ଭୁବନେଶ୍ବର: ପ୍ରାର୍ଥିପତ୍ର ଦାଖଲ ପରେ ଗତକାଲି ଠାରୁ ବିଭିନ୍ନ ୱାର୍ଡରେ ପ୍ରଚାର କାର୍ଯ୍ୟ ଜୋର୍‌ଦାର ଆରମ୍ଭ ହୋଇଛି। ୩୨ ଓ ୩୩ ନମ୍ବର ୱାର୍ଡରେ ବିଜେଡିର ପ୍ରଦର୍ଶନ ଉପରେ ରାଜଧାନୀର ରାଜନୈତିକ ମହଲର ନଜର ରହିଛି। ଏହି ଦୁଇଟି ୱାର୍ଡରେ ଗତ କିଛି ବର୍ଷ ଧରି ପୂର୍ବତନ କର୍ପୋରେଟର୍‌ ଶ୍ରୀଧର ଜେନାଙ୍କ ପ୍ରଭାବ ରହିଛି। ‌ତାଙ୍କ ପସନ୍ଦର ପ୍ରାର୍ଥୀଙ୍କୁ ହିଁ ଏଠାରେ ଦଳୀୟ ଟିକେଟ୍‌ ମିଳୁଥିବା ଲକ୍ଷ୍ୟ କରାଯାଉଛି। ଏଥର ନିଜେ ଶ୍ରୀଧର ୩୨ରୁ ପ୍ରାର୍ଥୀ ହୋଇଥିଲା ବେ‌ଳେ ୩୩ରୁ ତାଙ୍କ ପରିବାରର ଅନ୍ୟ ଜଣେ ସଦସ୍ୟା ସୁଲଗ୍ନା ଜେନା ପ୍ରାର୍ଥୀ ହୋଇଛନ୍ତି।

Advertisment

publive-image

ଉଭୟ ୱାର୍ଡ ଏବେ ଶ୍ରୀଧରଙ୍କ ପାଇଁ ସମ୍ମାନର ପ୍ରଶ୍ନ। ଗତକାଲିଠାରୁ ଦୁଇଟି ଯାକ ୱାର୍ଡରେ ବିଜେଡି ପ୍ରାର୍ଥୀ ଶକ୍ତି ପ୍ରଦର୍ଶନର କୌଣସି ସୁଯୋଗ ହାତଛଡ଼ା କରୁ ନାହାନ୍ତି। ଆଜି ୩୨ ନମ୍ବର ୱାର୍ଡରେ ଶ୍ରୀଧର ନିଜ ସମର୍ଥକଙ୍କ ସହ ଘର ଘର ବୁଲି ଲୋକଙ୍କ ସହ ସ୍ଥାନୀୟ ସମସ୍ୟା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଗତ ଥର ତାଙ୍କ ପତ୍ନୀ ସୁଷମା ଜେନା କର୍ପୋରେଟର୍‌ ଥିଲା‌ବେଳେ ୱାର୍ଡରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଛନ୍ତି। ସେହିପରି ୱାର୍ଡ ନମ୍ବର ୩୩ରେ ବିଜେଡି ପ୍ରାର୍ଥୀ ସୁଲଗ୍ନା ଜେନା ତାଙ୍କର ପତିଆରା ଜାହିର ପାଇଁ ଲାଗିପଡ଼ିଛନ୍ତି। ଷ୍ଟେଜ୍‌-୪ରେ ସଭାସମିତି କରି ଭୋଟରଙ୍କ ସହ ଆଲୋଚନା କରିବା ସହ ଅଞ୍ଚଳର ବିକାଶ ପାଇଁ ସମସ୍ତେ ଏକଜୁଟ୍‌ ହୋଇ କାମ କରିବାକୁ ଆହ୍ବାନ ଦେଇଛନ୍ତି।