ଭୁବନେଶ୍ବର ୱାର୍ଡ ନମ୍ବର ୪: ପୁଣି ମୁହାଁମୁହିଁ ହେବେ ପୁରୁଣା ପ୍ରତିଦ୍ବନ୍ଦ୍ବୀ

ବିଜେଡି ପାଇଁ କଣ୍ଟା ବିଦ୍ରୋହୀ

ଭୁବନେଶ୍ବର: ପ୍ରାର୍ଥିପତ୍ର ଦାଖଲ ପରେ ୪ ନମ୍ବର ୱାର୍ଡର ରାଜନୀତି ଏବେ ସରଗରମ ହୋଇଛି। ଏଠାରେ ପୁନର୍ବାର ଦୁଇ ପ୍ରତିଦ୍ବନ୍ଦ୍ବୀ ଅକ୍ଷୟ ଲେଙ୍କା ଓ ସୁକୁମାର ସାହୁ ମୁହାଁମୁହିଁ ହୋଇଛନ୍ତି। ଚଳିତ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ସୁକୁମାର ୨୦୦୮ରେ ବିଜେପିରୁ ଜିତିଥିଲେ। ହେଲେ ୨୦୧୪ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଅକ୍ଷୟଙ୍କ ପତ୍ନୀ ଗାୟତ୍ରୀ ଲେଙ୍କା ବାଜିମାରିଥିଲେ ବି ସୁକୁମାରଙ୍କ ପତ୍ନୀ ମୋନାଲିସା ସାହୁ ତାଙ୍କୁ କଡ଼ା ମୁକାବିଲା କରିଥିଲେ। ସେ ମଧ୍ୟ ୱାର୍ଡରେ ନିଜର ଦବଦବା ବଜାୟ ରଖିବାକୁ ଶକ୍ତି ପ୍ରଦର୍ଶନ କରୁଛନ୍ତି। ସେହିପରି ବିଏସ୍‌ପିରୁ ବେଦପ୍ରକାଶ ଦାସ ଓ କଂଗ୍ରେସରୁ ପ୍ରଦୀପ କୁମାର ପଟ୍ଟନାୟକ ନିର୍ବଚାନ ମଇଦାନକୁ ଓହ୍ଲାଇଛନ୍ତି। ଏଭଳି ସ୍ଥିତିରେ ବିଜେଡି ପାଇଁ ବିଦ୍ରୋହୀ କଣ୍ଟା ସାଜିଛନ୍ତି।

ୱାର୍ଡରେ ବିଜେଡିର ୪ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଦଳ ପକ୍ଷରୁ ଅକ୍ଷୟ ଲେଙ୍କା ଟିକଟ ପାଇଛନ୍ତି। ଅକ୍ଷୟଙ୍କୁ ଟିକଟ ମିଳିବା ପରେ ବିଦ୍ରୋହୀ ଅଣ୍ଟା ଭିଡିଛନ୍ତି। ବିଜେଡିରୁ ଆଶାୟୀ ଥିବା ସ୍ବାକ୍ଷରଂଜନ ମହାନ୍ତି ଓରଫ କୁନ୍‌ମୁନ୍‌, ପୂର୍ଣ୍ଣଚନ୍ଦ୍ର ବାରିକ ଓ ବିଶ୍ବରଞ୍ଜନ ପଟ୍ଟନାୟକ ସ୍ବାଧୀନ ଭାବେ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି। ଏହି ବିଦ୍ରୋହୀ ପ୍ରାର୍ଥୀମାନଙ୍କୁ ବୁଝାଇବା ପାଇଁ ଦଳ ପକ୍ଷରୁ ଉଦ୍ୟମ ଜାରି ରହିଛି। ସେମାନଙ୍କୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପାଇଁ ବୁଝାସୁଝା କରାଯାଉଛି। କିନ୍ତୁ ସେମାନେ ନିଜ ଆଭିମୁଖ୍ୟ ଏ ଯାଏ ସ୍ପଷ୍ଟ କରିନାହାନ୍ତି। ଯଦି ତିନି ତିନି ଜଣ ବିଦ୍ରୋହୀ ମଇଦାନକୁ ଓହ୍ଲାନ୍ତି ତେବେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଏହା ଅଡ଼ୁଆ ସୃଷ୍ଟି କରିପାରେ। କେବଳ ଏହି ୱାର୍ଡ‌େର ନୁହେଁ ବରଂ ଏକାଧିକ ୱାର୍ଡରେ ବିଜେଡି ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର