ଜଟଣୀ: ବିକାଶଠୁ ବହୁ ଦୂରରେ ଜଟଣୀ ପୌରପାଳିକାର ୨୦ ନମ୍ବର ୱାର୍ଡ। ମୌଳିକ ଭିତ୍ତିଭୂମି ବି ଏଠାରେ ସାତସପନ। ଯୋଜନା ପରେ ଯୋଜନା ହେଉଛି, ହେଲେ ସବୁକିଛି ନାଲିଫିତା ତଳେ। ଫଳରେ ବର୍ଷବର୍ଷ ଧରି ଏହି ୱାର୍ଡ ଅବହେଳିତ ଅବସ୍ଥାରେ ରହିଯାଇଛି। ଭଗବତୀନଗର, ବାବାନଗର, ମାଣିଆ ଛକ ଆଦି ଅଞ୍ଚଳକୁ ନେଇ ଏହି ୱାର୍ଡ ଗଠିତ। ଏବେ ବି ଏହି ୱାର୍ଡରେ ୨ଶହରୁ ଅଧିକ ପରିବାର ପାନୀୟ ଜଳ ପାଇଁ କୂଅ ଓ ନଳକୂଅ ଉପରେ ନିର୍ଭରଶୀଳ। ଜଟଣୀକୁ ୨୪ ଘଣ୍ଟିଆ ଜଳ ଯୋଗାଣ ବ୍ୟବସ୍ଥା ହୋଇଥିଲେ ହେଁ ୱାର୍ଡର ବହୁ ଅଞ୍ଚଳ ଏହି ଯୋଜନାରୁ ବଞ୍ଚିତ। କେବଳ ସେତିକି ନୁହେଁ, ଏହି ୱାର୍ଡର କିଛି ପ୍ରମୁଖ ରାସ୍ତା ଏବେ ବି କଚ୍ଚା ଅବସ୍ଥାରେ ଅଛି। ବର୍ଷା ଦିନେ ଲୋକେ କାଦୁଅ, ପଙ୍କରେ ଯାତାୟତ କରୁଛନ୍ତି। ଏଠାରେ ଥିବା ଡ୍ରେନ୍‌ଗୁଡ଼ିକର ଅବସ୍ଥା ମଧ୍ୟ ଅତି କଦର୍ଯ୍ୟ। ନିୟମିତ ସଫେଇ ହେଉ ନଥିବାରୁ ବହୁ ଡ୍ରେନ୍‌ ଆବର୍ଜନାରେ ପୋତି ହୋଇଗଲାଣି। 

Advertisment

ପ୍ରସ୍ତାବରେ ଅଟକିଛି ବିକାଶ କାମ 
ଅଢେ଼ଇ ବର୍ଷ ମଧ୍ୟରେ ମାତ୍ର ଅଧା ରାସ୍ତା କାମ ହୋଇଛି। କିଛି ଡ୍ରେନ୍ ଉପରେ ସ୍ଲାବ୍ ପକାଯାଇଛି। ମିନି ପାର୍କ, ମୁକ୍ତାକାଶ ବ୍ୟାୟାମଶାଳା ନିର୍ମାଣ କରିବାକୁ ଜାଗା ଚିହ୍ନଟ ପାଇଁ ପ୍ରସ୍ତାବ ଦିଆଯାଇଛି। କିନ୍ତୁ ଏସବୁ ପ୍ରସ୍ତାବ ସେମିତି ଅଟକି ରହିଛି। ସେହିପରି ବିଦ୍ୟାଳୟର ପାଚେରି ନିର୍ମାଣ କରିବାକୁ ବିଇଓଙ୍କୁ ଚିଠି ଲେଖାଯାଇଛି। ପ୍ରଶାସନର ସହଯୋଗ ମିଳିଲେ ବହୁତ କାମ ହୋଇପାରନ୍ତା।
ସନ୍ଧ୍ୟାରାଣୀ ଜାନି, କାଉନ୍‌ସିଲର

ସେହିପରି ବହୁ ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ନାହିଁ। ଅନ୍ଧାରିଆ ରାସ୍ତାରେ ନିଶାଡ଼ିଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି। କିଛି ସ୍ଥାନରେ ବିଦ୍ୟୁତ୍ ତାର ଝୁଲନ୍ତା ଅବସ୍ଥାରେ ରହିଛି। ଲୋକୋ କଲୋନି ପ୍ରାଥମିକ ବିଦ୍ୟାଳୟରେ ପାଚେରି ନଥିବାରୁ ଅସାମାଜିକ ଲୋକଙ୍କ ଆଡ଼ା ଜମୁଛି। ବରିଷ୍ଠ ନାଗରିକଙ୍କ ପାଇଁ ସଭାଗୃହ, ଡ୍ରେନ୍‌ ଗୁଡ଼ିକରେ ମଶା ତେଲ ପକାଇବା ସହ ମଶାଧୂଆଁ ଛାଡ଼ିବା, ପ୍ରତିଦିନ ସଫେଇ କରିବା, କମ୍ୟୁନିଟି ହଲ୍ ନିର୍ମାଣ, ଶିଶୁ ପାର୍କ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।