ୱାର୍ଡ ନଂ୫୪: ସମସ୍ୟା କରିବ ପିଇବା ପାଣି

ୱାର୍ଡ ପରିସୀମା:  ଜ୍ଞାନନଗର, ବଡ଼ୁ ସାହି, ବିନ୍ଦୁସାଗର କୂଳ, ରାମେଶ୍ବର ପାଟଣା, ବାରିକ ସାହି, କୁଞ୍ଜ ପାଟଣା ସାହି, ମିଶ୍ର ସାହି, ପୂଜାପଣ୍ଡା ସାହି, ମଙ୍ଗଳା ସାହି, ବେହେରା ସାହି, ଚେମେଡ଼ି ଭୋଇ ସାହି, ଦର୍ଜି ସାହି, ଲିଙ୍ଗରାଜନଗର, ଡାକବଙ୍ଗଳା ସାହି, ହରଚଣ୍ଡୀ ସାହି, ନାରଦ ସାହି, ଜମେଶ୍ବର ପାଟଣା ସାହି

(ଭୋଟର୍: ୧୫୮୩୬- ପୁରୁଷ: ୮୪୫୮, ମହିଳା: ୭୩୧୮, ତୃତୀୟ ଲିଙ୍ଗ: ୬୦)

ପୁରୁଣା ଭୁବନେଶ୍ବର: ୱାର୍ଡ ନମ୍ବର ୫୪ରେ ସମସ୍ୟା ମାଳମାଳ। ଏହି ଅଞ୍ଚଳରେ ଡ୍ରେନ ବ୍ୟବସ୍ଥା, ସ୍ବେରେଜ ଓ ପାନୀୟ ଜଳ ସବୁଠୁ ବଡ଼ ସମସ୍ୟା। ଖରାଦିନରେ ପିଇବା ପାଣି ସମସ୍ୟା ସବୁଠୁ ଉତ୍କଟ ହୋଇଥାଏ। ଦୁର୍ବଳ ଡ୍ରେନେଜ୍‌ ବ୍ୟବସ୍ଥା ଯୋଗୁଁ ଲୋକେ ବର୍ଷାଦିନେ ଉଦ୍‌ବୃତ୍ତ ବର୍ଷାଜଳ ପାଇଁ ଯେତିକି ହଇରାଣ ହୋଇଥା’ନ୍ତି, ଖରାଦିନେ ପିଇବା ପାଣି ପାଇଁ ବି ସେତିକି ହନ୍ତସନ୍ତ ହୋଇଥା’ନ୍ତି। ପୁରୁଣା ଭୁବନେଶ୍ବରର ଏହି ଅଞ୍ଚଳରେ ମୁଖ୍ୟ ରାସ୍ତା ଅବସ୍ଥା ନ କହିବା ଭଲ। ଅପରପକ୍ଷେ କଲ୍ୟାଣ ମଣ୍ଡପ ନଥିବାରୁ ଲୋକେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିବାକୁ ଅସୁବିଧାର ସମ୍ମୁଖୀନ ହୋଇଥା’ନ୍ତି। ବର୍ଷାଦିନେ ଗୋସାଗରେଶ୍ବର ଛକ ନିକଟରେ କୃତ୍ରିମ ବନ୍ୟାରେ ରାସ୍ତା ବୁଡ଼ିଯିବା ଯୋଗୁଁ ଯାତାୟାତ କରିବାରେ ଲୋକେ ଅସୁବିଧାରେ ପଡ଼ିଥାନ୍ତି। ଏହା ହେଉଛି ବିଏମ୍‌ସି ୱାର୍ଡ ନମ୍ବର ୫୪ର ଅଧିବାସୀଙ୍କ କ୍ଷୋଭ। ଆଗକୁ ପୌର ନିର୍ବାଚନ ଆସୁଥିବା ବେଳେ ଅଞ୍ଚଳର ବାସିନ୍ଦାମାନେ ଆଶାୟୀ ପ୍ରାର୍ଥୀମାନଙ୍କୁ ଏସବୁ ପ୍ରସଙ୍ଗ ନେଇ ଘେରିବେ ବୋଲି ସୂଚନା ଦେଇଛନ୍ତି।

ସ୍ଥାନୀୟ ବରିଷ୍ଠ ନାଗରିକମାନଙ୍କ ଅଭିଯୋଗ ଅନୁସା‌‌ରେ, ଦୀର୍ଘ ଦିନ ହେଲା ବିମ୍‌ସିରେ ଏସବୁ ସମସ୍ୟ ସମାଧାନ ପାଇଁ ଦାବି କରାଯାଉଛି। ସରକାରୀ ଜମି ଜବରଦଖଲ ଯୋଗୁଁ ବ୍ୟାଙ୍କ କଲୋନିକୁ ରାସ୍ତା ନାହିଁ କି ଏହି ୱାର୍ଡରେ କଲ୍ୟାଣ ମଣ୍ଡପ ନାହିଁ। ଜବରଦଖଲରେ ଥିବା ସରକାରୀ ଜମି ବିଏମ୍‌ସି ଓ ଜିଲ୍ଲା ପ୍ରଶାସନ କାହିଁକି ମୁକୁଳାଇ ପାରୁନି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏହି ୱାର୍ଡସ୍ଥିତ ଗୋଡ଼ିପୋଖରୀ ସାହି ବର୍ଷା ଦିନରେ ବୁଡ଼ିଯାଏ। ଜଳ ନିଷ୍କାସନ ପାଇଁ ବାଟ ନଥିବାରୁ ପାଣି ବହୁ ସମୟ ଧରି ଜମି ରହୁଛି। ଖରା ଦିନରେ ଏହି ୱାର୍ଡରେ ବହୁ ଅଞ୍ଚଳରେ ପିଇବା ପାଣି ସମସ୍ୟା ଦେଖାଦିଏ। ଲୋକମାନେ ଟ୍ୟାଙ୍କର ପଛରେ ଧାଡ଼ି ବାନ୍ଧି ପାଣି ନିଅନ୍ତି। ସେହିପରି ଗୋଡ଼ିପୋଖରୀ ଅବସ୍ଥା ସୁଧୁରିପାରିନାହିଁ। ଜମେଶ୍ବର ପାଟଣା ରାସ୍ତା ଖାଲଖମାରେ ଭର୍ତ୍ତି ହୋଇରହିଛି। ସ୍ବେରେଜ ପାଇଁ ଖୋଳିବା ପରେ ବଡ଼ଦାଣ୍ଡ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି।

ପୂର୍ବତନ କର୍ପୋରେଟର ରଶ୍ମିତା ମହାପାତ୍ରଙ୍କ କହିବା କଥା, ତାଙ୍କ କାର୍ଯ୍ୟକାଳ ଭିତରେ ଏହି ଅଞ୍ଚଳର ବହୁ ସମସ୍ୟାର ସମାଧାନ ହୋଇଛି। ସ୍ଥାନୀୟ ଅଞ୍ଚଳର ସବୁ ରାସ୍ତାଘାଟ ମରାମତି ହୋଇଛି ଓ କେତେକ ନୂଆ ରାସ୍ତା ତିଆରି ହୋଇଛି। ରାସ୍ତା ଆଲୋକୀକରଣ ବ୍ୟବସ୍ଥା କରାଯାଇଛି। ପାଖାପାଖି ୯୦ପ୍ରତିଶତ ଅଞ୍ଚଳରେ ଡ୍ରେନ୍‌ କାମ ସହ ଅନେକ କାମ ସରିଛି ବୋଲି ଶ୍ରୀମତୀ ମହାପାତ୍ର କହିଛନ୍ତି। ଏଥର ଏହି ଆସନଟି ଅଣସଂରକ୍ଷିତ ରହିଛି। ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଏକରକମ ବଛା ସରିଥିବା ବେଳେ ବିଜେଡିର କିଏ ଟିକେଟ୍‌ ପାଇବ, ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

ୱାର୍ଡଟି ଅଣସଂରକ୍ଷିତ ରହିଥିବାରୁ ପୂର୍ବତନ କର୍ପୋରେଟର୍‌ ରଶ୍ମିତା ମହାପାତ୍ରଙ୍କ ସ୍ବାମୀ ପ୍ରମୋଦ ମହାପାତ୍ର ବିଜେଡିରୁ ପ୍ରାର୍ଥୀ ହେବାକୁ ନେଇ ଚର୍ଚ୍ଚା ଚାଲିଛି। ସେହିପରି ବିଜେଡିର ୱାର୍ଡ ସଭାପତି ଦାଶରଥୀ ଗରାବଡ଼ୁଙ୍କ ନାମ ମଧ୍ୟ ଆଲୋଚନା ହେଉଛି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ଶ୍ରୀ ଗରାବଡ଼ୁଙ୍କ ସମ୍ପର୍କ ଭଲ ଥିବାରୁ ସେ ବିଜେଡି ଟିକେଟ ପାଇବା ଆଶା ଅଧିକ ରହିଛି। ତେବେ ପ୍ରମୋଦ ମହାପାତ୍ର ଏହି ୱାର୍ଡ ନଚେତ ଅନ୍ୟ କୌଣସି ୱାର୍ଡରୁ ଲଢ଼ିବା ନେଇ ଚର୍ଚ୍ଚା ହେଉଛି। ସେହିଭଳି ବିଜେପିରୁ ପ୍ରାର୍ଥୀ ହୋଇ ଦୁଇଥର ହାରିଥିବା ସ୍ବର୍ଣ୍ଣଲତା ବେହେରାଙ୍କ ସ୍ବାମୀ ଶିବ ପ୍ରସାଦ ବେହେରା ବିଜେପିରୁ ଲଢ଼ିବା ଏକରମକ ନିଶ୍ଚିତ ‌ବୋଲି ଜଣାପଡ଼ିଛି। ଦଳର ସବୁନେତାଙ୍କ ସହ ସୁସମ୍ପର୍କରେ ଥିବା ଶିବଙ୍କ ବ୍ୟତୀତ ଅନ୍ୟ କେହି ପ୍ରାର୍ଥୀ ହେବାକୁ ମନ ବଳାଇ ନାହାନ୍ତି। ସେପଟେ କଂଗ୍ରେସ ପକ୍ଷରୁ ସଞ୍ଜୀବ ପୂଜାପଣ୍ଡାଙ୍କ ନାମ ଆଲୋଚନା ହେଉଛି।

ୱାର୍ଡ ନଂ୯: ପ୍ରସଙ୍ଗ ପାଲଟିବ ଗାଁ ସମସ୍ୟା

ୱାର୍ଡ ପରିସୀମା: ଓମ୍‌ଫେଡ୍‌ ଛକ, ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପ ଅଞ୍ଚଳ, ଆଦିତ୍ୟ କେୟାର ହସ୍ପିଟାଲ ଅଞ୍ଚଳ, ଗାଡକଣ ଗାଁ, ରଙ୍ଗମାଟିଆ ଗାଁ, ମଣ୍ଡାସାହି ବସ୍ତି

(ଭୋଟର୍: ୮୪୨୭-  ପୁରୁଷ: ୪୪୭୭, ମହିଳା: ୩୯୪୫ ତୃତୀୟ ଲିଙ୍ଗ: ୫)

ଚନ୍ଦ୍ରଶେଖରପୁର: ବିଏମ୍‌ସି ୱାର୍ଡ ନମ୍ବର ୯। ଗାଁ ପରିବେଶ ସହ ମିଶିଛି ସହର। ପରିସୀମାର ଅଧେ ଅଞ୍ଚଳ ଗାଁରେ ତ ଆଉ ଅଧେ ସହରରେ। ଯେଉଁଥିପାଇଁ ଆଜି ପର୍ଯ୍ୟନ୍ତ ଗାଡ଼କଣ ଗାଁର ସବୁ ଅଞ୍ଚଳକୁ ଭଲ ରାସ୍ତା ନାହିଁ। ରଙ୍ଗମାଟିଆ ତଳସାହିର ରାସ୍ତା ପାଣି କାଦୁଅରେ ପଚପଚ। ଡ୍ରେନ୍‌ କଥା ନ କହିବା ଭଲ। ଗାଡ଼କଣରେ ନର୍ଦମା ପାଣି ଗାଁ ଦାଣ୍ଡରେ ବର୍ଷତମାମ ଢେଉ ଖେଳୁଛି। ରଙ୍ଗମାଟିଆରେ ବି ବର୍ଷ ତମାମ ଡ୍ରେନ୍‌ ଚୋକ୍ ହେଉଛି। ବର୍ଷା ଦିନେ ‌ମଞ୍ଚେଶ୍ବର ରେଲୱେ କାରଖାନା‌ର ବର୍ଷା ପାଣି ରଙ୍ଗମାଟିଆ ମଝିସାହି ଦେଇ ଚାଲେ। ଗାଡ଼କଣ ଗାଁ ନିକଟ ଦେଇ ଜୟଦେବ ବିହାର-ନନ୍ଦନକାନନ ଡାହାଣ ପାର୍ଶ୍ବ ସମାନ୍ତରାଳ ରାସ୍ତା ଯାଉଥିବାରୁ ୱାର୍ଡବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ଏନେଇ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ଆଗାମୀ ନିର୍ବାଚନରେ ଏହିସବୁ ସମସ୍ୟା ପ୍ରମୁଖ ପ୍ରସଙ୍ଗ ପାଲଟିବାକୁ ଯାଉଛି।

୨୦୧୪ରେ ଏହି ୱାର୍ଡରେ ବିଜେଡିକୁ ପରାଜୟର ମୁହଁ ଦେଖିବାକୁ ମିଳିଥିଲା। ସ୍ବାଧୀନ ପ୍ରାର୍ଥୀ ସୂର୍ଯ୍ୟକାନ୍ତି ଜେନା ବିଜେଡି ପ୍ରାର୍ଥୀ ଯାଜ୍ଞ‌ସେନୀ ସାହୁଙ୍କୁ ୧୪୮ଖଣ୍ଡ ଭୋଟ୍‌ରେ ପରାସ୍ତ କରିଥିଲେ। ପରବର୍ତୀ ସମୟରେ ସୂର୍ଯ୍ୟକାନ୍ତି ବିଜେଡିରେ ଯୋଗଦେବା ସହ ଏବେ ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀର ବିଜେଡି ସଭାପତି ରହିଛନ୍ତି। ତେଣୁ ଏଥର ବିଜେଡି ପାଇଁ ପ୍ରାର୍ଥୀ ଚୟନ ସେତେଟା ଅସୁବିଧା ସୃଷ୍ଟି ହେବ ନାହିଁ। ସୂର୍ଯ୍ୟକାନ୍ତିଙ୍କୁ ଦଳ ପ୍ରାର୍ଥୀ କରିବାର ସମ୍ଭାବନା ଅଧିକ ରହିଛି। ମାତ୍ର ୨୦୧୪ର ଭୁଲ୍‌ ଯେପରି ଏଥର ନ ହୁଏ, ସେଥିପ୍ରତି ଦଳ ନଜର ରଖିଛି। ଚଳିତବର୍ଷ ଏହି ୱାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାରୁ ସୂର୍ଯ୍ୟକାନ୍ତିଙ୍କ ସମେତ ନୂଆ ଆଶାୟୀ ରୁବିନା ପରିଡ଼ା, ଅନିତା ପଣ୍ଡା, ସତ୍ୟଭମା ସାହୁ, ଝୁନିବାଳା ପାତ୍ର ଟିକେଟ୍‌ ଆଶାୟୀ ରହିଛନ୍ତି।

ସେହିପରି ବିଜେପି ପକ୍ଷରୁ ବାସନ୍ତୀଲତା ସେଠୀଙ୍କ ନାଁ ସବୁଠାରୁ ଆଗରେ ଥିବା ବେଳେ କଂଗ୍ରେସରୁ ଏପର୍ଯ୍ୟନ୍ତ କେହି ପ୍ରାର୍ଥୀ ଆଗକୁ ବାହାରି ନାହାନ୍ତି। ପୂର୍ବତନ କର୍ପୋରେଟର ସୂର୍ଯ୍ୟକାନ୍ତି ଜେନା କହିଛନ୍ତି ଯେ ୱାର୍ଡରେ ବିକାଶ କାର୍ଯ୍ୟ ଜାରି ରହିଛି। ରାସ୍ତାଘାଟ ମରାମତିଠାରୁ ୱାର୍ଡର ସମସ୍ତ ହିତାଧିକାରୀଙ୍କୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଦିଆଯାଇଛି। ବସ୍ତିଗୁଡ଼ିକର ବିକାଶ ହୋଇଛି। ଆଗକୁ ବି ଏହି ବିକାଶ ଧାରା ଜାରି ରହିବ। ଏଥର ବିଜେଡି ଟିକେଟ୍‌ ମିଳିବ ବୋଲି ଆଶା ରଖିଛି।

ସମ୍ବନ୍ଧିତ ଖବର