ବାଲିଅନ୍ତା: ଆସନ୍ତା ଖରିଫ୍ ଋତୁରେ ବାଲିଅନ୍ତା ବ୍ଲକ ଅଞ୍ଚଳରେ ମୋଟ ୯ ହଜାର ୯୦ ହେକ୍ଟରର ଉଭୟ ଢିପ ଓ ଖାଲ ଜମିରେ ଧାନ ଚାଷ କରାଯିବା ପାଇଁ ବ୍ଲକ କୃଷି ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ହେଲେ ଏଯାଏ ଚାଷୀମାନଙ୍କ ଆବଶ୍ୟକତା ଅନୁସାରେ ବିଭିନ୍ନ କିସମର ଧାନ ବିହନ ନିଗମ ପକ୍ଷରୁ ଯୋଗାଇ ଦିଆଯାଇ ପାରିନାହିଁ। କୃଷି ସମବାୟ ସମିତି ଓ ଘରୋଇ ବିହନ ଯୋଗାଣ ଏଜେନ୍ସିକୁ ବର୍ତମାନ ସୁଦ୍ଧା ଯେତିକି ପରିମାଣର ଧାନବିହନ ଯୋଗାଇ ଦିଆଯାଇଛି, ସେତିକି ଚାଷୀଙ୍କ ଚାହିଦା ପୂରଣ କରିବାକୁ ଯଥେଷ୍ଟ ନୁହେଁ। ଏସବୁ ବିହନ ବିକ୍ରୟ କେନ୍ଦ୍ରରେ ମାତ୍ର ଦୁଇଟି କିସମର ବିହନ ମିଳୁଛି। ଯାହାଫଳରେ ଉଦ୍ଦିଷ୍ଟ ବିକ୍ରୟ କେନ୍ଦ୍ରରୁ ଚାଷୀମାନେ ଦରକାର ପଡ଼ୁଥିବା ଧାନ ବିହନ ନପାଇ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳୁଛି। ଏନେଇ ବାଲିଅନ୍ତା ବ୍ଲକ ଅଞ୍ଚଳର ଚାଷୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ବାଳକାଟିସ୍ଥିତ କୃଷି କାର୍ଯ୍ୟାଳୟର ସହକାରୀ କୃଷି ଅଧିକାରୀ ନକ୍ଷତ୍ର ମୋହନ ରାଉଳଙ୍କ ସୂଚନା ମୁତାବକ, ୨୦୦୦ କୁଇଣ୍ଟାଲ ବିହନ ଆବଶ୍ୟକ ହେଉଥିବା ବେଳେ ନିଗମ ପକ୍ଷରୁ ମାତ୍ର ୩୦୦ ରୁ ୪୦୦ କୁଇଣ୍ଟାଲ ଧାନ ବିହନ ଯୋଗାଇ ଦିଆଯାଇଛି। ବାଲିଅନ୍ତା ବ୍ଲକରେ ଥିବା ୧୨ଟି କୃଷି ସମବାୟ ସମିତି ସହିତ ଅନ୍ୟ ୪ଟି ଘରୋଇ ଏଜେନ୍ସିରେ କେବଳ ଦୁଇଟି କିସମର ପୂଜା ଓ ସ୍ୱର୍ଣ୍ଣ ସବ୍ ଓ୍ଵାନ୍ ଧାନ ବିହନ ମିଳିଛି। କେତେକ ବିହନ ବିକ୍ରୟ କେନ୍ଦ୍ରକୁ ଆଦୌ ଧାନ ବିହନ ଯୋଗାଇ ଦିଆଯାଇନାହିଁ। ଅନ୍ୟ କେତେକ କେନ୍ଦ୍ରରେ ୨୦ କିଗ୍ରା ପ୍ୟାକେଟ୍ ପିଛା ସରକାରୀ ରେଟ୍ ୩୨୦ ପରିବର୍ତେ ୪୦୦ ଟଙ୍କା ଦେଇ ବିହନ କିଣିଥିବା ନେଇ କେତେଜଣ ଚାଷୀ ଅଭିଯୋଗ କରିଛନ୍ତି। ୧୦୦୯, ୧୦୧୪, ଶାରଳା, ପ୍ରତୀକ୍ଷା ଭଳି ଅଧିକ ଅମଳକ୍ଷମ କିସମର ଧାନ ବିହନ ଯୋଗାଣ ବି ସମ୍ଭବ ହୋଇପାରିନି। ଉପଯୁକ୍ତ ବିହନ ମିଳୁ ନଥିବାରୁ ଚାଷୀ ତଳି ପକାଇ ପାରୁନାହାନ୍ତି। ଭିଙ୍ଗାରପୁର ସ୍ଥିତ ସହକାରୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଅଧିକାଂଶ ସମୟରେ ତାଲା ଝୁଲୁଛି। ଅନ୍ୟପକ୍ଷରେ କାଳବୈଶାଖୀ ବର୍ଷା ଚାଷୀଙ୍କ ପାଇଁ ବେଡ଼ି ଉପରେ କରଡ଼ା ମାଡ଼ ସଦୃଶ ହୋଇଛି। ବିଲରେ ପଡ଼ିଥିବା ମୁଗ ଓ ବିରି ଫସଲ ପ୍ରାୟ ନଷ୍ଟ ହୋଇଯାଇଛି। ଏଭଳି ସ୍ଥିତିରେ ବିହନ ଯୋଗାଣରେ ଅବ୍ୟବସ୍ଥା ଖରିଫ ଧାନ ଫସଲ ପାଇଁ ପ୍ରସ୍ତୁତି ଚଳାଇଥିବା ଚାଷୀଙ୍କ ସମସ୍ୟା ଆହୁରି ବଢ଼ାଇ ଦେଇଛି। ତେବେ ନିର୍ଦ୍ଧାରିତ ପରିମାଣର ବିହନ ଯୋଗାଇ ଦେବା ଦିଗରେ ନିଗମ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଚାଷୀମାନଙ୍କ ତରଫରୁ ଦାବି ହେଉଛି।
ଦରକାର ୨୦୦୦, ମିଳିଛି ୩୦୦ କୁଇଣ୍ଟାଲ୍
ଧାନ ବିହନ ଯୋଗାଣରେ ବିଳମ୍ବ
/sambad/media/post_attachments/wp-content/uploads/2018/05/rice.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)