ୱାର୍ଡ ନଂ୧୧: ଆଶାୟୀଙ୍କୁ ଅଡ଼ୁଆ ରାସ୍ତା ଓ ରେଳ ଓଭରବ୍ରିଜ୍‌

ୱାର୍ଡ ପରିସୀମା: ଭିଏସ୍‌ଏସ୍‌ନଗର ହାଉସିଂବୋର୍ଡ ଅଞ୍ଚଳ, ଧିରିକୁଟି ବସ୍ତି, ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ, ଭିଏସ୍‌ଏସ୍‌ ପାର୍କ ଅଞ୍ଚଳ, ପାତ୍ରସାହି ବସ୍ତି, ତ୍ରିନାଥ ବସ୍ତି। ଭୋଟର୍: ୧୦୦୭୧, ପୁରୁଷ: ୫୫୪୮, ମହିଳା: ୪୫୨୩

ଭୁବନେଶ୍ବର: ବିଏମ୍‌ସି ୧୧ ନମ୍ବର ୱାର୍ଡ ଭିଏସ୍‌ଏସ୍‌ନଗରରେ ବର୍ଷ ବର୍ଷ ଧରି ମୁଖ୍ୟ ସମସ୍ୟା ହୋଇ ରହିଆସିଛି ରାସ୍ତା। ରାଜଧାନୀର ଏହି ପ୍ରମୁଖ ଅଂଶଟି ରାସ୍ତା ସମସ୍ୟା ପାଇଁ ଏକ ଘେରା‌ବନ୍ଦୀ ଅଞ୍ଚଳଭାବେ ଜଣାଶୁଣା। ରାସ୍ତା ଥାଇ ନ ଥିଲା ଭଳି। ଭିଏସ୍‌ଏସ୍‌ନଗରରୁ ବାହାରକୁ ବାହାରିବା ପାଇଁ ସୁଗମ ରାସ୍ତା ନାହିଁ। ସତ୍‌ସଙ୍ଗବିହାର ଦେଇ ଜାତୀୟ ରାଜପଥ ତଳେ ଯାଇଥିବା ଅଣ୍ଡରପାସ୍‌ ଓ ବାଣୀବିହାର ପାଚେରିକୁ ଲାଗିଥିବା ଲକ୍ଷ୍ମୀବିହାର ରାସ୍ତା ପାଇଁ ଏହି ଅଞ୍ଚଳର ଲୋକେ ଦୀର୍ଘ ବର୍ଷ ହେବ ଦାବି କରିଆସୁଛନ୍ତି।

ଦୁଇଟି ଯାକ ରାସ୍ତାର ସମସ୍ୟା ସମାଧାନ ପାଇଁ ସ୍ଥାନୀୟଲୋକମାନେ ରାସ୍ତାରୋକ, ଧାରଣା ଦେବା ଭଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେହିଭଳି ରେଳ ଓଭରବ୍ରିଜ୍‌ ପାଇଁ ବର୍ଷ ବର୍ଷ ଧରି ସେମାନେ କେବଳ ପ୍ରତିଶ୍ରୁତି ହିଁ ପାଇଛନ୍ତି ସିନା ବ୍ରିଜ୍‌ ସାତ ସପନ ହୋଇରହିଛି। ତେଣୁ ଆଗାମୀ ପୌର ନିର୍ବାଚନ ସମୟରେ ସ୍ଥାନୀୟ ଲୋକେ ଏସବୁ ସମସ୍ୟା ନେଇ ପ୍ରାର୍ଥୀମାନଙ୍କୁ ପ୍ରଶ୍ନ କରିବେ ବୋଲି ଆଭାସ ମିଳିଲାଣି।

ମଞ୍ଚେଶ୍ବର ଶିଳ୍ପାଞ୍ଚଳକୁ ଭିଏସ୍‌ଏସ୍‌ନଗର ସହ ସଂଯୋଗ କରୁଥିବା ରାସ୍ତାରେ ରହିଛି ରେଳ ଫାଟକ। ଏଠାରେ ରେଳଓଭରବ୍ରିଜ୍‌ ନିର୍ମାଣ ହେବା ପାଇଁ ଟେଣ୍ଡର୍‌ ହୋଇଥିଲେ ବି କାମ ଆରମ୍ଭ ହେଉନାହିଁ। ସେହିଭଳି ସତସଙ୍ଗବିହାର ଛକରୁ ଲମ୍ବିଥିବା ରାସ୍ତା ଉଠାଦୋକାନୀଙ୍କ ଜବରଦଖଲ ଯୋଗୁଁ ସଂକୁଚିତ ହେବାରେ ଲାଗିଛି। ଦିନ ବେଳା ବେଆଇନ୍‌ ଭାବେ ଭାରୀଯାନ ପ୍ରବେଶ କରୁଥିବାରୁ ବଜାର ହାଟକୁ ଆସୁଥିବା ‌ସ୍ଥାନୀୟ ବାସିନ୍ଦାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦିନକୁ ଦିନ ସ୍ଥାନୀୟ ଅଞ୍ଚଳରେ ଅପରାଧ ବଢ଼ିଚାଲିଛି।

ଅପରାଧ ନିୟନ୍ତ୍ରଣ ପାଇଁ ଫାଣ୍ଡି ପ୍ରତିଷ୍ଠା ହୋଇଥିଲେ ବି ତାହା ଅଚଳାବସ୍ଥାରେ ରହିଛି। ଡାକ୍ତରଖାନା କଥା କିଛି କମ୍ ସମସ୍ୟାରେ ନାହିଁ। ସ୍ଥାନୀୟ ଲୋକଙ୍କ କହିବା କଥା ତାହା ନାମକୁ ମାତ୍ର ଏକ ସ୍ବାସ୍ଥ୍ୟକେନ୍ଦ୍ର। କୌଣସି ଡାକ୍ତର ୬ ମାସରୁ ଅଧିକ କାଳ ରହୁନାହାନ୍ତି। ପାର୍କ ଓ କଲ୍ୟାଣମଣ୍ଡପ ଥାଇ ବି ନଥିବା ଅବସ୍ଥାରେ ରହିଛି। କଲ୍ୟାଣ ମଣ୍ଡପର ମରାମତି ହେଉନାହିଁ କି ପାର୍କର ପୁନରୁଦ୍ଧାର ହେଉନାହିଁ। ସେହିଭଳି ସରକାରୀ ଜମି ଜବରଦଖଲ ହୋଇଥିବା କାରଣରୁ ମାର୍କେଟ୍‌ କମ୍ପ୍ଲେକ୍ସ ନିର୍ମାଣ ହୋଇପାରୁନାହିଁ। ସରକାରୀ ଜମି ଜବରଦଖଲ ଯୋଗୁଁ ବହୁ ସରକାରୀ ଯୋଜନା ବାଧାପ୍ରାପ୍ତ ହେଉଛି।

ତେବେ ପୂର୍ବତନ କର୍ପୋରେଟର୍‌ ରଶ୍ମିତା ମହାନ୍ତିଙ୍କ କହିବା କଥା ତାଙ୍କ କାର୍ଯ୍ୟକାଳ ଭିତରେ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ପ୍ରାୟ ସବୁ ରାସ୍ତାକୁ ମରାମତି କରାଯାଇଛି ଓ ଆଲୋକୀକରଣ କରାଯାଇଛି। ବହୁ କଲୋନିରେ ଡ୍ରେନ୍‌ ଓ ସ୍ବେରେଜ୍‌ ଲାଇନ୍‌ କାମ କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ପାଇଁ ଫାଣ୍ଡି ପ୍ରତିଷ୍ଠା କରାଯାଇଛି। ଦୁଇଟି ନୂଆ ପାର୍କ ପ୍ରତିଷ୍ଠା ହୋଇଛି। ପ୍ରତି ଘରକୁ ୨୪ ଘଣ୍ଟିଆ ପାଇପ୍‌ ଜଳ ଯୋଗାଇ ଦିଆଯାଇଛି। ପ୍ରାୟ ୧୬ ଶହ ବସ୍ତିବାସିନ୍ଦାଙ୍କୁ ରାଜୀବ ଆବାସ ଯୋଜନାରେ(ରେ’) ସାମିଲ୍‌ କରି ପଟ୍ଟା ଦିଆଯାଇଛି। ସେହିପରି ବସ୍ତିର ଆହୁରି ୫ ଶହ ଲୋକଙ୍କୁ ରେ’ରେ ସାମିଲ୍‌ କରାଯିବ ବୋଲି ପ୍ରସ୍ତୁତି ସରିଛି। ତେବେ ଉଠା ଦୋକାନୀ ଓ ମା‌ର୍କେଟ କମ୍ପ୍ଲେକ୍ସ ସମସ୍ୟା ରହିଛି ବୋଲି ସେ କହିଥିଲେ। ସେହିଭଳି ଅଧାରେ ଅଟକିଥିବା ଡ୍ରେନ୍‌-୪ କାମ ମଧ୍ୟ ଶେଷ ହେବା ପାଇଁ ସବୁ ଯୋଜନା ହୋଇସାରିଛି।

ଏଣେ ପୌର ନିର୍ବାଚନ ବିଗୁଲ୍‌ ବାଜିବା ପରଠାରୁ ଏଠାରେ ରାଜନୈତିକ ପାଣିପାଗ ସରଗରମ ହୋଇଉଠିଛି। ଏହି ୱାର୍ଡରେ ବିଜେଡିରେ ମାଳମାଳ ଆଶାୟୀ ମୁଣ୍ଡ ଟେକିଛନ୍ତି। ଏହା ଆଗାମୀ ଦିନରେ ବିଜେଡିରେ ଗୋଷ୍ଠୀ ବିବାଦର କାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। କିଛି ଆଶାୟୀ ନିଜକୁ ଏହି ୱାର୍ଡର ସ୍ଥାୟୀ ବାସିନ୍ଦା ଓ ଅନ୍ୟମାନଙ୍କୁ ଉଡ଼ା କାଉ ବୋଲି କହିବା ଆରମ୍ଭ କରିଛନ୍ତି। ଦୀର୍ଘ ବର୍ଷ ଏହି ୱାର୍ଡ ବିଜେଡି କବ୍‌ଜାରେ ଥିବାରୁ ଏଥର ବିଜେପି ଓ କଂଗ୍ରେସ ଏହି ଆସନକୁ ଦଖଲ କରିବାକୁ ପ୍ରୟାସ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର