ଖଣ୍ଡଗିରି: ଏକଦା ବିଜେପି ଦଖଲରେ ଥିଲା ବିଏମ୍ସି ୱାର୍ଡ ନମ୍ବର ୨୪। ୨୦୦୩ରେ ସ୍ବାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିବା ପ୍ରତାପ ଚନ୍ଦ୍ର ସାହୁ ୨୦୦୮ରେ ବିଜେପି ପ୍ରାର୍ଥୀ ହୋଇ ପୁଣି ବିଜୟୀ ହୋଇଥିଲେ। କିନ୍ତୁ ପରେ ସେ ବିଜେପି ଛାଡ଼ି ବିଜେଡିରେ ମିଶିଗଲେ। ୨୦୧୪ରେ ଏହି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ହେବାରୁ ପ୍ରତାପଙ୍କ ସ୍ତ୍ରୀ ହରପ୍ରିୟା ବିଜେଡିରୁ ପ୍ରାର୍ଥୀ ହେଲେ ଓ ବିଜୟୀ ହେଲେ।
ଏଥର ଏହି ୱାର୍ଡ ଅଣସଂରକ୍ଷିତ ରହିଛି। ତେଣୁ ପୁଣି ପ୍ରତାପ ବିଜେଡିରୁ ପ୍ରାର୍ଥୀ ହେବାକୁ ଆଶା ବାନ୍ଧିଛନ୍ତି। ଏଠାରେ କଂଗ୍ରେସ ସ୍ଥିତି ଭଲ ନଥିବାରୁ ବିଜେପି ହିଁ ବିଜେଡିକୁ ମୁକାବିଲା କରିବ ବୋଲି ଚର୍ଚ୍ଚା ହେଉଛି। ବିଜେପି ପୁଣି ଏଠାରେ ତା’ର ପୂର୍ବବସ୍ଥାକୁ ଫେରିବ ବୋଲି ଜୋର୍ ଲଗାଇଥିବା ଜଣାପଡ଼ିଛି। ଏହି ୱାର୍ଡରେ ଥିବା ବିବିଧ ସମସ୍ୟାକୁ ନେଇ ବିଜେପି ଭୋଟରଙ୍କୁ ଭେଟିବ ବୋଲି ପ୍ରସ୍ତୁତି ଚଳାଇଛି।
ୱାର୍ଡ ପରିସୀମା: ବରମୁଣ୍ଡା ହାଉସିଂ ବୋର୍ଡ କଲୋନି, ସେନ୍ସସ୍ କଲୋନି, ଆର୍ବିଆଇ କଲୋନି, ଜଗନ୍ନାଥ ବିହାର, ଷଣ୍ଢ ସାହି, ମହାବୀର ବସ୍ତି
(ଭୋଟର୍: ୧୧୩୦୦, ପୁରୁଷ: ୬୨୦୫, ମହିଳା: ୫୦୯୩, ତୃତୀୟ ଲିଙ୍ଗ: ୨)
ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ ଏହି ୱାର୍ଡର ନିଜସ୍ବ କାର୍ଯ୍ୟାଳୟ ନାହିଁ। ତେଣୁ କରୋନା ଟିକା ନେବାଠାରୁ ଆରମ୍ଭ କରି ପ୍ରତ୍ୟେକ ଛୋଟ ବଡ଼ ସମସ୍ୟା ପାଇଁ ସ୍ଥାନୀୟ ଅଧିବାସୀଙ୍କୁ ୱାର୍ଡ ନମ୍ବର ୧୫ ଉପରେ ନିର୍ଭର କରିବାକୁ ପଡ଼େ। ଏହି ୱାର୍ଡରୁ କର୍ପୋରେଟର୍ ହେବା ପାଇଁ ଆଶାୟୀ ଥିବା ଦୀପକ ମିଶ୍ରଙ୍କ କହିବା କଥା, କେବଳ ରାସ୍ତା ଓ ଡ୍ରେନ୍ ନିର୍ମାଣ ବିକାଶ ନୁହେଁ। ଏଠାରେ ସ୍ବାସ୍ଥ୍ୟକେନ୍ଦ୍ରଟିଏ ନାହିଁ। ଅପରାଧପ୍ରବଣ ଅଞ୍ଚଳ ହୋଇଥିବାରୁ ଏଠାରେ ଫାଣ୍ଡି ପ୍ରତିଷ୍ଠା ପାଇଁ ଦାବି ହୋଇଆସୁଛି। ବିବାହ, ବ୍ରତ ଆଦି ସାମାଜିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ପାଇଁ କଲ୍ୟାଣ ମଣ୍ଡପ ନାହିଁ।
ସେହିଭଳି ବାସିନ୍ଦା ସୌମ୍ୟରଞ୍ଜନଙ୍କ ଅନୁସାରେ ମହାବୀର ବସ୍ତିରେ ୧୫ଶହ ଭୋଟର ଅଛନ୍ତି। ମାତ୍ର ଏଠାରେ ସ୍ବତନ୍ତ୍ର ଶୌଚାଳୟ ନିର୍ମାଣ କରାଯାଇ ନାହିଁ। ଏଠାରେ ଥିବା ଏକ ପୋଖରୀ ଅସ୍ତିତ୍ବ ହରାଇବାକୁ ବସିଲାଣି। ସ୍ଥାନୀୟ ଅଧିବାସୀ ବିନୋଦ ବିହାରୀଙ୍କ ଅଭିଯୋଗ ଅନୁସାରେ ଜଗନ୍ନାଥବିହାର ଲେନ୍-୧, ରୋଡ୍-୨ରେ ଦୁଇ ବର୍ଷରେ ତିନି ଥର ରାସ୍ତା କାର୍ଯ୍ୟ ହୋଇଛି। ଏହା ସତ୍ତ୍ବେ ରାସ୍ତା ଅବସ୍ଥାରେ ସୁଧାର ହୋଇନାହିଁ। ଷଣ୍ଢସାହିସ୍ଥିତ ତ୍ରିନାଥ ମନ୍ଦିର ଓ ଜଗନ୍ନାଥ ମନ୍ଦିର ରାସ୍ତାରେ ସାମାନ୍ୟ ବର୍ଷାରେ ଡ୍ରେନ୍ ପାଣି ଉଛୁଳେ।
ପୂର୍ବତନ କର୍ପୋରେଟର୍ ହରପ୍ରିୟା ସାହୁଙ୍କ ଅନୁସାରେ ୱାର୍ଡ କାର୍ଯ୍ୟାଳୟ ରେଣ୍ଟାଲ କଲୋନିରେ କରାଯାଇଛି। ଏଥିଯୋଗୁଁ ସ୍ଥାନୀୟ ଅଧିବାସୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ସେ ବିଭିନ୍ନ ସମୟରେ ବିଏମ୍ସିର ଦୃଷ୍ଟି ଆକର୍ଷଣ କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଜମି ମିଳୁନଥିବାରୁ ହୋଇପାରିନାହିଁ। କଳ୍ୟାଣମଣ୍ଡପର ଆବଶ୍ୟକତା ରହିଛି। ତେବେ ଏଠିକାର ଜମି ଜଙ୍ଗଲ କିସମ ଥିବାରୁ ଏସବୁ ନିର୍ମାଣ ପାଇଁ ସମସ୍ୟା ହେଉଛି। ଏବେ କିସମ ପରିବର୍ତ୍ତନ ହେବା ଯୋଗୁଁ ମଣ୍ଡପ ନିର୍ମାଣ ପାଇଁ ବାଟ ଫିଟିଛି। ତାଙ୍କ କାର୍ଯ୍ୟକାଳ ସମୟରେ ଏହି ୱାର୍ଡରେ ୫ଟି ପାର୍କ ହୋଇଛି। ସଫେଇ, ରାସ୍ତା ଉନ୍ନତୀକରଣ, ଲାଇଟ୍ ବ୍ୟବସ୍ଥା କରାଯାଇଛି। ବିକାଶ ପ୍ରକ୍ରିୟା ନିରନ୍ତର ଭାବେ ଚାଲିଛି।
ସୂଚନାନୁସାରେ ଏଥର ପ୍ରତାପ ସାହୁ ଓ ଦୀପକ ମିଶ୍ର ବିଜେଡିର ଆଶାୟୀ ଅଛନ୍ତି। ସେହିଭଳି ବିଜେପି ପକ୍ଷରୁ ଯୁବନେତା ସୁରେଶ ଟିକେଟ୍ ପାଇଁ ଦାବିଦାର ବୋଲି ଜଣାପଡ଼ିଛି। କଂଗ୍ରେସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ।