ୱାର୍ଡ ନମ୍ବର ୨୯: ଲଢ଼େଇରୁ ଓହରିଯିବେ ନିଜାମୁଦ୍ଦିନ

ଭୁବନେଶ୍ବର: ଦଳ ଅକଳରେ ପଡ଼ିବା ଭଳି ସ୍ଥିତି ୱାର୍ଡ ନମ୍ବର ୨୯ରେ ରହିଥିଲା। ହେଲେ ଆଜି ରାତି ସୁଦ୍ଧା ବିଦ୍ରୋହୀଙ୍କୁ ବୁଝାଇବା ପାଇଁ ସକ୍ଷମ ହୋଇଛନ୍ତି ଦଳର ବରିଷ୍ଠ ନେତାମାନେ। ଆସନ୍ତାକାଲି ବିଦ୍ରୋହୀ ପ୍ରାର୍ଥୀ ହୋଇଥିବା ୬ ଥରିଆ କର୍ପୋରେଟର୍‌ ଶେଖ୍ ନିଜାମୁଦ୍ଦିନ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ବୋଲି ଦଳର ଆଭ୍ୟନ୍ତରୀଣ ମହଲରୁ ସୂଚନା ମିଳିଛି।

୨୦୧୪ରେ ୨୯ ନମ୍ବର ୱାର୍ଡ ଅଣସଂରକ୍ଷିତ ଥିଲା। ଏଠାରେ ଶେଖ୍‌ ନିଜାମୁଦ୍ଦିନ୍‌ ବିଜେଡିରୁ ଟିକେଟ୍‌ ପାଇ ବିଜୟ ଲାଭ କରିଥିଲେ। ଏଣୁ ଏଥର ସେ ଆଶାୟୀ ଥିଲେ। ତାଙ୍କୁ ଦଳ ପକ୍ଷରୁ ପ୍ରତିଶ୍ରୁତି ମଧ୍ୟ ମିଳିଥିଲା। ଏଣୁ ସେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ହେଲେ ଶେଷ ମୁହୂର୍ତ୍ତରେ ବିଜେଡି ଦଳର ଅନ୍ୟତମ କର୍ମୀ ତଥା ଖୋଦ୍‌ ନିଜାମୁଦ୍ଦିନଙ୍କର ଘନିଷ୍ଠ ସହଯୋଗୀ ଥିବା ଆଦୁଲ୍‌ ରାଜୁଙ୍କୁ ଦଳ ଟିକେଟ୍ ଦେଇଥିଲା। ଫଳରେ ବିବାଦ ଉଗ୍ରରୂପ ନେଇଥିଲା। ନିଜାମୁଦ୍ଦିନ ପ୍ରାର୍ଥିପତ୍ର ପ୍ରତ୍ୟାହାର ନ କରି ସ୍ବାଧୀନ ଭାବେ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ।

ବିଜେଡି ପକ୍ଷରୁ ଟିକେଟ୍‌ ପାଇ ପ୍ରାର୍ଥୀ ହୋଇଥିବା ଏ. ରାଜୁ ନିଜାମୁଦ୍ଦିନଙ୍କର ସହଯୋଗୀ ଥିଲେ। ଅତୀତରେ ନିର୍ବାଚନ ପ୍ରଚାର କିମ୍ବା ଅନ୍ୟ ସମସ୍ତ କାର୍ଯ୍ୟରେ ନିଜାମୁଦ୍ଦିନଙ୍କ ସହ ଏ. ରାଜୁ ଦେଖା ଯାଉଥିଲେ। ଉଭୟ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ତାହା ଦଳ ପାଇଁ କାଳ ହେବାର ଆଶଙ୍କା ଥିଲା। ଏବେ ନିଜାମୁଦ୍ଦିନ୍‌ଙ୍କୁ ବୁଝାଇବାରେ ଦଳ ସଫଳ ହୋଇଥିବା କୁହାଯାଉଛି। ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରକୁ ଓହ୍ଲାଉଛନ୍ତି କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ବିଜେଡି ପ୍ରାର୍ଥୀ ଶ୍ରୀ ରାଜୁ କହିଛନ୍ତି, ନିଜାମୁଦ୍ଦିନ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ ରାଜି ହୋଇଛନ୍ତି।

ସେ ଦଳର ଲୋକ। ମୋ ସହ ରହି ପ୍ରଚାର କରିବେ। ଏଣୁ ତାଙ୍କ ସହିତ ହିଁ ବିଜେଡିର ବିଜୟ ହେବ। ଯାହା ବାକି କାମ ରହିଯାଇଛି ସବୁ ପୂରଣ ହେବ ବୋଲି ସେ କହିଛନ୍ତି। ନିଜାମୁଦ୍ଦିନ କହିଛନ୍ତି ଯେ ଦଳରେ ମୁଁ ସବୁବେଳେ ଅଛି। ଆସନ୍ତାକାଲି ପ୍ରାର୍ଥିପତ୍ର ପ୍ରତ୍ୟାହାର ନେଇ ନିଷ୍ପତ୍ତି ନେବି।

ଏହି ୱାର୍ଡରେ କଂଗ୍ରେସରୁ ଦେବୀପ୍ରସାଦ ବାହାଲିଆ ଓ ବିଜେପିରୁ ଅପୂର୍ବ ନାରାୟଣ ରାଉତ ପ୍ରାର୍ଥୀ ଅଛନ୍ତି। ବିଜେପି ମଧ୍ୟ ଜୋରଦାର ପ୍ରଚାର ସହ ପୂର୍ବରୁ ସମାଧାନ ହୋଇନଥିବା ସମସ୍ୟାକୁ ଧରି ଲୋକଙ୍କ ପାଖକୁ ଯିବା ଆରମ୍ଭ କରିଛି।

ସମ୍ବନ୍ଧିତ ଖବର