ୱାର୍ଡ ନଂ୬୫: ୩ ପ୍ରମୁଖ ଦଳଙ୍କ ଆଖି, ଏଥର ପ୍ରସଙ୍ଗ ଡ୍ରେନ୍‌, ସ୍ବେରେଜ୍‌ ଓ ଟ୍ରାଫିକ୍‌ ସମସ୍ୟା

ଭୁବନେଶ୍ବର: ବିଏମ୍‌ସି ୱାର୍ଡ ନମ୍ବର ୬୫ରେ ଏଥର ପୌର ନିର୍ବାଚନ ଭିନ୍ନ ରୂପ ନେବ। ଏହି ୱାର୍ଡରେ ପାତ୍ରପଡ଼ା-ଭଗବାନପୁର ପଞ୍ଚାୟତର କିଛି ଅଂଶ ଏଥର ନୂଆ କରି ମିଶିଥିବାରୁ ନିର୍ବାଚନ ରଣନୀତି ମଧ୍ୟ ନିଆରା ହେବ। ପୌର ନିର୍ବାଚନ ଇତିହାସରେ ଏଠାରୁ କଂଗ୍ରେସ, ବିଜେପି ଓ ବିଜେଡି ଥରେ ଲେଖାଏ ଜିତିଥିବାରୁ ଏଥର ସବୁ ଦଳ ପୁଣି ଥରେ ସେମାନଙ୍କ ଦବ୍‌ଦବା ପ୍ରଦର୍ଶନ କରିବାକୁ ଟାକି ବସିଛନ୍ତି। ତେବେ ଏହି ୱାର୍ଡରେ ଥିବା କିଛି ସମସ୍ୟା ଓ ନୂଆ କରି ବିଏମ୍‌ସି‌ରେ ସାମିଲ୍‌ ହୋଇଥିବା ପାତ୍ରପଡ଼ା ଓ ଭଗବାନପୁର ଗାଁର ସମସ୍ୟାକୁ ନେଇ କର୍ପୋରେଟର ଆଶାୟୀମାନଙ୍କୁ ଭୋଟରଙ୍କୁ ଜବାବ୍ ଦେବାକୁ ପଡ଼ିବ।

ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା ଏଠାରେ ଆଜି ବି ସ୍ବେରେଜ୍ ଓ ଡ୍ରେନେଜ୍ ଭଳି ମୌଳିକ ସୁବିଧା ଲୋକଙ୍କୁ ମିଳିପାରିନାହିଁ। ସେହିଭଳି ଏହି ଅଞ୍ଚଳ ଦେଇ ଯାଇଥିବା ୫ ନମ୍ବର ଜାତୀୟ ରାଜପଥରେ ଥିବା ଟ୍ରାଫିକ୍ ସମସ୍ୟା ଲୋକଙ୍କୁ ବଡ଼ କଲବଲ କରୁଛି। କସ୍‌ମୋପଲିସ ଛକରେ ମେଡିଆନ୍ କଟ୍ ବନ୍ଦ ହୋଇଯାଉଥିବାରୁ ଉପୁଜିଥିବା ଟ୍ରାଫିକ୍ ସମସ୍ୟା ଏଠିକାର ଜନ ଅସନ୍ତୋଷର ପ୍ରମୁଖ କାରଣ। ସ୍ଥାନୀୟ ବାସିନ୍ଦା ସୁବାସ ଚନ୍ଦ୍ର ଜେନା କହିଛନ୍ତି ଯେ ସ୍ବେରେଜ ପାଣି ରାସ୍ତାରେ ଭାସୁଛି। ଡ୍ରେନ୍‌ର ପଚା ପାଣିରେ ପଶି ଯାତାୟାତ କରିବାକୁ ପଡ଼ୁଛି। ୨୦୧୩ ମସିହା ସୁଦ୍ଧା ଏହି ଅଞ୍ଚଳର ସ୍ବେରେଜ୍ କାମ ସରିବାର ଥିଲା। ମାତ୍ର ୧୦ ବର୍ଷ ବିତିବା ପରେ ବି କିଛି ହୋଇପାରିନି। ସେହିଭଳି ପାତ୍ରପଡ଼ା ଓ ଭଗବାନପୁର ଅଞ୍ଚଳର ବି ବହୁ ସମସ୍ୟା ରହିଛି।
ପୂର୍ବତନ କର୍ପୋରେଟର ଜ୍ୟୋତ୍ସ୍ନାମୟୀ ଜେନା କହିଛନ୍ତି ଯେ ଏଠାରେ ପ୍ରାୟ ୮କୋଟିରୁ ଊର୍ଦ୍ଧ୍ବ ଟଙ୍କାର ରାସ୍ତା କାମ ହୋଇଛି। ସେହିଭଳି ପ୍ରାୟ ୧୫ କିମିରୁ ଅଧିକ ଦୈର୍ଘ୍ୟର ଡ୍ରେନ୍ କାମ ମଧ୍ୟ କରାଯାଇଛି। ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ୨ଟି ପାର୍କ ମଧ୍ୟ କରାଯାଇଛି। ସେହିଭଳି ଯୋଗ୍ୟ ହିତାଧିକାରୀମାନଙ୍କୁ ରାସନ୍ କାର୍ଡ ଓ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଯୋଜନା ଭତ୍ତା ଯୋଗାଇ ଦିଆଯାଇଛି। ତେବେ କଲ୍ୟାଣ ମଣ୍ଡପ ହୋଇପାରିନାହିଁ ବୋଲି ସେ କହିଛନ୍ତି। ଅନ୍ୟ ପକ୍ଷରେ ନୂଆ କରି ସାମିଲ୍‌ ହୋଇଥିବା ଅଞ୍ଚଳରେ ବି ଲୋକଙ୍କୁ ଆବାସ୍ ଯୋଜନା ଭଳି ସବୁ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯାଉଛି। ଏମିତିକି ପୁଷ୍କରିଣୀ ପୁନରୁଦ୍ଧାର କାମ ହୋଇଛି।

ଏହି ଵାର୍ଡରେ ବିଜେଡି, କଂଗ୍ରେସ ଓ ବିଜେପି ଦଳର ଫୋକସ୍ ରହିଛି। ପ୍ରଥମେ ଏଠାରୁ କଂଗ୍ରେସ ଜିତିଥିବା ବେଳେ ୨୦୦୮ରେ ବିଜେଡି ଓ ୨୦୧୪ରେ ବିଜେପି ଜିତିଥିଲା। ବିଧାନସଭା କ୍ଷେତ୍ର ଦୃଷ୍ଟିରୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ନଜର ଏହି ୱାର୍ଡ ଉପରେ ରହିଛି। ପୂର୍ବରୁ ଏହି ୱାର୍ଡ ଏକାମ୍ର ନିର୍ବାଚନମଣ୍ଡଳୀରେ ଥିବା ବେଳେ ଏଥର ଜଟଣୀ ନିର୍ବାଚନ ମଣ୍ଡଳୀର ପାତ୍ରପଡ଼ା, ଭଗବାନପୁର, କେ-୯ ଓ ଉଦୟଗିରିବିହାର ପ୍ରମୁଖ ଅଞ୍ଚଳ ସାମିଲ୍‌ ହୋଇଛି। ତେବେ ଏଠାରେ ମଧ୍ୟ ବିଜେପି ସଂଗଠନ ଦୃଷ୍ଟିରୁ ଭଲ ସ୍ଥିତିରେ ଥିବାରୁ ନିର୍ବାଚନ ମଇଦାନରେ ଦଳ ପଛରେ ପଡ଼ିବ ନାହିଁ ବୋଲି ଆଲୋଚନା ହେଉଛି। ସୂଚନାଯୋଗ୍ୟ, ୨୦୦୮ରେ ଏଠାରୁ କାର୍ତ୍ତିକ ସୁନ୍ଦରରାୟ ବିଜେଡିରୁ ଜିତିଥିବା ବେଳେ ଏବେ ସେ ବିଜେପିରେ ଅଛନ୍ତି। ସେହିଭଳି ୨୦୧୪ ରେ ଜ୍ୟୋତ୍ସ୍ନାମୟୀ ଜେନା ବିଜେପିରୁ ଜିତିଥିବା ବେଳେ ଏବେ ସେ ବିଜେଡିରେ ଅଛନ୍ତି।

ସମ୍ବନ୍ଧିତ ଖବର