ଦୁଇ ଦଶନ୍ଧିରୁ ଅଧିକ ସମୟର ଚଳଚ୍ଚିତ୍ର ଯାତ୍ରା। ୧୦୦ରୁ ଅଧିକ ଚଳଚ୍ଚିତ୍ରରେ ହାସ୍ୟାଭିନୟ। ପୁଣି କିଛି କିଛି ଚଳଚ୍ଚିତ୍ରରେ ଆଖି ଓଦା କରିଦେବା ଭଳି ଭୂମିକା। ଦର୍ଶକଙ୍କୁ ହସିହସାଇ ବେଦମ୍‌ କରି ସିଧା ସେମାନଙ୍କ ହୃଦୟରେ ଜାଗା ସୃଷ୍ଟି କରିଛନ୍ତି ବରିଷ୍ଠ ହାସ୍ୟାଭିନେତା ହରି ମହାପାତ୍ର। ଜଣେ ହାସ୍ୟାଭିନେତା ଭାବେ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ପ୍ରବେଶ କରିଥିବା ହରି କିନ୍ତୁ କେବଳ ହାସ୍ୟାଭିନୟରେ ସନ୍ତୁଷ୍ଟ ନୁହନ୍ତି। ସେ ଚାହିଛନ୍ତି ସର୍ବଗୁଣସମ୍ପନ୍ନ ହେବାକୁ। ଜଣେ ଅଭିନେତା ହେବାକୁ ସେ ଆହ୍ବାନ ପରେ ଆହ୍ବାନ ନେଇ ଚାଲିଛନ୍ତି। ନିକଟରେ ଜଣେ ଅଟିଜିମ୍‌ ପିଲା ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଛନ୍ତି। ଆଜି ତାଙ୍କର ସେଇ ସଫଳ ଯାତ୍ରାରେ ତାଙ୍କ ସହ ଆମର ସାକ୍ଷାତକାର....

Advertisment

ହାସ୍ୟରସ ଚଳଚ୍ଚିତ୍ରର ଆଉ ଏକ ଅଂଶ ନୁହେଁ, ହାସ୍ୟରସକୁ ନେଇ ଏବେ ସମ୍ପୂର୍ଣ୍ଣ ଚଳଚ୍ଚିତ୍ର ନିର୍ମିତ ହେଉଛି। ଏହାକୁ ନେଇ ଆପଣ କ’ଣ କହିବେ?
ବିଶିଷ୍ଟ ହାସ୍ୟାଭିନେତା ଜୟୀ ଓ ମାମିନାଙ୍କ ସମୟରେ ଓଡ଼ିଆ ଦର୍ଶକଙ୍କ ମଧ୍ୟରେ ହାସ୍ୟାଭିନୟର ଲୋକପ୍ରିୟତା ବଢ଼ିଥିଲା। ସେ‌ ସମୟରେ ଚଳଚ୍ଚିତ୍ରର ଗମ୍ଭୀରତାରେ ଦର୍ଶକଙ୍କୁ ଟିକେ ହାଲୁକା କରିବାକୁ ମଝିରେ ମଝିରେ ହାସ୍ୟରସର ଛୁଙ୍କ ଦିଆଯାଉଥିଲା। କିନ୍ତୁ ଧୀରେଧୀରେ ସମୟ ସହ ଦର୍ଶକଙ୍କ ରୁଚି ବଦଳିଲା। ହାସ୍ୟରସ ମଣିଷ ଜୀବନର ଅତ୍ୟନ୍ତ ଜରୁରୀ ଅଂଶ ହୋଇଗଲା। ମଣିଷର ଚାପଗ୍ରସ୍ତ ଜୀବନରେ ହାସ୍ୟରସ ମହୌଷଧି ପାଲଟିଗଲା। ଏଣୁ ଏବେ ପୂରା ଚଳଚ୍ଚିତ୍ର ହାସ୍ୟରସ ଉପରେ ଆଧାରିତ। ଓଡ଼ିଆ ଦର୍ଶକଙ୍କ ମଧ୍ୟରେ କମେଡି ଚଳଚ୍ଚିତ୍ରର ସ୍ବତନ୍ତ୍ର ଚାହିଦା ଏବେ ରହିଛି।

ଏବେ କମେଡି ନାଁରେ ଅଶ୍ଲୀଳତା ବଢ଼ିଚାଲିଛି। ଜଣେ ବରିଷ୍ଠ ହାସ୍ୟାଭିନେତା ଭାବେ ଏହାକୁ ନେଇ କ’ଣ ପ୍ରତିକ୍ରିୟା ଆସେ?
ପ୍ରେମରସ ହେଉ ବା ବିରହରସ ଓ ହାସ୍ୟରସ; କଳାର ଯେକୌଣସି ରୂପକୁ ପରିବାର ସମସ୍ତେ ମିଶି ଉପଭୋଗ କରିପାରିଲେ, କଳା ସାଧନା ସାର୍ଥକ ହୁଏ। ଆମୋଦପ୍ରମୋଦ କେବେ ବି ଗୋଟିଏ ବର୍ଗର ଲୋକଙ୍କ ପାଖରେ ସୀମିତ ହେବା ଉଚିତ ନୁହେଁ। ବହୁ ଆଞ୍ଚଳିକ ଭାଷାରେ ଅଶ୍ଲୀଳ କମେଡି ହେଉଛି, ତାହା ଦେଖାଦେଖି ଓଡ଼ିଶାରେ ମଧ୍ୟ ଅଶ୍ଲୀଳ କମେଡି ଛାଇ ଗଲାଣି। ଏହା ଖୁବ୍‌ଶୀଘ୍ର ବନ୍ଦ ହୋଇଯିବ। କାରଣ କିଛି କଥାର ପୂର୍ଣ୍ଣତା ଆସିଗଲେ ଏହା ଆପେ ନିଜ ଅସ୍ତିତ୍ବ ହରାଏ। ପରେ ଏକ ନୂଆ ଆରମ୍ଭ ହୁଏ।

ଲଗାତାର ଚଳଚ୍ଚିତ୍ର ହଲ୍‌ ପରିବର୍ତ୍ତେ ଟିଭିରେ ମୁକ୍ତିଲାଭ କରୁଛି। ଚଳଚ୍ଚିତ୍ର ଓ କଳାକାରଙ୍କ ମର୍ଯ୍ୟାଦା କ୍ଷୁଣ୍ଣ ହେଉଛି କି?
ହଁ ନିଶ୍ଚିତ ଭାବେ ହେଉଛି। ପୂର୍ବରୁ ଦେଢ଼, ଦୁଇ କୋଟିର ଓଡ଼ିଆ ସିନେମା ଲୋକ ଦେଖୁଥିଲେ। କିନ୍ତୁ କରୋନା ଓ ବିଭିନ୍ନ କାରଣ ଯୋଗୁଁ ଏହାର ବଜେଟ୍‌ ବହୁତ କମିଯାଇଛି। ବଜେଟ ଅଭାବ ବାହାନାରେ ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ଏବେ ଟିଭି ପରଦାରେ ଚଳଚ୍ଚିତ୍ର ମୁକ୍ତିଲାଭ କରାଉଛନ୍ତି। ଫଳରେ ଆମେ କଳାକାରମାନେ ନିଜ ପେଟପାଟଣା ପାଇଁ ଏଥିରେ କାମ କରିବା ପାଇଁ ବାଧ୍ୟ ହେଉଛୁ। ସିନେମାକୁ ହଲ୍‌ରେ ଦେଖିଲେ ଯେଉଁ ଆନନ୍ଦ ମିଳେ, ଓଡ଼ିଆ ଦର୍ଶକ ସେଥିରୁ ବଞ୍ଚିତ ହେଉଛନ୍ତି। ଆମେ ବି ବଡ଼ ପରଦାରେ ଆସିବା ସ୍ବପ୍ନ ଭଳି ଲାଗୁଛି। ତଥାପି ଓଡ଼ିଆ ଚଳଚ୍ଚିତ୍ରକୁ ବଞ୍ଚାଇ ରଖିବାର ଯାତ୍ରା ଜାରି ରହିଛି।

ହରି ନିଜକୁ ଅଭିନେତା ନା ହାସ୍ୟାଭିନେତାର ପରିଚୟ ଦେବାକୁ ଚାହାନ୍ତି?
ଜଣେ ଅଭିନେତା ସର୍ବଗୁଣସମ୍ପନ୍ନ। ସେ ନାୟକ, ଖଳନାୟକ ଓ ହାସ୍ୟାଭିନେତା ସବୁ ହୋଇପାରେ। ଏଣୁ ନିଜକୁ ମୁଁ ସବୁବେଳେ ଅଭିନେତା ଭାବେ ଦେଖିବାକୁ ଚାହେଁ।
୧୫ ବର୍ଷ ତଳେ ରଜକୁ ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କଲେ, ସବୁ ସୋ’ ହାଉସ୍‌ଫୁଲ୍‌ ଓ ଟିକେଟ କଳାବଜାରୀ ସୀମା ଟପୁଥିଲା। କିନ୍ତୁ ଏବେ ଓଡ଼ିଆ‌ ଚଳଚ୍ଚିତ୍ରର ସେଇ କ୍ରେଜ୍‌ ନାହିଁ। କାରଣ କ’ଣ ହୋଇପାରେ?
ପ୍ରଯୋଜକ, ନିର୍ଦ୍ଦେଶକ ଗୋଟିଏ ଚଳଚ୍ଚିତ୍ରର ବାପାମା’। ସେମାନେ ଆଉ ପରିଶ୍ରମ, ଅଧ୍ୟବ୍ୟସାୟ, ଗବେଷଣା ଓ ପରୀକ୍ଷାନିରୀକ୍ଷା ଆଦି କରିବାକୁ ଚାହିଲେନାହିଁ। ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ନକଲ ଆରମ୍ଭ ହୋଇଗଲା। ପ୍ରଥମେ ପ୍ରଥମେ ତାହା ଦର୍ଶକଙ୍କ ମଧ୍ୟରେ ଗ୍ରହଣୀୟ ହେଲା। ଭଲ ଚାଲୁଛି ଭାବି ଆଉ ନିଜର କିଛି ନିଚ୍ଛକ ସିନେମା ନିର୍ମିତ ହେଲା ନାହିଁ। ଫଳରେ ୧୫/୨୦ ବର୍ଷ ତଳେ ଆମ ପୂର୍ବଜମାନେ ପୋତିଥିବା ବିଷବୃକ୍ଷର ଫଳ ଆମକୁ ‌ମିଳୁଛି। ‌ଏବେ ଓଡ଼ିଆ ସିନେମା ନେଉଁ ନକଲର ବୁଢ଼ିଆଣି ଜାଲରେ ଛନ୍ଦି ହୋଇଛି, ସେଥିରୁ ବାହାରି ପାରୁନାହିଁ। ନକଲ ସିନେମା ବନ୍ଦ କରିବା ପାଇଁ ସାଧାରଣ ଦର୍ଶକ ଏବେ ପ୍ରତିବାଦ ଆରମ୍ଭ କଲେଣି।

ଚଳଚ୍ଚିତ୍ର ଉନ୍ନୟନ ନିଗମ ଓ ରାଜ୍ୟ ସରକାର ଓଡ଼ିଆ ଚଳଚ୍ଚିତ୍ର ଜଗତର ଉତ୍‌ଥାନ୍‌ ପାଇଁ କ’ଣ କରିପାରିବେ?
ସରକାର ଗରିବି ହଟାଓ ଅଭିଯାନ ଆରମ୍ଭ କରୁଛନ୍ତି, ସଫଳ ବି ହେଉଛନ୍ତି। ରାସ୍ତା, ଡ୍ରେନ୍‌, ପାଣି, ବିଦ୍ୟୁତ... ଏସବୁ ପ୍ରସଙ୍ଗରେ ସରକାର ସମ୍ବେଦନଶୀଳ। ତେବେ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ କାହିଁକି ନୁହେଁ। ଯେମିତି ସାହିତ୍ୟ ଓ ଖବରକାଗଜ ମଲେ ଭାଷା ମରିଯିବ। ଠିକ୍‌ ସେମିତି ଆଞ୍ଚଳିକ ଚଳଚ୍ଚିତ୍ର ବି ନିଜ ମାତୃଭାଷାର ପ୍ରଚାରକ। ଏହା ତଳିତଳାନ୍ତ ହୋଇଗଲେ, ଭାଷାର ଗୋଟିଏ ଭାଗ ଉଜୁଡ଼ିଯିବ ନାହିଁ କି? ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ପ୍ରତି ବ୍ଲକ୍‌ରେ ୨/୩ଟି ଲେଖ‌ାଏଁ ହଲ୍‌ ରହିଛି। ଏଣୁ ରାଜ୍ୟ ସରକାର ଅତି କମ୍‌ରେ ଓଡ଼ିଶାର ପ୍ରତି ବ୍ଲକ୍‌ରେ ଗୋଟିଏ ଲେଖାଏଁ ହଲ୍‌ ନିର୍ମାଣ କରନ୍ତୁ। ପାଖରେ ହଲ୍‌ଟିଏ ଥିଲେ ଦର୍ଶକ ସଂଖ୍ୟା ବି ବଢ଼ିବ। ସେହିଭଳି ଫିଲ୍ମ ପଲିସିର କାର୍ଯ୍ୟକାରିତା ନେଇ ତତ୍ପରତା ପ୍ରକାଶ, ଚଳଚ୍ଚିତ୍ର ଷ୍ଟୁଡିଓ ବା ନିର୍ମାଣ ପାଇଁ ଜମି ପ୍ରଦାନ, ବିଦ୍ୟୁତ ସବ୍‌ସିଡି ପ୍ରଦାନ, ଚଳଚ୍ଚିତ୍ର କର ହ୍ରାସ ଆଦି କଲେ ଚଳଚ୍ଚିତ୍ର ଜଗତ ପାଇଁ ତାହା ପ୍ରୋତ୍ସାହନ ସ୍ବରୂପ ହେବ।

କଟକ, ଭୁବନେଶ୍ବର ପାଇଁ କ’ଣ ସ୍ବପ୍ନ ରହିଛି?
କଟକ ହଜାର ବର୍ଷର ସହର। ଏଣୁ ଏହାର ଉଚିତ ସମ୍ମାନ ଦେଖାଇ ଏହାର ବିକାଶ ହେବା ଉଚିତ। ଭୁବନେଶ୍ବର ଧୀରେଧୀରେ ସାଂସ୍କୃତିକ ସହରର ରୂପ ନେଉଛି। କିନ୍ତୁ ଏଠାରେ ପ୍ରେକ୍ଷାଳୟର ଅଭାବ। ସେ ଦିଗରେ ସରକାର ଅଧିକ ଉଦ୍ୟମ କରିବା ଉଚିତ।