ସବୁଠୁ ଅଧିକ ବିପଦରେ ଥିଲା ୱାର୍ଡ ୨, ୨୩,୨୭
୨୨ଟି ୱାର୍ଡରେ ୫୦୦ରୁ ଅଧିକ
୩ଟି ୱାର୍ଡରେ ୧୦୦ରୁ କମ୍‌ ସଂକ୍ରମିତ
୪୦ଟି ୱାର୍ଡରେ ୧୦୦ରୁ ୫୦୦ ମଧ୍ୟରେ ଆକ୍ରାନ୍ତ

Advertisment

ଭୁବନେଶ୍ୱର : ରାଜଧାନୀରେ କରୋନା ଏବେ ନିୟନ୍ତ୍ରଣକୁ ଆସିଯାଇଛି। ଏବେ ପ୍ରାୟ ସବୁ ଦିନ ୫୦ ପାଖାପାଖି ଆକ୍ରାନ୍ତ ଚିହ୍ନଟ ହେଉଥିଲେ ବି ଭୁବନେଶ୍ବର ହଟ୍‌ସ୍ପଟ୍‌ ଅଞ୍ଚଳରେ ନାହିଁ। କିନ୍ତୁ ଯିଏ ଜୁଲାଇରୁ ଅକ୍ଟୋବର ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ରାଜଧାନୀରେ କରୋନା ସ୍ଥିତି ଦେଖିଛି, ସେ କରୋନାର ଭୟବହତା ଜାଣିପାରିଛି। ବହୁ ସ୍ଥାନରେ ଘରେ ଘରେ କରୋନା ଆକ୍ରାନ୍ତ ଛାଇ ଯାଇଥିଲେ। ହସ୍ପିଟାଲରେ ଶଯ୍ୟା ମିଳୁ ନଥିଲା। ବହୁ ଲୋକ ଚିକିତ୍ସା ଅଭାବରୁ ପ୍ରାଣ ହରାଉଥିଲେ। ଏଭଳି ସ୍ଥିତିରେ ରାଜଧାନୀରେ ଏମିତି ବି ସ୍ଥାନ ଥିଲା, ଯେଉଁଠି କରୋନା ଆକ୍ରାନ୍ତ କ୍ବଚିତ୍‌ ଚିହ୍ନଟ ହେଉଥିଲେ। ପୂରା ରାଜଧାନୀବାସୀ କରୋନା ଭୟରେ ରହୁଥିବା ବେଳେ ୱାର୍ଡ ୨୬ ଓ ୪୭ ଅଞ୍ଚଳରୁ କାଁ ଭାଁ ଆକ୍ରାନ୍ତ ଚିହ୍ନଟ ହେଉଥିଲେ।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ସାଲିଆସାହିରେ ଯେତେବେଳେ ହୁ’ ହୁ’ ହୋଇ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ, ବସ୍ତିର ବିଭିନ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା, ସେତେବେଳେ ୱାର୍ଡ-୨୬ରେ ତିନି ଚାରି ଦିନରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ନୀଳଚକ୍ର ନଗର, ତାରିଣୀ ନଗର (କିଛି ଅଂଶ), ଶରଣାପଲ୍ଲୀ, ଦାଶରଥୀ ଆପାର୍ଟମେଣ୍ଟ, ବିଷ୍ଣୁପ୍ରିୟା ଆପାର୍ଟମେଣ୍ଟ ଅଞ୍ଚଳ ସୁରକ୍ଷିତ ଥିଲା। ଏହି ୱାର୍ଡରେ ୧୨,୧୬୭ଜଣ ଲୋକ ରହୁଥିଲେ ବି ବର୍ତ୍ତମାନ ସୁଦ୍ଧା ମାତ୍ର ୨୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସାଲିଆ ସାହିକୁ ଲାଗିକି ଥିବା ଏହି ୱାର୍ଡର ବିଭିନ୍ନ ବସ୍ତି ଏବଂ ଘରକୁ କରୋନା ପ୍ରାୟ ଛୁଇଁନି। ସାଲିଆ ସାହିରେ ୨୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହାକୁ ଲାଗିକି ଥିବା ବସ୍ତିରେ ଏକ ଅଙ୍କ ସଂଖ୍ୟା ବିଶିଷ୍ଟ ଆକ୍ରାନ୍ତ ହୋଇଛନ୍ତି। ରାଜଧାନୀରେ କରୋନା ୮ ମାସ ହେଲା କାୟା ମେଲାଇଥିଲେ ବି ଏଠାରେ ୨୯ଜଣ ଆକ୍ରାନ୍ତ ଚିହ୍ନଟ ହେବା, ସମସ୍ତେ ସୁସ୍ଥ ହୋଇଯିବା ଏବଂ ଜଣଙ୍କର ବି କରୋନାରେ ମୃତ୍ୟୁ ନହେବା ସମସ୍ତଙ୍କୁ ଚକିତ କରିଛି। ଯେତେବେଳେ ରେଡ୍‌-ଜୋନ୍‌ରେ ଭୁବନେଶ୍ବର‌ ଥିଲା, ସେତେବେ‌ଳେ ୱାର୍ଡ ୨୬ ଗ୍ରିନ୍‌ ଜୋନ୍‌ରେ ଥିଲା।

publive-image

କେବଳ ୱାର୍ଡ ୨୬ ନୁହେଁ, ୟୁନିଟ୍‌-୮ ଅଞ୍ଚଳ ବି ବର୍ତ୍ତମାନ ସୁଦ୍ଧା ପୂରା କରୋନା କବଳିତ ହୋଇନି। ଗୋପବନ୍ଧୁ ନଗର, ରାଜଭବନ କଲୋନି, ଇ-ଟାଇପ୍ କ୍ବାର୍ଟର୍ସ, ୨ଆର୍‌ଏ ଏବଂ ୨ଆର୍‌ବି କ୍ବାର୍ଟର୍ସ, ଏଫ୍‌ ଟାଇପ୍ କ୍ବାର୍ଟର୍ସ, ମାଇକ୍ରୋୱେଭ୍‌ କଲୋନି, ଓସିସି କଲୋନି, ସିବିଆଇ କଲୋନି, ଜୟଦୁର୍ଗା କଲୋନି, ପିପିଏଲ୍‌ କଲୋନି, ଏକ୍ସପ୍ରେସ୍‌ କଲୋନି, ଓଏମ୍‌ସି କଲୋନି, ଡିପିଆଇ କଲୋନି ଓ ୨ଆର୍‌ଏ କ୍ବାର୍ଟର୍ସ ଅଞ୍ଚଳକୁ‌ ନେଇ ଗଠିତ ୱାର୍ଡ ୪୭ରେ ୧୧୬୩୮ଜଣ ଲୋକ ରହୁଥିଲେ ବି ଏଠାରେ ମାତ୍ର ୫୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏପରିକି ସବୁ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏଠାରେ କାହା‌ର ବି କରୋନାରେ ମୃତ୍ୟୁ ହୋଇନି। ସେହିପରି ୱାର୍ଡ ୨୧ରେ ୯୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହି ତିନିଟି ୱାର୍ଡ ରାଜଧାନୀର ନିରାପଦ ଅଞ୍ଚଳ ହୋଇଥିବା ବେଳେ ୱାର୍ଡ ୨, ୨୩ ଓ ୨୭ କରୋନା ଆକ୍ରାନ୍ତଙ୍କ ଦୃଷ୍ଟିରୁ ସବୁଠୁ ଅଧିକ ବିପଦପୂର୍ଣ୍ଣ ଅଞ୍ଚଳ ଥିଲା। ଏହି ତିନିଟି ୱାର୍ଡରୁ କେବଳ ୪୧୦୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୱାର୍ଡ ୨୭ରୁ ସର୍ବାଧିକ ୧୭୮୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୨୭ଜଣ ସୁସ୍ଥ ହୋଇଛନ୍ତି। ସବୁଠାରୁ ଅଧିକ କରୋନା ଜନିତ ମୃତ୍ୟୁ ଏହି ୱାର୍ଡରେ ହୋଇଛି। ଆଇଆର୍‌ସି ଭିଲେଜ୍‌, ଏନ୍‌-୫, ଏନ୍‌-୬, ଜୟଦେବ ବିହାର ଘରୋଇ ପ୍ଲଟ ଅଞ୍ଚଳ, ନୂଆପଲ୍ଲୀ ଥାନା ଅଞ୍ଚଳ, ଇନ୍ଦ୍ରଧନୁ ମାର୍କେଟ୍, ନାବାର୍ଡ ଅଫିସ୍‌ ଅଞ୍ଚଳକୁ ନେଇ ଗଠିତ ଏହି ୱାର୍ଡରେ ୧୨୦୩୯ଜଣ ବାସ କରୁଥିବା ବେଳେ ଆଜି ସୁଦ୍ଧା ୧୭୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅକ୍ଟୋବର ପର୍ଯ୍ୟନ୍ତ ଏହି ଅଞ୍ଚଳ ବିଏମ୍‌ସିର ନିଦ ହଜେଇବା ସହ ରାଜଧାନୀବାସୀଙ୍କ ମଧ୍ୟରେ କରୋନା ନେଇ ଭୟ ସୃଷ୍ଟି କରିଦେଇଥିଲା।

ସେହିପରି ଶିଖରଚଣ୍ଡୀ ବସ୍ତି, ମୁଣ୍ଡା ସାହି, ପ୍ରଶାନ୍ତି ବିହାର ହାଉସିଂବୋର୍ଡ କଲୋନିର କିଛି ଅଂଶ, କିଟ୍‌ କ୍ୟାମ୍ପସର କିଛି ଅଂଶ, ତ୍ରିଷ୍ଣା ଏନକ୍ଲେଭ୍‌, ମାରୁତି ଭିଲ୍ଲା, ପଟିଆ ବିଗ୍‌ ବଜାର ଓ ଚିରାଗାଲଟୋଲା ବସ୍ତି ଅଞ୍ଚଳକୁ ନେଇ ହୋଇଥିବା ୱାର୍ଡ ୨ରେ ବର୍ତ୍ତମାନ ସୁଦ୍ଧା ୧୦୭୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଠାରେ ଦ୍ବିତୀୟ ସର୍ବାଧିକ କରୋନା ଜନିତ ମୃତ୍ୟୁ ହୋଇଛି। ୱାର୍ଡ-୨ରେ ହଜାରେରୁ ଅଧିକ କରୋନା ଆକ୍ରାନ୍ତ ‌ଚିହ୍ନଟ ହୋଇଥିଲେ ହେଁ ଏହାର ନିକଟବର୍ତ୍ତୀ ଅଞ୍ଚଳ ତଥା ଏହାକୁ ଲାଗିକି ଥିବା ୱାର୍ଡ-୧ରେ ମାତ୍ର ୧୧୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ୱାର୍ଡ ୨୩ରୁ ୧୨୪୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସାଁପୁର ଗାଁ, କଳିଙ୍ଗନଗର ଅଞ୍ଚଳ, ସମ୍‌ ହସ୍ପିଟାଲ ଅଞ୍ଚଳ, କଳିଙ୍ଗ ଷ୍ଟୁଡିଓ ଅଞ୍ଚଳ, ଘାଟିକିଆ ଗାଁ, ଖଣ୍ଡଗିରିବାରି ବସ୍ତି, ଆମ୍ରି ହସ୍ପିଟାଲ, ଶରଧାପଲ୍ଲୀ ବସ୍ତି ଅଞ୍ଚଳରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବା‌ଦ୍‌ ୱାର୍ଡ ୧୯ରୁ ୯୨୬ଜଣ, ୱାର୍ଡ ୪୦ରୁ ୮୧୬ଜଣ, ୱାର୍ଡ ୪୬ରୁ ୯୨୦ଜଣ, ୱାର୍ଡ ୪୯ରୁ ୮୩୪ଜଣ, ୱାର୍ଡ ୬୩ରୁ ୯୬୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଏମ୍‌ସିର ସୂଚନା ଅନୁଯାୟୀ, ୨୨ଟି ୱାର୍ଡରେ ୫୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୦ଟି ୱାର୍ଡରେ ୧୦୦ରୁ ୫୦୦ ମଧ୍ୟ‌ରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାତ୍ର ୩ଟି ୱାର୍ଡରେ ୧୦୦ରୁ କମ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।