ଏଇଟା ପ୍ରେମ ବୋଲି କହିଥିଲେ। ଏପରିକି ତାଙ୍କର ଏଭଳି ପାଗଳାମୀକୁ ନିରନ୍ତର ପ୍ରେମ ବୋଲି ଦର୍ଶାଇବାକୁ ଯାଇ ଗଣମାଧ୍ୟମକୁ ପ୍ରେମ ପାଠ ପଢ଼ାଇବାକୁ ପଛାଇନଥିଲେ। ତମେ ଯାହାକୁ ଭଲ ପାଉଛ, ତାଙ୍କୁ ଛାଡ଼ିପାରିବ କି ବୋଲି ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପାଲଟା ପ୍ରଶ୍ନ କରିଥିଲେ। ତାଙ୍କ ପାଇଁ ଏଇଟା ସମ୍ଭବ ନୁହେଁ। ତେଣୁ ନବୀନ ଥିବା ପର୍ଯ୍ୟନ୍ତ ସେ କାହାକୁ ଡରନ୍ତି ନାହିଁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର