ୱାର୍ଡ ନମ୍ବର ୫: ବିଜେଡି-ବିଦ୍ରୋହୀ ମୁକାବିଲା!

ଭୁବନେଶ୍ବର : ପ୍ରାର୍ଥିପତ୍ର ଯାଞ୍ଚ ପରେ ୫ ନମ୍ବର ୱାର୍ଡରେ ୪ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଗତ ଥର ବିଜେଡି କବ୍‌ଜାରେ ଥିବା ଏହି ୱାର୍ଡରେ ଏଥର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ବି‌ଜେଡି ତା’ର ପ୍ରାର୍ଥୀ ବଦଳାଇଛି। ନୂଆ ମୁହଁ ମିନୁଶ୍ରୀ ଖୁଣ୍ଟିଆଙ୍କୁ ଦଳ ପ୍ରାର୍ଥୀ କରିଛି। ସେ ଏହି ଅଞ୍ଚଳରେ ବିଜେଡିର ସକ୍ରିୟ କର୍ମୀ ଅନୁପ ଖୁଣ୍ଟିଆଙ୍କ ପତ୍ନୀ। ତେବେ ବିଜେଡି ପ୍ରାର୍ଥୀଙ୍କ ପାଇଁ କଣ୍ଟା ସାଜିଛନ୍ତି ବିଦ୍ରୋହୀ ପ୍ରାର୍ଥୀ। ଗତ ଥର ଏଠାରୁ କର୍ପୋରେଟର୍‌ ଥିବା ନିର୍ମଳ ରାଉତଙ୍କ ପତ୍ନୀ ବିଜୟଲକ୍ଷ୍ମୀ ରାଉତ ସ୍ବାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତାଙ୍କୁ ବୁଝାଇବା ପାଇଁ ବିଜେଡି ନେତାମାନେ ଉଦ୍ୟମ ଜାରି ରଖିଛନ୍ତି। କିନ୍ତୁ ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର ନ କଲେ ବିଜେଡି ସହ ବିଦ୍ରୋହୀଙ୍କ କଡ଼ା ମୁକାବିଲା ହେବ।

ବିଜେଡି ପ୍ରାର୍ଥୀ ମିନୁଶ୍ରୀ ନିଜର ପ୍ରଚାର କାର୍ଯ୍ୟ ଜୋର୍‌ଦାର ଆରମ୍ଭ କରିଦେଇଛନ୍ତି। ନିଜର ସାମାଜିକ କାର୍ଯ୍ୟକ୍ରମକୁ ଆଧାର କରି ଲୋକଙ୍କ ଆସ୍ଥାଭାଜନ ପାଇଁ ଜୋରଦାର ପ୍ରୟାସ ଜାରି ରଖଛନ୍ତି। ସ୍ଥାନୀୟ ଲୋକ, ବସ୍ତିବାସିନ୍ଦାଙ୍କୁ ଭେଟି ସମସ୍ୟା ବିଷୟରେ ଆଲୋଚନା କରୁଛନ୍ତି। ସଭା, ସମିତିରେ ଶତାଧିକ ଲୋକଙ୍କୁ ଏକକରି ବିକାଶର ମନ୍ତ୍ର ଫୁଙ୍କୁଛନ୍ତି। ଆଜି ଶ୍ରୀରାମନଗର ବସ୍ତିରେ ଏକ ବିଶାଳ ସଭାର ଆୟୋଜନ କରି ମିନୁଶ୍ରୀ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ଏହି ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ଦେଇ ନଥିଲା ବେଳେ ବିଜେପିରୁ ସୁନିତା ପତି, ସିପିଆଇ(ଏମ୍‌)ରୁ ବିମଳି ନାୟକ ମଇଦାନକୁ ଓହ୍ଲାଇଛନ୍ତି।

ସମ୍ବନ୍ଧିତ ଖବର