ଭୁବନେଶ୍ବର: ଆ କା ମା ବୈ... ପାନ ଗୁଆ ଥୋଇ। କାର୍ତ୍ତିକ ପୂର୍ଣ୍ଣିମାର ସକାଳୁ, ପ୍ରତିଟି ଓଡ଼ିଆ ସ୍ନାନ ସାରି କଦଳୀ ପଟୁଆର ଡଙ୍ଗା ଭସେଇ ଧର୍ମ ମାସ କାର୍ତ୍ତିକର ଶୁଭ ମନାସନ୍ତି। ଆଉ ମନେ ପକାନ୍ତି, ପ୍ରାଚୀନ ଉତ୍କଳର ସେଇ ଗୌରବମୟ ନୌବାଣିଜ୍ୟ ପରମ୍ପରାକୁ। ଯେଉଁ ପରମ୍ପରାର ମୁକସାକ୍ଷୀ ଏବେ ବି ପାଲଟିଛି ‘ବାଲିଯାତ୍ରା’। ବୈଷୟିକ କୌଶଳ ସେଭଳି ଉନ୍ନତ ନଥିବା ସମୟରେ ଦୁଃସାହିକ ସମୁଦ୍ର ଯାତ୍ରା କରି ଓଡ଼ିଆ ସାଧବ ପୁଅ ଇଣ୍ଡୋନେସିଆ, ବାଲି, ଜାଭା, ସୁମାତ୍ରାକୁ ଯାଇ ନୌବାଣିଜ୍ୟ ସମ୍ପର୍କ ରଖିଥିଲେ। ଯାହାକି ଓଡ଼ିଶା ପାଇଁ ଏକ ଗୌରବର ବିଷୟ। ଏଣୁ ଓଡ଼ିଶାର ଏଭଳି ପରମ୍ପରାକୁ ବିଶ୍ବ ମାନଚିତ୍ରରେ ସ୍ଥାନ ଦେବାକୁ ଅଣ୍ଟା ଭିଡ଼ିଛି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। ଓଡ଼ିଶାର ପ୍ରସିଦ୍ଧ ସାଂସ୍କୃତିକ ଓ ବାଣିଜ୍ୟିକ ମେଳା ‘ବାଲିଯାତ୍ରା’କୁ ‘ୟୁନେସ୍କୋ ବିଶ୍ୱ ଐତିହ୍ୟ ମାନ୍ୟତା’ ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏ ସଂପର୍କିତ ସମସ୍ତ ଦଲିଲ୍, ଦସ୍ତାବିଜ୍କୁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟକୁ ପଠାଯାଇଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଏହି ଦସ୍ତାବିଜ୍ ୟୁନେସ୍କୋକୁ ପଠାଇବ। ପ୍ରକ୍ରିୟା ଆଗେଇବା ପରେ ବାଲିଯାତ୍ରା ବିଶ୍ୱ ଐତିହ୍ୟ ମାନଚିତ୍ରରେ ସ୍ଥାନ ପାଇବାର ଆଶା ପୁଣି ଉଜ୍ଜୀବିତ ହୋଇଛି।
ଏସିଆ ମହାଦେଶର ସର୍ବବୃହତ ମୁକ୍ତାକାଶ ବାଣିଜ୍ୟିକ ମେଳା ଭାବେ ବାଲିଯାତ୍ରାର ସ୍ଥାନ ସ୍ୱତନ୍ତ୍ର। ଏହି ମେଳାକୁ ୟୁନେସ୍କୋ ମାନ୍ୟତା ଦେବା ଲାଗି ଗତ ଦୁଇ ବର୍ଷ ତଳେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ଏବଂ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ, ରାଜ୍ୟ ସଂସ୍କୃତି ବିଭାଗକୁ ଚିଠି ଲେଖିଥିଲା। ଏଥିପାଇଁ ଆବଶ୍ୟକ ଦସ୍ତାବିଜ୍ ଦାଖଲ ପାଇଁ ମଧ୍ୟ କୁହାଯାଇଥିଲା। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ କମିଟି ଗଠନ କରାଯାଇ ବାଲିଯାତ୍ରା ସମ୍ପର୍କିତ ବିଭିନ୍ନ ତଥ୍ୟ ସଂଗ୍ରହ କରାଯାଇଥିଲା। ଏଥିପାଇଁ ପ୍ରଶାସନକୁ ବହୁତ କସରତ କରିବାକୁ ପଡ଼ିଥିଲା। ଏବେ ୟୁନେସ୍କୋ ମାନ୍ୟତା ପାଇଁ ଦିଆଯାଇଥିବା ଫର୍ମ ପୂରଣ କରାଯିବା ସହ ଆବଶ୍ୟକ ଦସ୍ତାବିଜ୍, ଭିଡିଓ ଓ ଫଟୋଚିତ୍ର ଆଦି କେନ୍ଦ୍ରକୁ ପଠାଯାଇଛି। ଏସବୁକୁ ବାଦ୍ ଦେଲେ ବାଲିଯାତ୍ରାର ଲମ୍ବା ଇତିହାସ, ଐତିହ୍ୟ, କେବେ ବାଲିଯାତ୍ରା ଆରମ୍ଭ ହୋଇଥିଲା, ବାଲିଯାତ୍ରା ପଛର କାରଣ, ବାଲିଯାତ୍ରା ଦ୍ୱାରା ଦେଶଦେଶ ଭିତରେ ଥିବା ପୁରୁଣା ସମ୍ପର୍କ ପୁଣି କିପରି ଉଜ୍ଜୀବିତ ହୋଇପାରିଛି, ବାଲିଯାତ୍ରା କିପରି ଓଡ଼ିଶାର ସାଂସ୍କୃତିକ ତଥା ବାଣିଜ୍ୟିକ ପ୍ରାଣକେନ୍ଦ୍ର ପାଲଟିଛି; ଏସବୁ ସଂକ୍ରାନ୍ତରେ ମଧ୍ୟ ଦସ୍ତାବିଜରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିବା ସଂସ୍କୃତି ବିଭାଗ ପକ୍ଷରୁ କୁହାଯାଇଛି।
ଦସ୍ତାବିଜ ପ୍ରଦାନ କରିଛି ସଂସ୍କୃତି ବିଭାଗ
ଦୌଡ଼ରେ ବାଲିଯାତ୍ରା, ରଥଯାତ୍ରା ଓ ଦଣ୍ଡନାଚ
ଉଲ୍ଲେଖଯୋଗ୍ୟ, ୟୁନେସ୍କୋ ମାନ୍ୟତା ପାଇବା ପାଇଁ ବିଭିନ୍ନ ଅନୁଷ୍ଠାନର ସମ୍ମତିପତ୍ର ବେଶ୍ ଗୁରୁତ୍ୱପୂର୍ଣ୍ଣ। କେନ୍ଦ୍ରକୁ ପ୍ରଦାନ କରାଯାଇଥିବା ଦସ୍ତାବିଜରେ ସେସବୁକୁ ବି ସଂଲଗ୍ନ କରାଯାଇଛି। ଜିଲ୍ଲା ତଥା ରାଜ୍ୟର ୭୦ଟି ବିଭିନ୍ନ ବୃହତ ସାଂସ୍କୃତିକ, ବ୍ୟବସାୟିକ, ସାମାଜିକ ଓ ଅର୍ଥନୈତିକ ଅନୁଷ୍ଠାନ ଏହି ସମ୍ମତିପତ୍ର ପ୍ରଦାନ କରିଛନ୍ତି। ଏଥିସହ କଟକ ସାଂସଦ ଭର୍ତ୍ତୃହରି ମହତାବ, ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ, ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ, କଟକ ସଦର ବିଧାୟକ ପ୍ରକାଶ ସେଠୀ ଓ ମେୟର ସୁବାସ ସିଂହ ଏଥିପାଇଁ ମଧ୍ୟ ସମ୍ମତିପତ୍ର ପ୍ରଦାନ କରିଛନ୍ତି। ଏବେ କେବଳ ବାଲିଯାତ୍ରା ଏହି ବିଶ୍ବ ମାନ୍ୟତା ଅପେକ୍ଷାରେ ରହିଛି।
ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସ୍ବତନ୍ତ୍ର ଶାସନ ସଚିବ ଦେବପ୍ରସାଦ ଦାଶ କହିଛନ୍ତି, ପ୍ରତି ଦୁଇ ବର୍ଷରେ ଥରେ କିଛି କିଛି ପର୍ବପର୍ବାଣିକୁ ଏହି ମାନ୍ୟତା ମିଳେ। ୨୦୨୧ରେ ପଶ୍ଚିମବଙ୍ଗର ‘ଦୁର୍ଗାପୂଜା’, ୨୦୨୩ରେ ଗୁଜରାଟର ‘ଗର୍ବା ନୃତ୍ୟ’କୁ ବିଶ୍ୱ ଐତିହ୍ୟ ମାନ୍ୟତା ପ୍ରଦାନ କରାଯାଇଛି। ୨୦୨୪ରେ ମଙ୍ଗୋଲିଆ ଦେଶର ‘ପାର୍ସି ନବବର୍ଷ ଉତ୍ସବ’କୁ ବି ମାନ୍ୟତା ମିଳିପାରିଛି। ଆମେ ବାଲିଯାତ୍ରା ସମ୍ପର୍କିତ ସମସ୍ତ ଦସ୍ତାବିଜ କେନ୍ଦ୍ରକୁ ପ୍ରଦାନ କରିଛୁ। ୨୦୨୩ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆର ବାଲିରେ କଟକର ଐତିହାସିକ ବାଲିଯାତ୍ରା ସଂପର୍କରେ କହିଥିବା ବେଳେ ଗତବର୍ଷ ଦିଲ୍ଲୀରେ ଆୟୋଜିତ ‘ଓଡ଼ିଶା ପର୍ବ’ରେ ବି ପ୍ରଧାନମନ୍ତ୍ରୀ ଯୋଗ ଦେଇ ବାଲିଯାତ୍ରା କଥା କହି ‘ବାଲିଯାତ୍ରା ଦିବସ’ ପାଳନ ଉପରେ ଗୁରୁତ୍ବାରୋପ କରିଥିଲେ। ଏଣୁ ‘ବାଲିଯାତ୍ରା’କୁ ଏହି ପରବର୍ତ୍ତୀ ପର୍ଯ୍ୟାୟରେ ହିଁ ‘ୟୁନେସ୍କୋ ବିଶ୍ୱ ଐତିହ୍ୟ ମାନ୍ୟତା’ ମିଳିପାରେ ବୋଲି ଆଶା କରାଯାଉଛି। ବାଲିଯାତ୍ରା ସହ ପୁରୀ ପ୍ରସିଦ୍ଧ ରଥଯାତ୍ରା ଓ ଦଣ୍ଡନାଚକୁ ବି ଏହି ମାନ୍ୟତା ପ୍ରଦାନ ପାଇଁ ଆବେଦନ କରାଯାଇଛି। ତେବେ ବାଲିଯାତ୍ରା ଏହି ଦୌଡ଼ର ପ୍ରଥମରେ ରହିଛି। ଏହା ମାନ୍ୟତା ପାଇବା ଦ୍ବାରା ବାଲିଯାତ୍ରା ଓ ଓଡ଼ିଶା ନୌବାଣିଜ୍ୟ ପରମ୍ପରାର ପ୍ରାଚୀନତା ସ୍ବୀକୃତି ପାଇବ। ଏଥିସହ ଏହି ମାନ୍ୟତା ଓଡ଼ିଶା ପାଇଁ ଗୌରବର ବିଷୟ ହେବ ବୋଲି ଶ୍ରୀ ଦାସ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/03/untitled-3-2025-11-03-10-23-07.jpg)