ୱାର୍ଡ ନଂ.୩୭: ରାଜଧାନୀରେ ଘରକୁ ଘର ବୁଲୁଛି ବିଜେପି

ରାସ୍ତା, ଡ୍ରେନ୍ ପାଇଁ ସ୍ବର୍ଣ୍ଣପ୍ରଭାଙ୍କ ପ୍ରତିଶ୍ରୁତି

ଭୁବନେଶ୍ବର: ୩୭ ନମ୍ବର ଵାର୍ଡ ଦଖଲ ପାଇଁ ବିଜେପି ଜୋର୍‌ଦାର ପ୍ରଚାର ଆରମ୍ଭ କରିଛି। ଗତକାଲିଠୁ ଲୋକଙ୍କ ଘରକୁ ଘର ବୁଲି ପ୍ରଚାର ଆରମ୍ଭ କରିଥିବା ବିଜେପିର କର୍ପୋରେଟର ପ୍ରାର୍ଥିନୀ ସ୍ବର୍ଣ୍ଣପ୍ରଭା ବେହେରା ଏଥର ସମ୍ମାନ ଓ ସମସ୍ୟାକୁ ଲୋକଙ୍କ ପାଖରେ ପ୍ରସଙ୍ଗ କରୁଥିବା ସୂଚନା ଦେଇଛନ୍ତି। ଆଜି ନୂଆସାହିଠୁ ଆରମ୍ଭ କରି ଭୋଇସାହି, ବେହେରା ସାହି, ଗୋଲାପ ରିସୋର୍ଟ ପ୍ରମୁଖ ଅଞ୍ଚଳରେ ଲୋକଙ୍କ ଘରକୁ ବୁଲି ବୁଲି ପ୍ରଚାର କରିଛନ୍ତି।

ୱାର୍ଡରେ ଏବେ ବି ଜଳବନ୍ଦୀ ସମସ୍ୟା ଦୂର ହୋଇନଥିବା ବେଳେ ଡ୍ରେନ୍ କାମ ବେଳେ ରାସ୍ତା ଖୋଳି ଦିଆଯାଇଛି। ତେଣୁ ଡ୍ରେନ୍ ପରେ ସ୍ଥାନୀୟ ଅଞ୍ଚଳ ପାଇଁ ରାସ୍ତା ନିର୍ମାଣ ଏକ ପ୍ରମୁଖ ସମସ୍ୟା ହୋଇଥିବାରୁ ସ୍ବର୍ଣ୍ଣପ୍ରଭା କର୍ପୋରେଟର୍ ହେଲେ ଏହାକୁ ପ୍ରଥମେ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅପର ପକ୍ଷରେ ବରିଷ୍ଠ ନାଗରିକଙ୍କ ପାଇଁ ପାର୍କ ସହିତ କଲ୍ୟାଣ ମଣ୍ଡପ ନିର୍ମାଣ ଉପରେ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି।

ସ୍ବର୍ଣ୍ଣପ୍ରଭା ହେଉଛନ୍ତି ବିଜେପିର ନୂଆପଲ୍ଲୀ ମଣ୍ଡଳ ସଭାପତି ଜଗନ୍ନାଥ ବେହେରାଙ୍କ ଭଉଣୀ। ନିଜେ ଜଗନ୍ନାଥ ଭଉଣୀ ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି। ଉଠା ଦୋକାନୀଙ୍କ ପାଇଁ ଫନି ସହାୟତାଠୁ ଆରମ୍ଭ କରି କରୋନା ସମୟରେ ସରକାରୀ ସହାୟତା ଯୋଗାଇଦେବାରେ ସହଯୋଗ କରିଥିଲେ। ତେଣୁ ଉଠାଦୋକାନୀଙ୍କ ଭୋଟ ବ୍ୟାଙ୍କ୍‌ ତାଙ୍କ ଜିତିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ତାଙ୍କ ସମର୍ଥକମାନେ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର