ୱାର୍ଡ ନମ୍ବର ୬୧: ଗଡ଼ ରଖିବାକୁ ବିଜେଡିର ଉଦ୍ୟମ

ଭୁବନେଶ୍ବର:ୱାର୍ଡ ନମ୍ବର ୬୧ (ଭୀମଟାଙ୍ଗୀ ଅଞ୍ଚଳ)ରେ ନିର୍ବାଚନୀ ପ୍ରଚାର ଜୋର୍‌ ଧରିଛି। ଏଠାରେ ବିଜେଡିରେ ବିଦ୍ରୋହୀ ପ୍ରାର୍ଥୀ ନ ଥିଲା ବେଳେ ବିଜେପି ବିଦ୍ରୋହର ସାମ୍ନା କରିଛି। ଏହା ସହ ବିଜେଡିର ପ୍ରାର୍ଥୀ ଚୟନ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ଏଠାରେ ଏଥର ବିଜେଡି ଟିକେଟ୍‌ ପାଇଁ ଆଶା ବାନ୍ଧିଥିବା ଦୁଇ ପୂର୍ବତନ କର୍ପୋରେଟର୍‌ ନିରାଶ ହୋଇଛନ୍ତି। ବିଜେଡି ଟିକେଟ୍‌ ପାଇ ନିର୍ବାଚନକୁ ଓହ୍ଲାଇଛନ୍ତି ନୂଆ ପ୍ରାର୍ଥୀ ଶିବ ନାରାୟଣ ରାୟ। ଏକାମ୍ର ବିଧାୟକଙ୍କ ଖାସ୍‌ ସହଯୋଗୀ ଭାବେ ପରିଚିତ ଶିବ ନାରାୟଣ ବହୁ ଦିନ ଧରି ଦଳର ସାଂଗଠନିକ କାର୍ଯ୍ୟ‌ରେ ସକ୍ରିୟ ଅଛନ୍ତି। ୨୦୧୪ ମସିହାରେ ସେ ଟିକେଟ ଆଶାୟୀ ଥିଲେ ମଧ୍ୟ ୬୧ ନମ୍ବର ୱାର୍ଡ ମହିଳାଙ୍କ ପାଇଁ ସଂରକ୍ଷଣ ଥିବାରୁ ଲଢ଼ିବାରୁ ବଞ୍ଚିତ ହୋଇଥିଲେ।

ସେହି ଥର ଅନିତାରାଣୀ ମହାନ୍ତି ଦଳର ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ଏଥର ଅନିତାରାଣୀ ସେଠାରୁ ଟିକେଟ୍‌ ପାଇନାହାନ୍ତି। ପୂର୍ବତନ କର୍ପୋରେଟର୍‌ ଛବୀନ୍ଦ୍ର ଜେନା ଟିକେଟ ପାଇଁ ଆଶାୟୀ ଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ତେବେ ଅନିତା ଓ ଛବୀନ୍ଦ୍ର ସ୍ବାଧୀନ ପ୍ରାର୍ଥୀ ହୋଇନାହାନ୍ତି, ଯାହା କି ବିଜେଡି ପ୍ରାର୍ଥୀଙ୍କ ପାଇଁ ଆଶ୍ବସ୍ତିର କାରଣ ହୋଇଛି। ଏଥର ବିଜେପି ପ୍ରାର୍ଥୀ ହୋଇଥିବା ସୁବାସିନୀ ପୃଷ୍ଟି ୨୦୦୩ରେ କର୍ପୋରେଟର ଥିଲେ। କିନ୍ତୁ ତାଙ୍କ ଦଳର ଆଉ ଜଣେ ଆଶାୟୀ ୱାର୍ଡ ସଭାପତି ଅଜିତ ମହାନ୍ତି ସ୍ବାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି କଂଗ୍ରେସରୁ ନାରାୟଣ ଜେନା ପ୍ରାର୍ଥୀ ହୋଇଥିଲା ବେଳେ ସ୍ବାଧୀନ ଭାବେ ଦେବାଶିଷ ବ୍ରହ୍ମା ପ୍ରାର୍ଥୀ ହୋଇଛନ୍ତି।

ଗତ ଦୁଇଟି ନିର୍ବାଚନରେ ଏହି ୱାର୍ଡଟି ବିଜେଡି ଦଖଲରେ ରହିଥିଲା। ୨୦୦୮ରେ ବିଜେଡି ପ୍ରାର୍ଥୀ ଛବୀନ୍ଦ୍ର କୁମାର ଜେନା କର୍ପୋରେଟର୍‌ ହୋଇଥିଲେ। ତାଙ୍କ ଠାରୁ ବିଜେପିର ସୁବାସିନୀ ପୃଷ୍ଟି ପରାସ୍ତ ହୋଇଥିଲେ। ୱାର୍ଡ ସୀମା ବଦଳିବା ସହ ରାଜନୈତିକ ପାଣିପାଗ ବଦଳିଗଲା। ୨୦୧୪ ଏହି ୱାର୍ଡ ମହିଳାଙ୍କ ଲାଗି ସଂରକ୍ଷଣ ରହିଥିଲା। ଶ୍ରୀ ଜେନା ତାଙ୍କ ପତ୍ନୀଙ୍କ ଟିକେଟ୍‌ ପାଇଁ ଲବି ଚଳାଇଥିଲେ ବି ଦଳ ଅନିତାରାଣୀ ମହାନ୍ତିଙ୍କୁ ପ୍ରାର୍ଥୀ କଲା। ଫଳରେ ଶ୍ରୀ ଜେନାଙ୍କ ପତ୍ନୀ ରାଜଶ୍ରୀ ଜେନା ସ୍ବାଧୀନ ପ୍ରାର୍ଥୀ ହୋଇଥିଲେ।

ବିଜେପିରୁ ସୁବାସିନୀ ପୃଷ୍ଟି ପୁନର୍ବାର ପ୍ରାର୍ଥୀ ହୋଇଥିଲେ। ବିଜେପି ପ୍ରାର୍ଥୀଙ୍କୁ ଅନିତାରାଣୀ ପରାସ୍ତ କରିଥିଲେ। ସ୍ବାଧୀନ ପ୍ରାର୍ଥୀ ରାଜଶ୍ରୀ ତୃତୀୟ ସ୍ଥାନରେ ରହିଥିଲେ। ଚଳିତ ବର୍ଷ ଏହି ୱାର୍ଡ ଅଣସଂରକ୍ଷିତ ରହିଥିବାରୁ ରାଜନୈତିକ ପାଣିପାଗ ଅଧିକ ସରଗରମ ହୋଇଛି। ବିଜେଡି ତା’ର ଗଡ଼ ରଖିବାକୁ ଉଦ୍ୟମ ଜାରି ରଖିଥିଲା ବେଳେ ବିରୋଧୀ ବି ଶକ୍ତ ମୁକାବିଲା କରିବାକୁ ପ୍ରସ୍ତୁତ ହେଉଛନ୍ତି।

୪୫ ନମ୍ବର ୱାର୍ଡ: ପତି ବନାମ ପତ୍ନୀ

ଭୁବନେଶ୍ବର: ଆଗାମୀ ବିଏମ୍‌ସି ନିର୍ବାଚନରେ ସ୍ବାମୀଙ୍କ ବିରୋଧରେ ଲଢ଼ିବେ ସ୍ତ୍ରୀ। ଆଜି ପ୍ରାର୍ଥିପତ୍ର ଯାଞ୍ଚ ସରିବା ପରେ ଏଭଳି ରୋଚକ ତଥ୍ୟ ପଦାକୁ ଆସିଛି। ୪୫ ନମ୍ବର ୱାର୍ଡରେ ବିଜେପିରୁ ଜ୍ୟୋତିରେଖା ନାୟକ ପ୍ରାର୍ଥୀ ହୋଇଥିବା ବେଳେ ସ୍ବାମୀ ପ୍ରଶାନ୍ତ ନାୟକ ସ୍ବାଧୀନ ଭାବେ ପ୍ରାର୍ଥୀ ହୋଇଛନ୍ତି। ଉଭୟଙ୍କ ପ୍ରାର୍ଥୀପତ୍ର କାଏମ୍‌ ରହିଛି। ଏଣୁ ନିର୍ବାଚନ ରଣାଙ୍ଗନରେ ପତି-ପତ୍ନୀ ମୁହାଁମୁହିଁ ହେବା ସମ୍ଭାବନା ସୃଷ୍ଟି ହୋଇଛି। ଆସନ୍ତାକାଲିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ରହିଛି। ତେବେ ପ୍ରଶାନ୍ତ ଡମି ପ୍ରାର୍ଥୀ ଭାବରେ ନାମାଙ୍କନ କରିଥିବା କୁହାଯାଉଛି। ୧୪ ତାରିଖ ମଧ୍ୟରେ ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।

 

 

ସମ୍ବନ୍ଧିତ ଖବର