ଭୁବନେଶ୍ବର: ନିର୍ଦେଶକଙ୍କୁ ଅପେକ୍ଷା କରିଛି ଏମ୍ସର ନୂତନ ବର୍ଣ୍ଣ ସେଣ୍ଟର। ଏହାର ନୂତନ କୋଠା ହସ୍ତାନ୍ତରଣ ସରିଛି କିନ୍ତୁ ଆଉ କିଛି ଗୁରୁତ୍ବପୂର୍ଣ୍ଣ ମେସିନ କିଣା ହୋଇ ପାରିନାହିଁ। ନିର୍ଦେଶକ ଆସିବା ପରେ ଏହି ଆବଶ୍ୟକତା ପୂରଣ ସହିତ ୨ରୁ୩ ମାସ ମଧ୍ୟରେ ଏହା ରୋଗୀ ସେବାରେ ଲାଗି ପାରିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏଥିପାଇଁ ସ୍ବତନ୍ତ୍ର ନିଯୁକ୍ତି ହୋଇନଥିବାରୁ ପ୍ରାଥମିକ ପର୍ଯ୍ୟାୟରେ ୧୦ଟି ଶଯ୍ୟାକୁ ନେଇ ସେଣ୍ଟର କାର୍ଯ୍ୟକ୍ଷମ ହେବ।
ଏମ୍ସରେ ସ୍ବତନ୍ତ୍ର ବର୍ଣ୍ଣ ୟୁନିଟ ନଥିବାରୁ ୫୦ ପ୍ରତିଶତରୁ ଅଧିକ ପୋଡ଼ି ଯାଇଥିବା ରୋଗୀଙ୍କ ଡାକ୍ତର ଅନ୍ୟତ୍ର ରେଫର କରିବାକୁ ବାଧ୍ୟ ହୋଇଥାଆନ୍ତି। ରୋଗୀମାନେ ଘରୋଇ ଡାକ୍ତରଖାନାକୁ ଯାଇ ଅଧିକ ଖର୍ଚ୍ଚାନ୍ତ ହୋଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି ୨୦୧୮ ମସିହାରେ ଏଠାରେ ସ୍ବତନ୍ତ୍ର ବର୍ଣ୍ଣ ସେଣ୍ଟର ପ୍ରତିଷ୍ଠା ପାଇଁ ଏନଟିପିସି ସହିତ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ଏହି ଅନୁଯାୟୀ ଏଠାରେ ୩୬ ଶଯ୍ୟା ବିଶିଷ୍ଟ ୱାର୍ଡ, ୬ ଶଯ୍ୟା ବିଶିଷ୍ଟ ଆଇସିୟୁ, ୬ଟି ସ୍ବତନ୍ତ୍ର କ୍ୟାବିନ ରହିବ। ଅର୍ଥାତ ପ୍ରଥମେ ଗୁରୁତର ଅବସ୍ଥାରେ ରୋଗୀ ପହଞ୍ଚିଲେ, ତଳ ମହଲାସ୍ଥିତ କାଜୁଆଲିଟିକୁ ଯିବେ। ଏଠାରେ ଗୁରୁତର ଏବଂ ସାମାନ୍ୟ ପୋଡ଼ିଥିବା ରୋଗୀଙ୍କ ପାଇଁ ୪-୪ ଶଯ୍ୟା ବିଶିଷ୍ଟ ଦୁଇ ପ୍ରକାର କାଜୁଆଲଟିର ବ୍ୟବସ୍ଥା ରହିବ। ଏହାପରେ ରୋଗୀଙ୍କ ଅବସ୍ଥା ସ୍ଥିର ହେବା ପରେ ୱାର୍ଡକୁ ଯିବେ।
ଏଠାରେ ୮ ଶଯ୍ୟା ମହିଳା, ୪ଟି ଲେଖାଏ ଶିଶୁ ଏବଂ ପୁରୁଷଙ୍କ ପାଇଁ ରହିବ। ଦ୍ବିତୀୟ ମହଲାରେ ଆଇସିୟୁ ଏବଂ ୨ଟି ଓଟି ରହିବ। ବର୍ତ୍ତମାନ ଗୋଟିଏ ଓଟି ନିର୍ମାଣ କରାଯାଇଛି। ପରବର୍ତ୍ତୀ ସମୟରେ ତୃତୀୟ ମହଲାରେ ଫିଜିଓଥେରାପି ୟୁନିଟ, ଚର୍ମ ବ୍ୟାଙ୍କ, ଟେଲିକନଫରେନ୍ସିଂ କରାଯିବ। ଏଥିସହିତ ଏଠାରେ କାଉନସେଲିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିବ। ବିଭାଗୀୟ ଡାକ୍ତରଙ୍କ ଅନୁସାରେ, ଅଗ୍ନିକାଣ୍ଡରେ ଶିକାର ରୋଗୀ ମାନସିକସ୍ତରରେ ଦୁର୍ବଳ ହୋଇପଡ଼ୁଥିବାରୁ କାଉନସେଲିଂ ଏବଂ ପୁନର୍ବାସ କେନ୍ଦ୍ର ତାଙ୍କ ପାଇଁ ସହାୟକ ହେବ। ଏହି ବର୍ଣ୍ଣ ସେଣ୍ଟର ପାଇଁ ଅନ୍ୟୁନ ୧୨ଜଣ ଡାକ୍ତରଙ୍କ ଆବଶ୍ୟକତା ରହିଛି। ନୂତନ ନିଯୁକ୍ତି ପାଇଁ ଅନୁମୋଦନ ମିଳିଥିଲେ ମଧ୍ୟ ନିଯୁକ୍ତି ହୋଇ ନାହିଁ। ନିଯୁକ୍ତି ପ୍ରକ୍ରିୟା ସରିବା ପରେ ଶଯ୍ୟା ସଂଖ୍ୟା ବୃଦ୍ଧି ପାଇବ। ବର୍ତ୍ତମାନ ବର୍ଣ୍ଣ ବିଭାଗରେ ଥିବା ୫ଜଣ ଡାକ୍ତର ଏହି ସେଣ୍ଟରରେ ରହିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/sf654h65sf4h65sf4h65hf4fh65.jpg)