ଭୁବନେଶ୍ୱର: ରାଜଧାନୀ ପୁଣି ଉତ୍ସବ ମୁଖର ହେବ। ଲାଗିବ ଗହଳଚହଳ। ପାର୍କରେ ଖୋଲିବ ଗପର ପେଡ଼ି। ଓଡ଼ିଆରୁ ଆରମ୍ଭ କରି ଇଂରାଜୀ, ହିନ୍ଦୀ, ବଙ୍ଗଳା ପ୍ରଭୃତି ଭାଷାରେ ପ୍ରସିଦ୍ଧ ଗପ ‘ଭୂ-ଫେଷ୍ଟୋ’ରେ ଉପସ୍ଥାପନ କରିବେ ପ୍ରତିଷ୍ଠିତ କଥାକାର। ଉପାନ୍ତ ଓ ସହରରେ ଥିବା ପ୍ରକୃତିର ବିଭବକୁ ଏକ୍ସପ୍ଲୋର୍‌ କରିବ ‘ଏକାମ୍ର ୱାକ୍‌ସ’। କେବଳ ଏତିକି ନୁହେଁ, ପୂର୍ବ ବର୍ଷ ଭଳି ନାଚ, ଗୀତରେ ବି ମତୁଆଲା କରିବ ‘ଡଟ୍‌ଫେଷ୍ଟ’। ଏକାମ୍ର ୱାକ୍‌ସ୍‌ ପାଇଁ ବିଡିଏ ଟେଣ୍ଡର ଡାକି ସାରିଥିବା ବେଳେ ଭୂ-ଫେଷ୍ଟୋ ପାଇଁ ଆଜି ରହିଥିବା ଆଲୋଚନା ବାତିଲ୍‌ ହୋଇଛି। ଖୁବ୍‌ଶୀଘ୍ର ବୈଠକ ବସି ଏ ନେଇ ନି‌ଷ୍ପତ୍ତି ନିଆଯିବ। ଡଟ୍‌ଫେଷ୍ଟ ଆୟୋଜନ ପ୍ରସ୍ତାବ ଚୂଡ଼ାନ୍ତ ହୋଇନାହିଁ। ଏହା ଉପରେ ମଧ୍ୟ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

Advertisment

ଗତ ବର୍ଷ ବିଶ୍ବକପ୍‌ ହକି ସମୟରେ ପର୍ଯ୍ୟଟକ ଓ କ୍ରୀଡ଼ାପ୍ରେମୀମାନଙ୍କୁ ପ୍ରାକୃତିକ ପରିବେଶରେ ବୁଲିବା ଅନୁଭୂତି ଦେବା ପାଇଁ ନେଚର୍‌ ୱାକ୍‌ ଟ୍ରେଲ୍‌, ପ୍ରସିଦ୍ଧ ଓଡ଼ିଆ ଖାଦ୍ୟର ମଜା ନେବା ପାଇଁ ଫୁଡ୍‌ ଟ୍ରେଲ୍‌ ଓ ଓଡ଼ିଶାର କଳାକୃତି ଓ ସଂସ୍କୃ୍ତି ବିଷୟରେ ଅଭିଜ୍ଞତା ହାସଲ କରିବାକୁ ମ୍ୟୁଜିୟମ୍‌ ଟ୍ରେଲ୍‌ ଆୟୋଜନ କରାଯାଇଥିଲା। ଏଥର ମଧ୍ୟ ଏଭଳି ଯୋଜନା ରହିଛି। ଟେଣ୍ଡର ଡାକି ସଂସ୍ଥା ଚୟନ କରିବା ପାଇଁ ବିଡିଏ ଏକ ଟିମ୍‌ ଗଠନ କରିଛି। ବିଡିଏ ସେକ୍ରେଟାରିଙ୍କ ଅଧ୍ୟକ୍ଷତାରେ ଗଠିତ ଟିମ୍‌ରେ ଫାଇନାନ୍ସ ମେମ୍ବର, ଇଞ୍ଜିନିୟର ମେ‌ମ୍ବର, ପ୍ରଶାସନ, ଇ‌େ‌‌ଷ୍ଟେଟ୍‌ ଓ ଏନ୍‌ଫୋର୍ସମେଣ୍ଟ ଯୁଗ୍ମ କମିସନର ସଦସ୍ୟ ରହିଥିବା ବେଳେ ଅତିରିକ୍ତ ଭୂମି ଅଧିକାରୀ ଆବାହକ ସଦସ୍ୟ ଅଛନ୍ତି। ଭୂ-ଫେଷ୍ଟୋ ପାଇଁ ଠିକା ସଂସ୍ଥା ଚୟନ କରିବାକୁ ଏହି କମିଟିର ବୈଠକ ଖୁବ୍‌ଶୀଘ୍ର ବସିବ।

ପୂର୍ବରୁ ଏହି ବୈଠକ ବସି ଏକାମ୍ର ୱାକ୍‌ସ୍‌ ପରିଚାଳନା କରିବାକୁ ଠିକାସଂସ୍ଥା ପାଇଁ ଟେଣ୍ଡର ଆହ୍ବାନ କରିଛି। ଆବେଦନ ପାଇଁ ଚଳିତ ମାସ ୧୫ ଶେଷ ତାରିଖ ରହିଛି। ଗତବର୍ଷ ନେଚର ଟ୍ରେଲ୍‌ରେ ରାଜଧାନୀ ଉପକଣ୍ଠ ଡେରାସ, ଝୁମୁକା, ନନ୍ଦନକାନନ, ବଟାନିକାଲ୍‌ ଗାର୍ଡେନ୍‌, ଚନ୍ଦକା ଅଭୟାରଣ୍ୟ ଭଳି ଆକର୍ଷଣୀୟ ସ୍ଥାନକୁ ପର୍ଯ୍ୟଟକଙ୍କୁ ନିଆଯାଇଥିଲା। ଫୁଡ୍‌ ଟ୍ରେଲ୍‌ରେ ଓଡ଼ିଆ ନିତିଦିନିଆ ଖାଦ୍ୟ ସହ ବିଭିନ୍ନ ଅଞ୍ଚଳର ପ୍ରସିଦ୍ଧ ଖାଦ୍ୟ ଉପଲବ୍ଧ କରାଯାଇଥିଲା। ବାରିପଦା ମୁଢ଼ି ମାଂସ, ପାହାଳ ରସଗୋଲା, କେନ୍ଦ୍ରାପଡ଼ା ରସାବଳୀ, ନିମାପଡ଼ା ଛେନା ଝିଲ୍ଲୀ, କଟକ ଦହିବରା ଓ ଓଡ଼ିଶାର ଅନ୍ୟାନ୍ୟ ସ୍ପେସାଲ ଥାଳି ସବୁର ସ୍ବାଦ ପର୍ଯ୍ୟଟକ ଗୋଟିଏ ପ୍ଲାଟ୍‌ଫର୍ମରେ ପାଇଥିଲେ।