ବିଜ୍ଞାନ ପାଇଁ ଏକାଠି ହେଲେ ବୈଜ୍ଞାନିକ, ଗବେଷକ ଓ ବିଜ୍ଞାନପ୍ରେମୀ

ଭୁବନେଶ୍ବର: ବିଜ୍ଞାନର ପ୍ରଚାର-ପ୍ରସାର ଓ ସମାଜରେ ପ୍ରଚଳିତ ବିଭିନ୍ନ ଅନ୍ଧବିଶ୍ବାସକୁ ଦୂର କରିବା ପାଇଁ ‘ଭାରତର ବିଜ୍ଞାନ ଅଭିମୁଖେ ଜନଯାତ୍ରା’ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଶୋଭାଯାତ୍ରା ରାମ ମନ୍ଦିର ଛକଠାରୁ ବାହାରି ସଂଗୀତ ମହାବିଦ୍ୟାଳୟରେ ପହଞ୍ଚିଥିଲା। ସେଠାରେ ଏକ ସଭା ଆୟୋଜିତ ହୋଇଥିଲା। ଶୋଭାଯାତ୍ରାରେ ଦେଶର ଅନେକ ବୈଜ୍ଞାନିକ, ଗବେଷକ ଓ ବିଜ୍ଞାନପ୍ରେମୀ ଯୋଗ ଦେଇଥିଲେ। କେନ୍ଦ୍ର ସରକାର ବଜେଟ୍‌ର ୧୦ ପ୍ରତିଶତ, ରାଜ୍ୟ ସରକାର ୩୦ପ୍ରତିଶତ ଶିକ୍ଷାବ୍ୟୟ କରିବା, ବୈଜ୍ଞାନିକ ଗବେଷଣା ପାଇଁ ଜିଡିପିର ୩ ପ୍ରତିଶତ ଖର୍ଚ କରିବା ଭଳି ଦାବି ଶୋଭାଯାତ୍ରାରେ ଦେଖିବାକୁ ମିଳିଥିଲା।

ଏଥିରେ ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାଥମେଟିକ୍ସର ପୂର୍ବତନ ଅଧ୍ୟକ୍ଷ ସ୍ବାଧୀନ ପଟ୍ଟନାୟକ କହିଲେ, ବିଜ୍ଞାନ କେବଳ ପରୀକ୍ଷିତ ସତ୍ୟକୁ ହିଁ ଆଧାର କରି ଆଜି ଏକ ବିରାଟ ଜ୍ଞାନ ଜଗତ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି। ଉତ୍କଳ ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ପ୍ରଫେସର୍‌ ବୀରେନ୍ଦ୍ର ନାୟକ କହିଲେ, ମନଗଢ଼ା ଧାରଣାକୁ ବିଜ୍ଞାନ ବୋଲି ଅପପ୍ରଚାର କରାଯାଉଛି। ପ୍ରମାଣିତ ସିଦ୍ଧାନ୍ତଗୁଡ଼ିକୁ ଅନେକ ଭୁଲ୍‌ ବୋଲି ଦର୍ଶାଇବାକୁ ପଛାଉ ନାହାନ୍ତି। ଦେଶ‌ରେ ବିଜ୍ଞାନର ବିକାଶ କ୍ଷେତ୍ରରେ ଏହା ପ୍ରତିବନ୍ଧକ ସାଜିଛି। ଅନ୍ୟମାନଙ୍କ ମଧ୍ୟରେ ଇନଷ୍ଟିଚ୍ୟୁଟ୍ ଅଫ ଫିଜିକ୍ସର ବୈଜ୍ଞାନିକ ବିଜୁ ରା‌ଜଶେଖର, ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ର ଉପ-ନିର୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ, ପ୍ରଫେସର୍‌ ଶୁଭାଶିଷ ବସାକ୍ ଓ ପ୍ରଫେସର୍‌ ଏଲପି ସିଂହ ପ୍ରମୁଖ ସାମିଲ ହୋଇ ନିଜର ବକ୍ତବ୍ୟ ରଖିଥିଲେ। ରେଭେନ୍ସା ବିଶ୍ବବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପକ ସିଦ୍ଧାର୍ଥ ଭରଦ୍ବାଜ ସଭା ପରିଚାଳନା କରିଥିଲେ। ଏଥିରେ ସପ୍ତର୍ଷିନୀ ରାଉଳ, ପୟୋସିନୀ ପ୍ରିୟଦର୍ଶିନୀ, ସୁନିତା, ଶ୍ରୀନିବାସ ଦାସ, ବିନୋଦ ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ଦିଲ୍ଲୀ, ମୁମ୍ବାଇ, କୋଲକାତା, ପୁଣେ, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ଚେନ୍ନାଇ ସମେତ ୮୦ଟି ଛୋଟବଡ଼ ସହରର ବିଜ୍ଞାନପ୍ରେମୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର