ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଦୋଳଯାତ୍ରା ଚଳିତ ବର୍ଷ କୋଭିଡ୍‌ କଟକଣାରେ ଅନୁଷ୍ଠିତ ହେବ। କିନ୍ତୁ ଠାକୁରଙ୍କ ଦୋଳବେଦି ଯିବା ରାସ୍ତାକୁ ନେଇ ମୁଣ୍ଡ ଟେକିଛି ଅଡ଼ୁଆ। ଉକ୍ତ ରାସ୍ତା‌ରେ ଏକ ପାଚେରି ନିର୍ମାଣ ହୋଇଥିବାରୁ ବିମାନ ଯିବାରେ ସମସ୍ୟା ହେବ ବୋଲି କୁହାଯାଉଛି। ତେଣୁ ତୁରନ୍ତ ଏହି ସମସ୍ୟା ସମାଧାନ କରିବାକୁ ଏକାମ୍ର ମୁରବୀ ମଞ୍ଚ ପକ୍ଷରୁ ଦାବି କରାଯାଇଛି।

Advertisment

ଏଥର କଟକଣା ଯୋଗୁଁ କେବଳ ପାଳିଆ ସେବାୟତଙ୍କୁ ସାମିଲ କରାଯାଇ ଏହି ଯାତ୍ରା ଅନୁଷ୍ଠିତ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଶ୍ରୀଲିଙ୍ଗରାଜ ମହାପ୍ରଭୁ, ମା ପାର୍ବତୀ, ମା ଦୁର୍ଗା, ଶ୍ରୀବସୁଦେବଙ୍କ ସଙ୍ଗେ ଦଶମୀ ତିଥିରୁ ବିଭିନ୍ନ ସ୍ଥାନକୁ ଭୋଗ ଖାଇବାକୁ ଯିବେ। ଦୋଳ ପୂର୍ଣ୍ଣିମା ତିଥିରେ ରଥଖଳାଠାରେ ସର୍ବସାଧାରଣ ଭକ୍ତଙ୍କ ଭୋଗ ଖାଇବେ। ସେଠାରେ ମହାପ୍ରଭୁ ଦୋଳିରେ ଝୁଲୁଥିବା ବେଳେ ଭକ୍ତମାନେ ଫଗୁ ଲାଗି କରିବେ। ବିଶ୍ବନାଥ ମନ୍ଦିର ନିକଟରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ ଓ ମା’ଦୁର୍ଗା ଦୋଳିରେ ଖେଳିବା ବେଳେ ସମ୍ମୁଖସ୍ଥ ଦୋଳବେଦିରେ ଦୋଳଗୋବିନ୍ଦ ଦୋଳି ଖେଳନ୍ତି। ହେଲେ ଏବେ ଦୋଳବେଦିକୁ ଯିବାକୁ ଦେଖା ଦେଇଛି ସମସ୍ୟା। ଦୋଳ ମଣ୍ଡପକୁ ଯିବାକୁ ରାସ୍ତାରେ ଛୋଟ ପାଚେରି ତିଆରି ହୋଇଛି। ଆପଟିଆମାନେ ଠାକୁରଙ୍କୁ ବିମାନରେ ନେବା ବେଳେ ସମସ୍ୟା ହେବ ବୋଲି କହିଛନ୍ତି।

ଏବେ ଅସ୍ଥାୟୀ ଭାବେ ଶୁକଶାରି ମନ୍ଦିରକୁ ଯିବା ରାସ୍ତାରେ ବାଟ ଥିଲେ ମଧ୍ୟ ଏହା ପରମ୍ପରା ବିରୋଧୀ ହେବ। ଶ୍ରୀଲିଙ୍ଗରାଜ ବସିଥିବା ଦୋଳ ସମ୍ମୁଖରେ ହିଁ ଦୋଳବେଦିକୁ ଦୋଳଗୋବିନ୍ଦ ଯିବା ପରମ୍ପରା ରହିଛି ବୋଲି ସେବାୟତମାନେ ପ୍ରକାଶ କରିଛନ୍ତି। ସେଠାରେ ଗଦା ହୋଇଥିବା ବାଲି ସହ ଛୋଟ ପାଚେରି ସମସ୍ୟା ସୃଷ୍ଟି କରିବ। ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ବିଏମ୍‌ସି ଡେପୁଟି କମିସନର ଅବନୀକାନ୍ଥ ପଟ୍ଟନାୟକ କହିଛନ୍ତି।