ୱାର୍ଡ ନଂ୫୫: ରାଜଧାନୀରେ ଗାଁ ହାଟର ଚିତ୍ର

ୱାର୍ଡ ପରିସୀମା: ନାଗେଶ୍ବରଟାଙ୍ଗୀ, ଗୌତମ ନଗର, ବିଏମ୍‌ସି ହନୁମାନ ମନ୍ଦିର, ଅର୍କପୁରୀ କଲୋନୀ, ବିନ୍ଦୁସାଗର ରୋଡ଼ ( ଭୋଟର୍: ୧୦୫୭୬-ପୁରୁଷ: ୫୮୪୨,ମହିଳା: ୪୭୩୨,ତୃତୀୟ ଲିଙ୍ଗ: ୨)

ପୁରୁଣା ଭୁବନେଶ୍ବର: ପୁରୁଣା ଭୁବନେଶ୍ବରର ଅନ୍ୟତମ ପ୍ରବେଶ ଦ୍ବାର। ବିଏମ୍‌ସି ମୁଖ୍ୟ କାର୍ଯ୍ୟାଳୟ ନା‌କ ତଳେ ଏହି ଅଞ୍ଚଳ। ଉପରକୁ ଚିକ୍କଣ, କିନ୍ତୁ ବର୍ଷାଦିନେ ରାସ୍ତାରେ ବନ୍ୟା ଛୁଟେ। ସ୍ବେରେଜ୍‌ ଓ ଡ୍ରେନ୍‌ ଅବ୍ୟବସ୍ଥା କାରଣରୁ ଦୁଇ ଦୁଇଟି ମୁଖ୍ୟ ଛକ ବୁଡ଼ିଯାଏ। ସ୍ଥାନୀୟ ବସ୍ତିରେ ରହିଛି ପାନୀୟ ଜଳ ସମସ୍ୟା। ଏଠାରେ ଥିବା ବହୁ ପୁରୁଣା ହାଟର ସ୍ଥିତି ସେମିତି ପୁରୁଣାକାଳିଆ ଅବସ୍ଥାରେ ରହିଛି।

ଗାଁ ହାଟର ଚିତ୍ର। ଚାଳ ଛପର ଘରେ ବଡ଼ କଦର୍ଯ୍ୟ ପରିବେଶରେ ଚାଲିଛି ହାଟ। ଶିଶୁ ଉଦ୍ୟାନ ନାହିଁ। ସ୍ଥାନୀୟ ଅଞ୍ଚଳରେ ବଢ଼ୁଥିବା ନିଶା କାରବାରରେ ରୋକ୍‌ ଲଗାଇବାକୁ ଏଠାରେ ଫାଣ୍ଡି ପ୍ରତିଷ୍ଠା ପାଇଁ ଦାବି ହୋଇଆସୁଥିଲେ ବି କେବଳ ପ୍ରତିଶ୍ରୁତିରେ କଥା ରହିଯାଇଛି। ଏହା ହେଉଛି ବିଏମ୍‌ସି ୫୫ ନମ୍ବର ୱାର୍ଡର ଅବସ୍ଥା। ତେଣୁ ଆଗାମୀ ପୌର ନିର୍ବାଚନରେ ଏସବୁକୁ ପ୍ରସଙ୍ଗ କରି ସ୍ଥାନୀୟ ଲୋକେ ରାଜନେତାଙ୍କୁ ଘେରିବାକୁ ସଜବାଜ ହୋଇ ରହିଥିବା ଜଣାପଡ଼ିଛି।

ଏହି ୱାର୍ଡ ଅନ୍ତର୍ଗତ ରାମୃକଷ୍ଣ ମଠ ନିକଟ ରାସ୍ତା ଓ ସା‌ନେଟାରିୟମ୍‌ ଛକରେ ବର୍ଷା‌ ଦିନେ ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ। ସ୍ଥାନୀୟ ଲୋକେ ବିଶେଷକରି ବରିଷ୍ଠ ନାଗରିକ, ମହିଳା ଓ ଛାତ୍ରଛାତ୍ରୀମାନେ ଯାତାୟାତ କରିବାରେ ହଇରାଣ ହରକତ ହୁଅନ୍ତି। ଏହି ଅଞ୍ଚଳ ବିଏମ୍‌ସି କାର୍ଯ୍ୟାଳୟ ନିକଟରେ। କିନ୍ତୁ ଏହି ସମସ୍ୟାର ସମାଧାନ ହୋଇପାରୁନାହିଁ। ଅନ୍ୟ ଏକ ବଡ଼ ସମସ୍ୟା ହେଉଛି ନାଗେଶ୍ବର ଟାଙ୍ଗୀ ହାଟ। ଆଜି ବି ଏଠାରେ ବ୍ୟବସାୟୀମାନେ ଗ୍ରାମାଞ୍ଚଳ ହାଟ ଭଳି ଚାଳଛପର ଦୋକାନରେ ବସୁଛନ୍ତି।

ହାଟ ଭିତର ରାସ୍ତା ବଡ଼ କଦର୍ଯ୍ୟ। ବର୍ଷା ଦିନେ ହାଟ ଭିତରେ ପଶିବା ସମ୍ଭବ ହୁଏ ନାହିଁ। ନିକଟରେ ବିକଳ୍ପ ବ୍ୟବସ୍ଥା ନଥିବାରୁ ‌ଗ୍ରାହକମାନେ କାଦୁଅ ପଙ୍କରେ ପଶି ପରିବା ଓ ଆମିଷ ଆଦି କିଣାକିଣି କରନ୍ତି। ପୁନରୁଦ୍ଧାର ପାଇଁ ଦାବି ହୋଇଆସୁଥିଲେ ବି ହୋଇପାରିଲା ନାହିଁ। ଗୌତମନଗର ବସ୍ତିରେ ନିୟମିତ ସଫେଇ ହେଉନାହିଁ ଓ ସେଠାରେ ପିଇବା ପାଣି ସମସ୍ୟା ରହିଛି। ଏହି ଅଞ୍ଚଳରେ ଡେଙ୍ଗୁ ଭୟ ରହିଛି। ନିଶା କାରବାର ବି ଚରମସୀମାରେ ପହଞ୍ଚିଛି। ତେଣୁ ଫାଣ୍ଡି ପ୍ରତିଷ୍ଠା ପାଇଁ ଦାବି ହୋଇଆସୁଛି। ଗୌତମନଗରବାସୀ ଏଠାରେ ଏକ କମ୍ୟୁନିଟି ସେଣ୍ଟର୍‌ ଓ ଶିଶୁ ଉଦ୍ୟାନ ପ୍ରତିଷ୍ଠା ପାଇଁ ଦାବି କରିଆସୁଛନ୍ତି।

ପୂର୍ବତନ କର୍ପୋ‌ରେଟର୍‌ ନୃପେଶ ନାୟକଙ୍କ କହିବା କଥା, ଗୌତମନଗର, ନାଗେଶ୍ବରଟାଙ୍ଗୀ ଓ ନାଗେଶ୍ବର ଟାଙ୍ଗୀ ଦଳିତସାହିରେ ୩ଟି କମ୍ୟୁନିଟି ହଲ୍‌ ନିର୍ମାଣ ହୋଇଛି। ହାଉସିଂବୋର୍ଡ କଲୋନିରେ ବି କମ୍ୟୁନିଟି ହଲ୍‌ କରାଯାଇଛି। ଗୌତମନଗରରେ ଆଉ ଏକ କମ୍ୟୁନିଟି ହଲ୍‌ ଓ ଶିଶୁ ଉଦ୍ୟାନ ପାଇଁ ୬୦ ଲକ୍ଷ ଟଙ୍କା ଅନୁଦାନ ମିଳିଛି। ଜବରଦଖଲ ଉଚ୍ଛେଦ ବିଳମ୍ବ ହେବାରୁ ଏହି କାମ ହୋଇପାରିନାହିଁ। ସେହିପରି ହରିହର ବିଦ୍ୟାପୀଠ ରାସ୍ତାକୁ ସ୍ମାର୍ଟ ସିଟି ଢାଞ୍ଚା‌ର କରାଯିବା ପାଇଁ ୨ କୋଟି ଟଙ୍କା ମଞ୍ଜୁର ହୋଇଛି ଓ ଶୁଭ ଦିଆଯାଇଛି। ଖୁବ୍‌ ଶୀଘ୍ର କାମ ଆରମ୍ଭ କରାଯିବ।

ପୌର ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଚରଣ ବିଧି ଉଠିବା ପରେ କାମ ଆରମ୍ଭ ହେବ। ଏଏସ୍ଆଇ ଅନୁମତି ମିଳୁ ନଥିବାରୁ ନାଗେଶ୍ବର ଟାଙ୍ଗୀ ହାଟର ପୁନରୁଦ୍ଧାର ହୋଇପାରୁନି। ଏଠାରେ ସବୁ ଦୋକାନ ଘରକୁ ଛାତ କରାଯିବା ସହ ହାଟ ଭିତର ରାସ୍ତାକୁ କଂକ୍ରିଟ୍‌ କରିବା ଯୋଜନା କରାଯାଇଛି, କିନ୍ତୁ ଏଏସ୍‌ଆଇ ଅନୁମତି ନମିଳିବାରୁ ଅଧାରେ ରହିଛି। ତେବେ ଅଧିକାଂଶ ଅଞ୍ଚଳରେ ରାସ୍ତା ପିଚୁ, ପେଭର୍‌ ବ୍ଲକ୍‌ ଓ ଆଲୋକୀକରଣ ହୋଇଛି। ପ୍ରାୟ ସବୁ ରାସ୍ତାରେ ଷ୍ଟ୍ରିଟ୍‌ ଲାଇଟ୍‌ ଲାଗିଛି। ବସ୍ତି ଅଞ୍ଚଳରେ ପାନୀୟ ଜଳ ଯୋଗାଣଠାରୁ ଆରମ୍ଭ କରି ସବୁ ପ୍ରକାର ସାମାଜିକ ସୁରକ୍ଷା ଯୋଜନାରେ ଲୋକଙ୍କୁ ସାମିଲ୍ କରାଯାଇଛି। ଏହି ୱାର୍ଡକୁ ସବୁଜବଳୟ କରିବାକୁ ୨୩ ଶହ ଗଛ ଲଗାଇ ସୁରକ୍ଷା ଦିଆଯାଉଛି। ଫାଣ୍ଡି ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରହିଛି।

ଏଥର ଏହି ୱାର୍ଡ ଅଣସଂରକ୍ଷିତ ରହିଛି। ତେଣୁ ପୂର୍ବତନ କର୍ପୋରେଟର ସୀମା ନାୟକଙ୍କ ବଦଳରେ ତାଙ୍କ ସ୍ବାମୀ ନୃପେଶ ନାୟକ ଏଥର ବିଜେଡି ପ୍ରାର୍ଥୀ ହେବା ଆପାତତଃ ଥୟ। ତେବେ ରାଜନୀତିରେ କୌଣସି କଥା ସ୍ଥିର ନୁହେଁ, ନ୍ୟାୟରେ କିଛି ବି ଚିତ୍ର ବଦଳିବା ଅସମ୍ଭବ ନୁହେଁ। ନୃପେଶ ୨୦୦୯ ମସିହାରେ ଏହି ଅଞ୍ଚଳର କର୍ପୋରେଟର୍‌ ଥିଲେ ଓ ପରେ ତାଙ୍କ ପତ୍ନୀ ସୀମା ନାୟକ ବି ଏହି ଆସନ ଦଖଲ କରିଥିଲେ। ଏଠାରେ ବିଜେପି ପକ୍ଷରୁ ବିଜୟାନନ୍ଦ ପରିଡ଼ାଙ୍କ ନାମ ଚର୍ଚ୍ଚାରେ ରହିଛି। ସେହିଭଳି ସିଦ୍ଧାର୍ଥ ଦାସଙ୍କ ନାମକୁ ନେଇ ମଧ୍ୟ ଆଲୋଚନା ହେଉଛି। ତେବେ ଏହି ୱାର୍ଡରେ ଦମ୍ପତି ନୃପେଶ ଓ ସୀମାଙ୍କ ଦବ୍‌ଦବା ଥିବାରୁ ବିଜେପି ଓ କଂଗ୍ରେସ ବାଛି ବାଛି ଟକ୍କର ଦେବ‌ା ଭଳି ପ୍ରାର୍ଥୀ ଦେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର