ୱାର୍ଡ ନଂ୨୭: ଭାଙ୍ଗିବ କି ବିଜେଡି ଗଡ଼!

ୱାର୍ଡ ପରିସୀମା:  ଆଇଆର୍‌ସି ଭିଲେଜ୍‌, ଏନ୍‌-୫, ଏନ୍‌-୬, ଜୟଦେବ ବିହାର ପ୍ରାଇଭେଟ୍‌ ପ୍ଲଟ୍‌, ନୂଆପଲ୍ଲୀ ଥାନା ଅଞ୍ଚଳ, ଇନ୍ଦ୍ରଧନୁ ମାର୍କେଟ୍‌ ଅଞ୍ଚଳ, ନାବାର୍ଡ ଅଫିସ ଅଞ୍ଚଳ, ବିଜୁ ପଟ୍ଟନାୟକ କଲେଜ ଅଞ୍ଚଳ(ଭୋଟର୍: ୯୦୭୫: ପୁରୁଷ: ୫୦୦୯, ମହିଳା: ୪୦୬୦, ତୃତୀୟ ଲିଙ୍ଗ: ୬)

ଖଣ୍ଡଗିରି: ୨୦୦୯ ମସିହାରୁ ବିଜେଡି ଗଡ଼ ଭାବେ ଜଣାଶୁଣା ବିଏମ୍‌ସି ୱାର୍ଡ ନମ୍ବର ୨୭ରେ ଏଥର ନିର୍ବାଚନ ଲଢ଼େଇ ଜୋର୍‌ଦାର୍‌ ହେବ। କଂଗ୍ରେସ ଏଠାରୁ ଆଗୁଆ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ବିଜେପି ମଧ୍ୟ ଭଲ ପ୍ରାର୍ଥୀ ଦେବାକୁ କସରତ ଚଳାଇଛି। ଏହି ୱାର୍ଡର ବହୁବିଧ ସମସ୍ୟାକୁ ନେଇ ଉଭୟ ବିଜେପି ଓ କଂ‌ଗ୍ରେସ ଶାସକ ବିଜେଡି ପ୍ରାର୍ଥୀଙ୍କୁ ଘେରିବେ ବୋଲି ଚର୍ଚ୍ଚା ହେଲାଣି।

ତେବେ ସ୍ଥାନୀୟ ବାସିନ୍ଦାମାନେ କାହା ଉପରେ ଆସ୍ଥା ରଖିବେ, ତାହା ଆଗାମୀ ଦିନରେ ଜଣାପଡ଼ିବ। ତେବେ ବିଜେଡି ଗଡ଼କୁ ଭାଙ୍ଗିବା ପାଇଁ ଦୁଇ ବିରୋଧୀ ଦଳ ସବୁପ୍ରକାର ଶକ୍ତି ଖଟାଇବେ ବୋଲି ସୂଚନା ମିଳିଛି। ଅପରପକ୍ଷରେ ଏହି ୱାର୍ଡରେ ହୋଇଥିବା ବିକାଶ କଥାକୁ ନେଇ ବିଜେଡି ଗଡ଼ ରକ୍ଷା କରିବାକୁ ଉଦ୍ୟମ କରୁଛି ବୋଲି ଜଣାପଡ଼ିଛି।

ଏହି ୱାର୍ଡ ପାଇଁ କଂଗ୍ରେସ ପକ୍ଷରୁ ଅନୀଲ ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା ହୋଇସାରିଛି। କିନ୍ତୁ ଉଭୟ ବିଜେଡି ଓ ବିଜେପିର ଅଙ୍କକଷା ସରିନାହିଁ। ବିଜେଡି ଓ ବିଜେପିରୁ ଏଠାରେ ଅନେକ ଆଶାୟୀ ଟିକେଟ୍‌ ଅପେକ୍ଷାରେ ରହିଛନ୍ତି। ବିଜେଡି ପକ୍ଷରୁ ପୂର୍ବତନ କର୍ପୋରେଟର୍‌ ଶୁଭ୍ରାଂଶୁ ଶେଖର ପଟନାୟକ(ସିଲୁ)ଙ୍କ ସହିତ ରାକେଶ ରାୟ, ବ୍ରହ୍ମାନନ୍ଦ ସ୍ବାଇଁ, ଅରୁଣ ଦିଗାଲ ଲାଇନ୍‌ରେ ଅଛନ୍ତି। ସେହିଭଳି ବିଜେପି ପକ୍ଷରୁ ଶୁଚିସ୍ମିତା ସାମଲ, ସ୍ବପ୍ନେନ୍ଦୁ ମହାନ୍ତି, ମେନକା ପରିଡ଼ା, ଅକ୍ଷୟ ମହାନ୍ତିଙ୍କ ସମେତ ୫ଜଣ ଆଶାୟୀ ଥିବା ଜଣାପଡ଼ିଛି। ନାମାଙ୍କନପତ୍ର ଦାଖଲ ଚାଲିଥିବାରୁ ଖୁବ୍‌ ଶୀଘ୍ର ଏହି ଦୁଇ ଦଳ ନିଜ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ।

ସୂଚନାଯୋଗ୍ୟ, ବିଜେଡିର ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ୨୦୦୯ ମସିହାରେ ସ୍ବାଧୀନ ପ୍ରାର୍ଥୀ ପ୍ରକାଶ ସାହୁଙ୍କୁ ପରାସ୍ତ କରିଥିଲେ। ୨୦୧୪ ମସିହାରେ ଏହି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ହେବାରୁ ତାଙ୍କ ଭାଇବୋହୂ ପ୍ରତିମା ରାଉତରାୟ ନିର୍ବାଚନ ଲଢିଥି‌ଲେ ଓ ସେ ବିଜେପି ପ୍ରାର୍ଥୀଙ୍କୁ ହରାଇଥିଲେ। ତେଣୁ ଏହି ୱାର୍ଡରେ ବିଜେଡିର ଦବ୍‌ଦବା ରହିଛି ବୋଲି କୁହାଯାଉଛି। ମାତ୍ର ଚଳିତ ବର୍ଷ ବିଜେଡି ପାଇଁ ନିର୍ବାଚନ ଲଢ଼େଇ ଏତେ ସହଜ ହେବ ନାହିଁ ବୋଲି ଆଲୋଚନା ହେଉଛି।

ବିଜେପିର ଆଶାୟୀ ସୁଚିସ୍ମିତା ସାମଲଙ୍କ ଅନୁସାରେ ଏହି ୱାର୍ଡରେ ଡ୍ରେନ୍‌, ରାସ୍ତା ଓ ଷ୍ଟ୍ରିଟ୍‌ ଲାଇଟ୍‌କୁ ପ୍ରସଙ୍ଗ କରାଯିବ। ସେହିଭଳି ରାଜ୍ୟ ସରକାରଙ୍କ ବର୍ଦ୍ଧିତ ବିଜୁଳି ଦରକୁ ମଧ୍ୟ ପ୍ରସଙ୍ଗ କରାଯିବ। ଏହି ୱାର୍ଡର ମୁଖ୍ୟ ସମସ୍ୟା ୪ ନମ୍ବର ନାଳର ନିର୍ମାଣ ଆରମ୍ଭ ହୋଇପାରିନାହିଁ। ଏଥିଯୋଗୁଁ ଜୟଦେବବିହାର ତଳି ଅଞ୍ଚଳରେ ଘରେ ଘରେ ଡ୍ରେନ୍‌ ପାଣି ପଶୁଛି। ବର୍ଷା ଜଳ ନିଷ୍କାସନ ପାଇଁ ଅନେକ ସମୟ ଲାଗୁଛି। ଗାନ୍ଧୀ ବଜାରର ବସ୍ତି ଡ୍ରେନ୍‌ ଚଉଡ଼ା କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଏହା କରାଗଲା ନାହିଁ।

ବାସିନ୍ଦା ଅଞ୍ଜନ ନାଥଙ୍କ କହିବାନୁସାରେ, ବସ୍ତିରେ ଡ୍ରେନ୍‌ କାମ ହୋଇନଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। କିନ୍ତୁ ପୂର୍ବତନ କର୍ପୋରେଟର୍‌ ପ୍ରତିମା ରାଉତରାୟଙ୍କ କହିବା କଥା ଏହି ୱାର୍ଡରେ ବରିଷ୍ଠ ନାଗରିକମାନଙ୍କ ପାଇଁ କମ୍ୟୁନିଟି ସେଣ୍ଟର କରାଯାଇଛି। କ୍ରାଉନ୍‌ ହୋଟେଲଠାରୁ ରିଲାଏନ୍ସ ଫ୍ରେସ୍‌ ଛକ ପର୍ଯ୍ୟନ୍ତ ଆଲୋକୀକରଣ ହୋଇଛି, ଜୟଦେବବିହାର ଛକରୁ ମହିଳା ଟାଙ୍କିଛକ ପର୍ଯ୍ୟନ୍ତ ବହୁ ସ୍ଥାନରେ ଲାଇଟ୍‌ ଲାଗିଛି, ଆଇବି ମାର୍କେଟ ରାସ୍ତା, ଏନ୍‌-୫, ଏନ୍‌-୬ ପାର୍କ ନିର୍ମାଣ ହୋଇଛି। ତେବେ ସେ ମେ’ ଫେୟାର୍‌ ଛକରୁ ଜୟଦେବବିହାର ଯାଇଥିବା ନମ୍ବର ୪ ଡ୍ରେନ୍‌ ସମସ୍ୟା ଥିବା ସ୍ବୀକାର କହିଛନ୍ତି। କିନ୍ତୁ ଏହାର ସମାଧାନ ହେବା ପାଇଁ ଉଦ୍ୟମ ଚାଲିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର