ଭୁବନେଶ୍ୱର: ରାଜଧାନୀର ବହୁ ଭେଣ୍ଡିଂ ଜୋନ୍ ସଂଲଗ୍ନ ପାଦଚଲା ରାସ୍ତାକୁ କବ୍ଜା କରି ରଖୁଛନ୍ତି। ଏଥିପାଇଁ ଫୁଟ୍ପାଥ୍ରେ ଘୋର ଅବ୍ୟବସ୍ଥା ଦେଖାଯାଉଛି। ଉଭୟ ଗ୍ରାହକ ଓ ପଥଚାରୀମାନେ କିଣାକିଣି ଏବଂ ଯାତାୟାତରେ ସମସ୍ୟାରେ ପଡ଼ୁଛନ୍ତି। ତେଣୁ ରାଜଧାନୀରେ ଉଠା ଦୋକାନୀଙ୍କୁ ବ୍ୟବସ୍ଥିତ କରିବାକୁ ଓ ସହର ସୌନ୍ଦର୍ଯ୍ୟୀକରଣ କରିବା ଲକ୍ଷ୍ୟରେ ହୋଇଥିବା ଭେଣ୍ଡିଂ ଜୋନ୍ ଏବେ ନୂଆ ସମସ୍ୟା ସୃଷ୍ଟି କରିଛି। ପ୍ରତ୍ୟେକ ଭେଣ୍ଡିଂ ଜୋନ୍କୁ ଏକ ନିର୍ଦ୍ଧିଷ୍ଟ ଆୟତନ ଦିଆଯାଇଥିଲେ ବି ବ୍ୟବସାୟୀମାନେ ନିୟମ ନ ମାନି ପାଦଚଲା ବାଟରେ ପସରା ମେଲାଇ ବସୁଛନ୍ତି।
୪ ନମ୍ବର ହାଉସିଂ ବୋର୍ଡସ୍ଥିତ ଭେଣ୍ଡିଂ ଜୋନ୍ ଏହାର ଏକ ଜ୍ବଳନ୍ତ ଉଦାହରଣ। ଏଠାରେ ଦୋକାନଗୁଡ଼ିକ ପାଦଚଲା ରାସ୍ତାକୁ ପୂରା ଜବରଦଖଲ କରି ରଖିଛନ୍ତି। ବହୁ ଦୋକାନୀ ନିଜ ସାମଗ୍ରୀଗୁଡ଼ିକ ରାସ୍ତା ଉପରେ ଗଦା କରି ରଖୁଛନ୍ତି। ସେହିଭଳି ଏଠାରେ ପାଦଚଲା ରାସ୍ତାରେ ଉଭୟ ବେପାରୀ ଓ ଗ୍ରାହକ ଗାଡ଼ି ପାର୍କ କରୁଛନ୍ତି। ଫଳରେ ସାଧାରଣ ପଥଚାରୀମାନେ ଯାତାୟାତ କରିବା ପାଇଁ ବହୁ ଅସୁବିଧାରେ ପଡୁଛନ୍ତି। ସେମାନେ ତଳକୁ ଗଡ଼ି ମୁଖ୍ୟ ରାସ୍ତାରେ ଯିବାକୁ ବାଧ୍ୟ ହେଉଛନ୍ତି ଏବଂ ଏଥିପାଇଁ ଛୋଟମୋଟ ଦୁର୍ଘଟଣା ଘଟୁଛି। ସେହିପରି ୟୁନିଟ୍-୪ ସ୍ଥିତ ଅନ୍ୟ ଏକ ଭେଣ୍ଡିଂ ଜୋନ୍ରେ ମଧ୍ୟ ସମାନ ଅବସ୍ଥା। ପାଦଚଲା ରାସ୍ତା ଉପରେ ଦୋକାନୀମାନେ ସାମଗ୍ରୀ ଗଦା କରୁଥିବା ବେଳେ ତଳେ ମୁଖ୍ୟ ରାସ୍ତାରେ ଗାଡ଼ି ପାର୍କ କରାଯାଉଛି। ଫଳରେ ଲୋକେ ଟ୍ରାଫିକ୍ ଜାମ୍ରେ ଫସୁଛନ୍ତି। ଏନେଇ ବିଏମ୍ସି ଡେପୁଟି କମିସନର ପ୍ରିୟବ୍ରତ ପାଢ଼ୀଙ୍କ କହିବା କଥା ଏଭଳି ଅଭିଯୋଗର ତଦନ୍ତ ପାଇଁ ଏକ ଟିମ୍ ଭେଣ୍ଡିଂ ଜୋନ୍ ବୁଲିବ ଏବଂ ସ୍ଥିତି ଦେଖିବା ପରେ ବିହିତ କାର୍ଯ୍ୟନୁଷ୍ଠାନ ନିଆଯିବ।
ସେହିପରି ସିଆର୍ପି ଛକରୁ ଷ୍ଟୁଆର୍ଟ ଅଭିମୁଖେ ଲମ୍ବିଥିବା ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଭେଣ୍ଡିଂ ଜୋନ୍ ଅଞ୍ଚଳରେ ବି ଟ୍ରାଫିକ୍ ସମସ୍ୟା ବେଶ୍ ଜଟିଳ। ଏହି ଭେଣ୍ଡିଂ ଜୋନ୍ରେ ରହିଛି ବେଶି ଫାଷ୍ଟ ଫୁଡ୍ ଦୋକାନ। ପାର୍କିଂ ପାଇଁ ସ୍ଥାନ ନଥିବାରୁ ଦୋକାନ ଆଗରେ ଗାଡ଼ି ରଖି ଗ୍ରାହକମାନେ ରାସ୍ତା ଉପରେ ଖାଉଛନ୍ତି। ଶହ ଶହ ବାଇକ୍ ଓ କାର୍ ରାସ୍ତାକୁ ଅବରୋଧ କରି ରଖୁଛନ୍ତି। ଫଳରେ ଅନ୍ୟ ପଥଚାରୀମାନେ ଟ୍ରାଫିକ୍ ଭିଡ଼ରେ ଫସି ବହୁ ଅସୁବିଧାରେ ପଡ଼ୁଛନ୍ତି। ରାସ୍ତା ମଝିରେ ଡିଭାଇଡର୍ ତିଆରି ହୋଇଥିବାରୁ ରାସ୍ତା ସଂକୁଚିତ ହୋଇଯାଇଛି। ମାତ୍ର ୧୦୦ ମିଟର ରାସ୍ତା ଅତିକ୍ରମ କରିବାକୁ ଏଠାରେ ଅଧ ଘଣ୍ଟା ଲାଗିଯାଉଛି। ଏନେଇ ଡେପୁଟି କମିସନର ରବିନାରାୟଣ ଜେଠୀଙ୍କ କହିବା କଥା ନିକଟରେ ନିଜେ କମିସନର ଏହି ସ୍ଥାନର ସ୍ଥିତି ଦେଖି ଯାଇଛନ୍ତି। ଖୁବ ଶୀଘ୍ର ଏହି ଭେଣ୍ଡିଂ ଜୋନ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାର ଯୋଜନା କରାଯାଉଛି। ସୂଚନାଯୋଗ୍ୟ ଯେ ଏଜି ଛକ, ପ୍ଲାନେଟୋରିୟମ୍ ଛକ, ଆଚାର୍ଯ୍ୟବିହାର, ଏକାମ୍ରକାନନ ରୋଡ୍, ବାଣୀବିହାର ଆଦି ବହୁ ଜନବହୁଳ ଛକରେ ଥିବା ଭେଣ୍ଡିଂ ଜୋନ୍ରେ ଏହି ସ୍ଥିତି ପରିଲକ୍ଷିତ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/654gd654gjgjdj.jpg)