ୱାର୍ଡ ପରିସୀମା: ନୀଳାଦ୍ରିବିହାର ସେକ୍ଟର-୩ ଓ ୫, ବୁଦ୍ଧ ପାର୍କ ଅଞ୍ଚଳ, ଜିଏ ପ୍ଲଟ, ଲୁମ୍ବିନୀ ବିହାର, ନୀଳାଦ୍ରିବିହାର ବସ୍ତି ଅଞ୍ଚଳ। ଭୋଟର୍: ୯୭୮୩- (ପୁରୁଷ: ୫୧୬୬, ମହିଳା: ୪୬୧୨, ତୃତୀୟ ଲିଙ୍ଗ: ୫)
ଚନ୍ଦ୍ରଶେଖରପୁର: ରାଜଧାନୀର ବିକଶିତ ଅଞ୍ଚଳ ୱାର୍ଡ ନମ୍ବର ୧୪। ଏହି ଅଞ୍ଚଳରେ ବହୁ ସଂଖ୍ୟାରେ ପ୍ରବାସୀ ଭାରତୀୟ ବା ଏନ୍ଆରଆଇ ଘର କରିଥିବାରୁ ରାଜଧାନୀର ଏକ ସମ୍ଭ୍ରାନ୍ତ ଅଞ୍ଚଳର ଆଖ୍ୟା ପାଇଛି। ମାତ୍ର ସମୟ ବଦଳିବା ସହ ଏସବୁ ଅଞ୍ଚଳରେ ମୌଳିକ ସମସ୍ୟା ବି ବଢ଼ିବାରେ ଲାଗିଛି।
ସ୍ବେରେଜ୍, ଡ୍ରେନେଜ୍, ଆଲୋକୀକରଣ ଭଳି ସମସ୍ୟା ଏବେ ବି ରହିଛି। ରାସ୍ତାଘାଟ ମରାମତି ହୋଇଛି ସତ। କିନ୍ତୁ ଏମିତି କିଛି ଜାଗା ରହିଛି, ଯେଉଁଠି ରାସ୍ତାଘାଟ, ପରିମଳ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ୱାର୍ଡ ନିକଟରେ ଥିଲେ ମଧ୍ୟ ପ୍ରସବ ପାଇଁ ବ୍ୟବସ୍ଥା ନଥିବାରୁ ଲୋକଙ୍କୁ କ୍ୟାପିଟାଲ ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡ଼ୁଛି। ଆଜି ପର୍ଯ୍ୟନ୍ତ ଅଞ୍ଚଳର ବହୁ ସ୍ଥାନରେ ଆଲୋକୀକରଣ ହୋଇପାରିନାହିଁ। ‘ମୋ ବସ୍’ ସେବା ଅଧାପନ୍ତରିଆ। ଜୟଦେବ ବିହାରରୁ ନୀଳାଦ୍ରିବିହାର ଦେଇ ଡମଣା ଆଡ଼କୁ ମୋ ବସ୍ ଯାଉଥିଲେ ମଧ୍ୟ ସେହି ରାସ୍ତା ଦେଇ ଫେରୁନାହିଁ।
ଏଥିଯୋଗୁଁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। ଜୟଦେବ ବିହାର-ନନ୍ଦନକାନନ ବାମପାର୍ଶ୍ବ ସମାନ୍ତରାଳ ୨୦୦ ଫୁଟିଆ ରାସ୍ତାରେ ଦିନକୁ ଦିନ ଟ୍ରାଫିକ୍ ସମସ୍ୟା ବଢ଼ି ଚାଲିଛି। ରାତିଅଧିଆ ଉଠାଦୋକାନ ଗଢ଼ି ଉଠିବା ଏବଂ ଜବରଦଖଲ ଏଥର ପ୍ରମୁଖ ନିର୍ବାଚନର ପ୍ରମୁଖ ପ୍ରସଙ୍ଗ ପାଲଟିବାକୁ ଯାଉଛି।
ରାଜନୈତିକ ଦୃଷ୍ଟିକୋଣରୁ ୨୦୦୯ରେ ସ୍ବାଧୀନ ପ୍ରାର୍ଥୀ ସ୍ବର୍ଗତ ରଞ୍ଜନ ଜେନା ଏଠାରୁ ଜିତିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବିଜେଡିରେ ମିଶିଥିଲେ। ୨୦୧୪ରେ ଅନୁସୂଚିତ ଜାତିଙ୍କ ଲାଗି ୱାର୍ଡ ସଂରକ୍ଷିତ ହେବା ପରେ ଦେବୀପ୍ରସାଦ ମଲ୍ଲିକ ବିଜେଡି ପ୍ରାର୍ଥୀ ହୋଇ ବାଜି ମାରିଥିଲେ। ଏଥର ମହିଳାଙ୍କ ଲାଗି ୱାର୍ଡଟି ସଂରକ୍ଷଣ ରହିଥିବାରୁ ବିଜେଡିରୁ ପ୍ରାର୍ଥୀ ହେବାକୁ ଅନେକ ଆଶାୟୀ ବାହାରିଛନ୍ତି। ଗତଥରର କର୍ପୋରେଟର୍ ଶ୍ରୀ ମଲ୍ଲିକଙ୍କ ପତ୍ନୀ ସନ୍ଧ୍ୟାରାଣୀ ମଲ୍ଲିକ, ଦ୍ବିତୀୟ ସ୍ଥାନରେ ଥିବା କାଳୀଚରଣ ସିଂଙ୍କ ପତ୍ନୀ ମୀନାରାଣୀ ସିଂ, ବସ୍ତିନେତା ସୁରେନ୍ଦ୍ର ସ୍ବାଇଁଙ୍କ ପତ୍ନୀ ଡଲିଲତା ସ୍ବାଇଁ, ସ୍ବର୍ଗତ ରଞ୍ଜନ ଜେନାଙ୍କ ପତ୍ନୀ ରଶ୍ମିରେଖା ଜେନା, ଇତିଶ୍ରୀ ଜେନା ପ୍ରମୁଖ ଦୌଡ଼ରେ ରହିଛନ୍ତି। ୮ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର୍ ମୋନାଲିସା ସାହୁ ମଧ୍ୟ ଏହି ୱାର୍ଡରୁ ବିଜେଡି ଟିକେଟ୍ ପାଇଁ ଆଶାୟୀ ଅଛନ୍ତି। ବିଜେପିରୁ ଆରତି ନାୟକଙ୍କ ନାଁ ଏବେ ଚର୍ଚ୍ଚାକୁ ଆସୁଛି। କିନ୍ତୁ କଂଗ୍ରେସରୁ ଏପର୍ଯ୍ୟନ୍ତ ସେଭଳି କୌଣସି ଆଶାୟୀ ସାମ୍ନାକୁ ଆସିନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/16.jpg)