ଭୁବନେଶ୍ବର : ସମୁଦ୍ରର ଲହଡ଼ି ଶୁଭୁନି। ମାତ୍ର ସମୁଦ୍ର କୂଳରେ ଅଲିଭ୍ ରିଡ୍ଲେଙ୍କ ଭିଡ଼ ଦେଖିବାକୁ ମିଳୁଛି। ବହି ବସ୍ତାନିରୁ ବର୍ଣ୍ଣବୋଧ ଉଭାନ ହୋଇଗଲାଣି। ମାତ୍ର ରାଜଧାନୀ କାନ୍ଥରେ ସଜେଇ ହୋଇଛି ବର୍ଣ୍ଣବୋଧରୁ ‘ଯାଜ୍ଞସେନୀ’ ଯାଏଁ। ସଂଗୀତର ସ୍ବର ଶବ୍ଦ ନାହିଁ, କିନ୍ତୁ ବାଘ ନୃତ୍ୟରେ ଦୁଲୁକୁଛି ମନ। ସତରେ ନୁହେଁ, ବରଂ କାନ୍ଥରେ ଏସବୁ ଦେଖି ତଲ୍ଲୀନ ହେଉଛି ମନ। ରାଜଧାନୀରେ ଏବେ କଥା କହୁଛି କାନ୍ଥ। ହକି ବିଶ୍ବକପ୍ ପାଇଁ ଓଡ଼ିଶା ସୁଯୋଗ ପାଇନି ଯେ, ଭୁବନେଶ୍ବରର ଚେହେରା ବଦଳିଯାଇଛି। ଯା ଆସ ବେଳେ ଯୋଉ କାନ୍ଥରେ ଦିନେ ଲୋକେ ‘ଏକ’ କରିବାକୁ ଅଟକି ଯାଉଥିଲେ, ଏବେ ସେଇ କାନ୍ଥକୁ ଆଖି ପୂରେଇ ଦେଖିବାକୁ ଘଡ଼ିଏ ଅଟକି ଯାଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବିଡିଏ ପକ୍ଷରୁ ସହରର ୧୦ଟି ରୁଟ୍ରେ କାନ୍ଥକୁ ଏହିଭଳି ଚିତ୍ରିତ କରାଯାଉଛି। ଏଜି ଛକରୁ ରାଜଭବନ ଛକ, ରାଜଭବନରୁ ପାୱାରହାଉସ୍ ଛକ, ପାୱାର ହାଉସ୍ ଛକରୁ କଳିଙ୍ଗ ଷ୍ଟାଡିୟମ, ନାଲ୍କୋ ଛକରୁ ସୈନିକ ସ୍କୁଲ୍, ସୈନିକ ସ୍କୁଲ୍ରୁ ଆଚାର୍ଯ୍ୟ ବିହାର, ଏୟାରପୋର୍ଟ ଟ୍ରାଫିକ୍ ଛକରୁ ଶିରିପୁର, ଶିଶୁଭବନରୁ କ୍ୟାପିଟାଲ୍ ହସ୍ପିଟାଲ୍ ଛକ, ଆଚାର୍ଯ୍ୟ ବିହାର, ଉତ୍କଳ ବିଶ୍ବବିଦ୍ୟାଳୟ ସମ୍ମୁଖ, ଗୋପବନ୍ଧୁ ଛକରୁ ଡେଲ୍ଟା ଛକ ପର୍ଯ୍ୟନ୍ତ କାନ୍ଥକୁ ସଜାଯାଉଛି। ୧୦ଟି ଟିମ୍ ବିଭିନ୍ନ ସ୍ଥାନରେ ନିଯୁକ୍ତ ହୋଇଥିବା ବେଳେ ବିକେ ଆର୍ଟ କଲେଜ୍ ଏବଂ ଖଲିକୋଟ୍ ଆର୍ଟ କଲେଜ୍ର ୧୫୦ ଚିତ୍ରଶିଳ୍ପୀ ସାମିଲ୍ ହୋଇଛନ୍ତି। ବର୍ଗଫୁଟ ପିଛା ୫୪ ଟଙ୍କାରେ ୧୦ଟି ଶିଳ୍ପୀ ଗ୍ରୁପ୍କୁ ଟେଣ୍ଡର୍ ଦିଆଯାଇଛି। ୱେଦରକୋର୍ଟ ରଙ୍ଗ ବ୍ୟବହୃତ ହୋଇଥିବାରୁ ୫ ବର୍ଷ ପର୍ଯ୍ୟନ୍ତ ରଙ୍ଗ ଛାଡ଼ିବ ନାହିଁ ବୋଲି ଚିତ୍ରଶିଳ୍ପୀ ପ୍ରିୟରଂଜନ ବରାଳ କହିଛନ୍ତି।
କେନ୍ଦରାରୁ ଓଡ଼ିଶୀ ମୁଦ୍ରା
ଏଜି ଛକରୁ ରାଜଭବନ ଯିବା ବାଟରେ ବାମ ପଟ କାନ୍ଥରେ ଓଡ଼ିଶାର ପାରମ୍ପରିକ ବାଦ୍ୟ ଏବଂ ଓଡ଼ିଶୀ ପାଦ ଛନ୍ଦ ଓ ମୁଦ୍ରାର ମିଶ୍ରିତ ଉପସ୍ଥାପନା କାନ୍ଥକୁ ଏକ ମଞ୍ଚର ରୂପ ଦେଇଛି। ଖୋଳ, ଝାଞ୍ଜ, ଦାସକାଠିଆ, ଖଞ୍ଜଣି, କେନ୍ଦେରା, ତବଲାରୁ ସଂଗୀତର ନିର୍ଝରିଣୀ ବହି ଆସୁଛି। ଓଡ଼ିଶୀ ନୃତ୍ୟରେ ହାତରେ ବିଭିନ୍ନ ମୁଦ୍ରା ସାଙ୍ଗକୁ କମନୀୟ ଅଙ୍ଗଭଙ୍ଗୀ ଏବଂ ଘୁଙ୍ଗୁର ପିନ୍ଧା ପାଦର ଛନ୍ଦ ଚିତ୍ରରେ ନୃତ୍ୟର ଭ୍ରମ ସୃଷ୍ଟି କରୁଛି। ଏଥିସହ ରାଜଭବନ ଛକରୁ ପାୱାର ହାଉସ୍ ଛକ ମଧ୍ୟରେ ନାଗା ନୃତ୍ୟ, ସମ୍ବଲପୁରୀ, ଛଉ, ଯୋଡ଼ିଶଙ୍ଖ ନୃତ୍ୟ ଦୃଶ୍ୟମାନ ହେଉଛି। ପୁଣି ଓଡ଼ିଆ ଘରର ପରମ୍ପରା, ଚିତା, ଆଦିବାସୀ କଳା ମଧ୍ୟ ଶୋଭା ପାଉଛି।
ଅଲିଭ୍ ରିଡ୍ଲେରୁ ଡଲ୍ଫିନ୍
ଏଜି ଛକରୁ ରାଜଭବନ ଆଡ଼କୁ ଯିବା ବାଟରେ କାନ୍ଥରେ ସୃଷ୍ଟି ହୋଇଛି ସମୁଦ୍ର। କେଉଁଠି ଅଲିଭ୍ ରିଡ୍ଲେ ଅଣ୍ଡା ଦେଉଛି ତ କେଉଁଠି ଅଣ୍ଡାରୁ ଫୁଟି ଛୁଆ ବାହାରୁଛି। ପୁଣି ମାଛ, କଙ୍କଡ଼ା, ଅକ୍ଟୋପସ୍ ଭଳି ସାମୁଦ୍ରିକ ଜୀବଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। ସାତପଡ଼ାର ଆକର୍ଷଣ ଡଲ୍ଫିନ୍ ବି କାନ୍ଥରେ ଓଲଟ ଶୂନ୍ୟ ମାରୁଥିବାର ଦୃଶ୍ୟ ଜୀବନ୍ତ ହୋଇଛି। ସେହିପରି ଆଚାର୍ଯ୍ୟ ବିହାରରୁ ସୈନିକ ସ୍କୁଲ୍ ରୁଟ୍ରେ ଯିବା ବେଳେ କୁମ୍ଭୀର, ବାଘ, ସିଂହ ଓ ବିଭିନ୍ନ ପକ୍ଷୀଙ୍କୁ ତୂଳୀରେ ବ୍ୟକ୍ତ କରିଛନ୍ତି ଶିଳ୍ପୀମାନେ। ଶିରିପୁରୁରୁ ଏୟାରପୋର୍ଟ ଛକ ଅଭିମୁଖେ ଯିବା ବାଟରେ ଚନ୍ଦକା ହାତୀ ଅଭୟାରଣ୍ୟକୁ ମଧ୍ୟ ଉପସ୍ଥାପିତ କରାଯାଇଛି।
ଶିଳାପଦ୍ମରୁ ଅମାବାସ୍ୟାର ଚନ୍ଦ୍ର
ଫକୀରମୋହନ ସେନାପତିଙ୍କ ‘ମାମୁ’ରୁ ନେଇ ଗୋବିନ୍ଦ ଦାସଙ୍କ ‘ଅମାବାସ୍ୟାର ଚନ୍ଦ୍ର’। ପ୍ରତିଭା ରାୟଙ୍କ ‘ଶିଳାପଦ୍ମ’ରୁ ନେଇ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ‘ଚଳନ୍ତି ଠାକୁର’। ନାଲ୍କୋ ଛକରୁ ସୈନିକ ସ୍କୁଲ୍ ବାଟ ଦେଇ ଯିବା ବେଳେ ଡାହାଣ ପାର୍ଶ୍ବ କାନ୍ଥରେ ବହି ରୢାକ୍ରେ ଏସବୁ ସଜେଇ ହୋଇ ରହିଥିବାର ଭ୍ରମ ସୃଷ୍ଟି କରିବ। ଏଥିସହ ଓଡ଼ିଆ ଲିପିଠୁ ନେଇ ଯୁକ୍ତାକ୍ଷର ଓ ମିଶାଣ ଫେଡ଼ାଣର ଚିତ୍ର ସ୍କୁଲ୍ରେ କଳାପଟାରେ ଶିକ୍ଷକ ପଢ଼ାଉଥିବା ବେଳର ସ୍ମୃତିକୁ ତାଜା କରୁଛି। ‘ଅ’ରେ ଅରଟଠୁ ନେଇ ‘ଈ’ରେ ଈଶ ଭଳି ପାଠକୁ ଚିତ୍ର ସହ ଉପସ୍ଥାପିତ କରାଯାଇଛି।
କୃଷିରୁ ନାରୀ ସଶକ୍ତୀକରଣ
ଗୋପବନ୍ଧୁ ଛକରେ ନାରୀ ସଶକ୍ତୀକରଣର ଉଦାହରଣକୁ ଉପସ୍ଥାପିତ କରାଯାଇଥିବା ବେଳେ କାଳଜୟୀ ଲେଖିକା, ମହିଳା କ୍ରୀଡ଼ାବିତ୍, ସମାଜସେବୀଙ୍କୁ ସ୍ଥାନିତ କରାଯାଇଛି। ଏଥିସହ ଗୋପବନ୍ଧୁ, ବିଜୁ ପଟ୍ଟନାୟକଙ୍କ ଭଳି ମହାପୁରୁଷଙ୍କୁ କାନ୍ଥରେ ଚିତ୍ରିତ କରି ମହାପୁରୁଷଙ୍କ ପ୍ରତି ଶ୍ରଦ୍ଧା ନିବଦେନ କରାଯାଇଛି। କ୍ୟାପିଟାଲ୍ ହସ୍ପିଟାଲ୍ରୁ ଶିଶୁଭବନ ଛକକୁ ଯିବା ବାଟରେ ବିଭିନ୍ନ ଫୁଲ ଏବଂ ଓୟୁଏଟିରୁ ଏୟାରପୋର୍ଟ ଛକକୁ ଯିବା ବାଟରେ ଓଡ଼ିଶାର କୃଷି ପରମ୍ପରା ଚିତ୍ରିତ ହୋଇଛି। ହକି କ୍ରୀଡ଼ାବିତ୍ ଓ ହକି ଷ୍ଟିକ୍ର ଚିତ୍ର ଚମକ ଭରୁଛି। ଚିତ୍ର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଖୁବ୍ଶୀଘ୍ର ଏହାର ପ୍ରତ୍ୟକ୍ଷ କରିବାକୁ ସୁଯୋଗ ମିଳିବ।