ଖଣ୍ଡଗିରି: ପାନୀୟ ଜଳ ମିଳୁନି, ଅଥଚ ବର୍ଷ ସାରା ରାସ୍ତାରେ ଲହଡ଼ି ମାରୁଛି ସ୍ବେରେଜ୍‌ ପାଣି। ଡ୍ରେନ୍‌ ଏମିତି ତିଆରି ହୋଇଛି ଯେ ଓଲଟା ଲୋକଙ୍କ ଘରେ ପାଣି ପଶୁଛି। ଏମିତି ମାଳମାଳ ସମସ୍ୟା ରହିଛି ବିଏମ୍‌ସି ୱାର୍ଡ ନମ୍ବର ୬୬ରେ। ତେଣୁ ଲୋକଙ୍କ ଭିତରେ ଭରି ରହିଛି ପୁଳାପୁଳା ଅସନ୍ତୋଷ। ଆସନ୍ତା ପୌର ନିର୍ବାଚନରେ ଏସବୁକୁ ନେଇ ସ୍ଥାନୀୟ ଲୋକେ ନେତାମାନଙ୍କୁ ଅଡ଼ୁଆରେ ପକାଇବେ ବୋଲି ଚର୍ଚ୍ଚା ହେଉଛି।

Advertisment

ଏହି ୱାର୍ଡରେ ସବୁଆଡ଼େ ଗଦା ହୋଇରହିଛି ଆବର୍ଜନା। ନିୟମିତ ସଫେଇ ହେଉନାହିଁ। ବର୍ଷସାରା ନର୍ଦ୍ଦମା ପାଣି ରାସ୍ତାରେ ବହୁଛି। ସ୍ବେରେଜ୍‌ ଡ୍ରେନ୍‌ କାର୍ଯ୍ୟକ୍ଷମ ହୋଇ ନଥିବାରୁ ଲୋକଙ୍କ ଘର ଆ‌ଗରେ ମଇଳା ପାଣି ଭାସୁଛି। ବହୁ ଡ୍ରେନ୍‌ ମୁକୁଳା ଥିବାରୁ ଛୋଟ ପିଲାମାନେ ଗଳି ପଡ଼ି ଆହତ ହେଉଛନ୍ତି। ଶୁକବିହାର ଅଞ୍ଚଳକୁ ପାନୀୟ ଜଳ ଠିକ୍ ସମୟରେ ଆସୁନାହିଁ। ଏଠାରେ ଡ୍ରେନ୍ ଉଚ୍ଚା କରି ତିଆରି କରାଯାଇଥିବାରୁ ସାମାନ୍ୟ ବର୍ଷାରେ ଘରେ ଆଗରେ ପାଣି ଜମି ରହୁଛି ଓ ଅଧିକ ବର୍ଷା ହେଲେ ଘରେ ପାଣି ପଶୁଛି। ଏହି ଅଞ୍ଚଳର ସ୍କୁଲରେ ପାଚେରି ନାହିଁ। ପାଲା ମଣ୍ଡପ ନିକଟ ରାସ୍ତା ମରଣଯନ୍ତା ପାଲଟିଛି। ରାଜଧାନୀରେ ଏହି ୱାର୍ଡଟି ସବୁଠାରୁ ଅବହେଳିତ ବୋଲି ଅଭିଯୋଗ ହେଉଛି।
୨୦୧୪ରେ ୬ହଜାର ଭୋଟର୍‌ଙ୍କୁ ନେଇ ଏହି ୱାର୍ଡ ଗଠିତ ହୋଇଥିଲା। ଏବେ ଭୋଟରଙ୍କ ସଂଖ୍ୟା ୮,୧୭୬। ବିଜେଡିରୁ ଜିତିଥିବା ପୂର୍ବତନ କର୍ପୋରେଟର ଛବି ଦାସ ପୁଣି ଚଳିତ ବର୍ଷ ପ୍ରାର୍ଥୀ ହେବାକୁ ମନ ବଳାଇଛନ୍ତି। ସେହିଭଳି ବିଜେପିରୁ ସୁମିତ୍ରା ଆଚାର୍ଯ୍ୟ ପ୍ରାର୍ଥୀ ହେବା ଚର୍ଚ୍ଚା ହେଉଛି। କଂଗ୍ରେସରୁ କାହାର ନାଁ ଆଲୋଚନା ହୋଇନଥିବା ଜଣାପଡ଼ିଛି।

ପୂର୍ବତନ କର୍ପୋରେଟର ଶ୍ରୀମତୀ ଦାସ କହିଛନ୍ତି ଯେ ଅଧିକାଂଶ ଅଞ୍ଚଳରେ ଆଲୋକୀକରଣ ବ୍ୟବସ୍ଥା ହୋଇଛି। ଡୁମୁଡୁମା ଫେଜ୍‌ ୩, ଶୁକବିହାର, ସତ୍ୟନଗର, ରଘୁନାଥନଗରର ଡ୍ରେନେଜ୍ କାମ ୮୦% ସରିଛି। ଦୀର୍ଘ ବର୍ଷର ଦାବି ଥିବା ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହୋଇଛି। ଫେଜ୍‌ ୩ରେ ଏକ ଶ୍ମଶାନ ତିଆରି ହୋଇଛି। ସବୁ ଘରକୁ ପିଇବା ପାଣି ଯୋଗାଇ ଦିଆଯାଇଛି। ରଘୁନାଥନଗରରେ ଆଉ ଏକ ମଶାଣି ତିଆରି ପାଇଁ ୧୪ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଛି। ତେବେ ୬୪ ଓ ୬୬ ନମ୍ବର ୱାର୍ଡ ସୀମାରେ ଏକ ରାସ୍ତାକୁ ନେଇ ବିବାଦ ଥିବାରୁ ଉକ୍ତ ରାସ୍ତା କାମ ହୋଇପାରିନି। ସେହିଭଳି କିଛି ଡ୍ରେନ୍ କାମ ବାକି ରହିଛି ଓ ତାହା ନିଶ୍ଚୟ ହେବ ବୋଲି ସେ କହିଛନ୍ତି।