ୱାର୍ଡ: ୧: ଘରକୁ ଘର ବୁଲିଲେ ବିଜେଡି ପ୍ରାର୍ଥୀ

ଚନ୍ଦ୍ରଶେଖରପୁର: ବିଏମ୍‌ସି ୧ ନମ୍ବର ୱାର୍ଡରେ ପ୍ରଚାରକୁ ଜୋରଦାର କରିଛନ୍ତି ବିଜେଡି ପ୍ରାର୍ଥୀ ମିହିର କୁମାର ରାଉତ। ତିନି ଦିନ ହେଲା ୱାର୍ଡର ବିଭିନ୍ନ ବର୍ଗ ଲୋକଙ୍କୁ ଭେଟି ଭୋଟ ଭିକ୍ଷା କରିଛନ୍ତି। ଯୁବ ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ୱାର୍ଡର ବିଭିନ୍ନ କ୍ଲବ ବୁଲିବା ସହ ବିକାଶ ପାଇଁ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି।

ପ୍ରଶାନ୍ତିବିହାର, ପ୍ରଶାନ୍ତିବିହାର ହାଉସିଂବୋର୍ଡ ଅଞ୍ଚଳ, ଚିରଗୋଲଟୋଲା ବସ୍ତି, ଇନ୍‌ଫୋସିଟି ଅଞ୍ଚଳ, କିଟ୍ ହଷ୍ଟେଲ, ୱେଷ୍ଟର୍ଣ୍ଣ ଆପାର୍ଟମେଣ୍ଟ, ଆର୍ଯ୍ୟପଲ୍ଲୀ, ମାରୁତିବିହାର, ଆଦର୍ଶବିହାର, ଶିଖରଚଣ୍ଡୀ କ୍ଲଷ୍ଟର୍‌-୧, ୨, ପଟିଆ ବିଗ୍‌ବଜାର, ତ୍ରିଷ୍ଣା ଏନ୍‌କ୍ଲେଭ୍‌ରେ ବୈଠକ କରିଛନ୍ତି। ଶ୍ରୀ ରାଉତ ଆଜି ମାରୁତିବିହାରରେ ଘରକୁ ଘର ବୁଲି ପ୍ରଚାର କରିଛନ୍ତି। ରାତିରେ ୱାର୍ଡର ବିଭିନ୍ନ କଲୋନି ଓ ବସ୍ତିରେ ମହିଳାମାନଙ୍କୁ ଏକାଠି କରି ବିକାଶକୁ ଆଗକୁ ନେବାକୁ ସମସ୍ତେ ଆଗେଇ ଆସିବାକୁ ଅନୁରୋଧ କରିଥିଲେ।

ୱାର୍ଡ ନଂ.୨୭ରେ କଂଗ୍ରେସର ମାରାଥନ୍ ପ୍ରଚାର

ଭୁବନେଶ୍ବର: ୨୭ ନମ୍ବର ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ଅନିଲ କୁମାର ଦାସ(ଟୁଟୁ) ମାରାଥନ୍ ପ୍ରଚାର କରିଛନ୍ତି। ଆଜି ନିଜ ସମର୍ଥକ ଓ ଦଳୀୟ ନେତାଙ୍କ ସହ ଏନ୍-୬ ଅଞ୍ଚଳରେ ଘରକୁ ଘର ବୁଲି ପ୍ରଚାର କରିଥିଲେ। ସେହି ୱାର୍ଡରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରିବା ସହ ସେସବୁର ସମାଧାନ ପାଇଁ ଉଦ୍ୟମ କରିବେ ବୋଲି ଶ୍ରୀ ଦାସ ପ୍ରତିଶ୍ରୁତି ଦେଇଥିଲେ। ଭୁବନେଶ୍ବର ସହରର ବିକାଶ ପାଇଁ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ସେ ଲୋକମାନଙ୍କୁ ବୁଝାଇଥିଲେ। ଶ୍ରୀ ଦାସଙ୍କ ସହ ଭୁବନେଶ୍ବର ବ୍ଲକ୍ କଂଗ୍ରେସ ସଭାପତି ଅଶୋକ ଦାସ, ମହିଳା କଂଗ୍ରେସ ନେତ୍ରୀ ପ୍ରଭାବତୀ ନାଏକ, ଗୀତାଞ୍ଜଳି ମହାନ୍ତି ଓ ପ୍ରଭାବତୀ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ।

ୱାର୍ଡ: ୪୧ରେ ସିପିଆଇ ପ୍ରାର୍ଥିନୀଙ୍କ ପଦଯାତ୍ରା

ଭୁବନେଶ୍ବର: ଏଥର ବିଏମ୍‌ସି ନିର୍ବାଚନରେ ସିପିଆଇ ଦୁଇଟି ୱାର୍ଡରେ ପ୍ରାର୍ଥୀ ଦେଇଛି। ଆଜି ୪୧ ନମ୍ବର ୱାର୍ଡରେ ଦଳର ପ୍ରାର୍ଥିନୀ ମିନତି ବେହେରା ଜୋର୍‌ଦାର ପ୍ରଚାର କରିଛନ୍ତି। ମିନତିଙ୍କ ସମର୍ଥନରେ ବହୁ ମହିଳା ଓ ସ୍ଥାନୀୟ ଲୋକ ଅଶୋକନଗର ଅଞ୍ଚଳରେ ପଦଯାତ୍ରା କରିଥିଲେ। ସିପିଆଇର ରାଜ୍ୟ କାର୍ଯ୍ୟାଳୟ ଭଗବତୀ ଭବନରୁ ପଦଯାତ୍ରା ବାହାରି ଅଶୋକନଗରର ଗଳିକନ୍ଦି ପରିକ୍ରମା କରିଥିଲା। ସ୍ଥାନୀୟ ସମସ୍ୟାର ସମାଧାନ ନିମନ୍ତେ କମ୍ୟୁନିଷ୍ଟ ପାର୍ଟି ନିରବଚ୍ଛିନ୍ନ ଆନ୍ଦୋଳନ ଜାରି ରଖିଛି।

ଆଗକୁ ଏସବୁର ସ୍ଥାୟୀ ସମାଧାନ ପାଇଁ ଉଦ୍ୟମ କରିବେ ବୋଲି ମିନତି ବେହେରା ପ୍ରତିଶ୍ରୁତି ଦେଇଥିଲେ। ପଦଯାତ୍ରାରେ ସିପିଆଇ ଜୋନ୍ ସମ୍ପାଦକ ସୁର ଜେନା, ସହ ସମ୍ପାଦକ କୈଳାସ ପୁହାଣ, ଜିଲ୍ଲା ସହ ସମ୍ପାଦକ ସତୀଶ ମିଶ୍ର, ଶ୍ରମିକ ନେତା ବିଜୟ ଜେନା ଓ ଅଶୋକ ସାହୁଙ୍କ ସମେତ ସ୍ଥାନୀୟ ବସ୍ତିବାସିନ୍ଦା, ଉଠା ଦୋକାନୀ ସାମିଲ ହୋଇଥିଲେ। ଜୟନ୍ତୀ ବେହେରା, ଶୈଳ ବେହେରା, ଲୋକନାଥ ଭୋଇ, ଶରତ ସ୍ବାଇଁ, ସୁଷମା ଭୋଇ, ଛେତମ୍ବର ଭୋଇ ଓ ଦେବ ସାହୁ ଶୋଭାଯାତ୍ରାର ନେତୃତ୍ବ ନେଇଥିଲେ।

 

ସମ୍ବନ୍ଧିତ ଖବର