ଚନ୍ଦ୍ରଶେଖରପୁର : ୱାର୍ଡ ନମ୍ବର ଏକ। ଚନ୍ଦକା ଶିଳ୍ପାଞ୍ଚଳ ସମେତ କିଟ୍ ବିଶ୍ବବିଦ୍ୟାଳୟ ପରି ଶିକ୍ଷାନୁଷ୍ଠାନ ଥିବା ଏହି ୱାର୍ଡର କର୍ପୋରେଟର ମମତା ରାଉତ। ୱାର୍ଡର ବିକାଶ କରିବାକୁ ପ୍ରତିଶ୍ରୁତି ଦେଇ ୨୦୧୪ରେ ନିର୍ବାଚନ ଲଢ଼ିଥିଲେ। ମମତା ବିଜୁ ଜନତା ଦଳରୁ ପାର୍ଥୀ ହୋଇଥିବାବେଳେ ସ୍ବାଧୀନ ପ୍ରାର୍ଥୀ ସୁପ୍ରଭା ମିଶ୍ରଙ୍କୁ ମାତ୍ ଦେଇ ନିର୍ବାଚନ ଜିତିଥିଲେ।
ବିଜୟ ହାସଲ କରିବା ପରେ ୱାର୍ଡର ବହୁ ଉନ୍ନୟନ କାମ ହାତକୁ ନେଇଥିବା ଦାବି କରିଛନ୍ତି ମମତା। ତାଙ୍କ କାର୍ଯ୍ୟକାଳରେ ୱାର୍ଡର ରାସ୍ତାଘାଟ ସୁଦୃଢ଼ ହୋଇଛି। ଲୋକଙ୍କୁ ବିଜୁଳି ଓ ପାନୀୟ ଜଳ ସଂଯୋଗ ଦିଆଯାଇଛି। କମ୍ୟୁନିଟି ଶୌଚାଳୟ ନିର୍ମାଣ ଦିଗରେ ପଦକ୍ଷେପ ନିଆଯାଇଥିବା କହୁଥିବା ବେଳେ ବିରୋଧୀ କିନ୍ତୁ ଏହାକୁ ମାନିବାକୁ ନାରାଜ।
ବିରୋଧୀଙ୍କ ଅଭିଯୋଗ ଯେ, ୱାର୍ଡର ସବୁ ଅଞ୍ଚଳରେ ଏପର୍ଯ୍ୟନ୍ତ ଡ୍ରେନେଜ୍ ବ୍ୟବସ୍ଥା ହୋଇପାରିନି। ପ୍ରଶାନ୍ତି ବିହାର, ଚିରଗୋଲାଟୋଲି ବସ୍ତି, ଇନ୍ଫୋସିଟି ଥାନା ଅଞ୍ଚଳରେ ଏବେବି ଡ୍ରେନ୍ ନଥିବାରୁ ଏହି ଅଞ୍ଚଳରେ ପାଣି ନିଷ୍କାସନ ହୋଇପାରୁନି।
ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଯେ, ଚନ୍ଦକା ଶିଳ୍ପାଞ୍ଚଳରେ ଥିବା କେତେକ ଶିଳ୍ପ ସଂସ୍ଥାରୁ ବାହାରୁଥିବା ଆବର୍ଜନା ପାଣି ବସ୍ତି ନିକଟ ଦେଇ ଯାଉଛି। ଡ୍ରେନ୍ ହୋଇ ନଥିବାରୁ ଯେଉଁ ବାଟ ଦେଇ ଆବର୍ଜନା ପାଣି ଯାଉଛି ଲୋକେ ସେଠାରେ ଗାଧଉଛନ୍ତି। ଏହି ୱାର୍ଡରେ ଅନ୍ୟତମ ପ୍ରମୁଖ ସମସ୍ୟା ହେଉଛି ଆବର୍ଜନା ପ୍ରତିଦିନ ନଉଠିବା। ଏପରିକି ଦିନେ ଦିନେ ଅପରାହ୍ନରେ ଅଳିଆ ଉଠୁଥିବା ଲୋକେ ଅଭିଯୋଗ କରିଛନ୍ତି।
ୱାର୍ଡରେ ଆସୁଥିବା ଅଞ୍ଚଳ
ପ୍ରଶାନ୍ତି ବିହାର, ପ୍ରଶାନ୍ତି ବିହାର ହାଉସିଂ ବୋର୍ଡ ଅଞ୍ଚଳ, ଚିରଗୋଲାଟୋଲି ବସ୍ତି, ଇନ୍ଫୋସିଟି ଥାନା ଅଞ୍ଚଳ, କିଟ୍ ହଷ୍ଟେଲ, ୱେଷ୍ଟର୍ଣ୍ଣ ଆପାର୍ଟମେଣ୍ଟ, ଇନ୍ଫୋସିସ୍ ଅଫିସ୍ ଅଞ୍ଚଳ, ସିଲିକନ୍ କଲେଜ ଓ ଫ୍ୟୁଚର ଭୁବନେଶ୍ବର ସ୍କୁଲ ଅଞ୍ଚଳ, ଡାଇରେକ୍ଟର ଅଫ୍ ସିଲ୍କ ଇଣ୍ଡଷ୍ଟ୍ରିଜ୍ ଅଞ୍ଚଳ।