ୱାର୍ଡ ନଂ ୬୪ : ବାକି ରହିଗଲା ବହୁ ଯୋଜନା

ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମର ୱାର୍ଡ ନମ୍ବର ୬୪। ଗତ ପୌର ନିର୍ବାଚନରେ ୱାର୍ଡ ବାସୀ ପାଇଥିଲେ ବହୁ ପ୍ରତିଶ୍ରୁତି। ୱାର୍ଡର ବିକାଶ ପାଇଁ ଭୋଟରମାନେ ବିଜେଡି ପ୍ରାର୍ଥୀଙ୍କୁୁ ବିପୁଳ ଭୋଟରେ ଜିତାଇଥିଲେ। ଏହା ଭିତରେ ୫ ବର୍ଷ ବିତିଗଲାଣି। ସରିବାକୁ ଯାଉଛି କର୍ପୋରେଟରଙ୍କ କାର୍ଯ୍ୟକାଳ। କିନ୍ତୁ ୱାର୍ଡ ବାସୀଙ୍କ ଅଭିଯୋଗ ବାକି ରହିଗଲା ବହୁ ଯୋଜନା। ଅଧାରେ ରହିଗଲା ବହୁ ପ୍ରକଳ୍ପ।

ୱାର୍ଡ ବାସୀ ବିଭିନ୍ନ ଉନ୍ନୟନମୂଳକ କାମକୁ ନେଇ କିଛି ମାତ୍ରାରେ ସନ୍ତୁଷ୍ଟ ଥିଲେ ବି ଆଖିଦୃଶିଆ କାମ ହୋଇନଥିବାରୁ ବହୁ ଅଞ୍ଚଳର ଲୋକେ ଅସନ୍ତୋଷ ଜାହିର୍ କରିଛନ୍ତି। ସେମାନଙ୍କ ଅଞ୍ଚଳରେ ପାନୀୟ ଜଳ, ଡ୍ରେନ୍ ଓ ରାସ୍ତା ସମସ୍ୟା ସୁଧୁରି ପାରିନଥିବାରୁ ସେମାନେ ପ୍ରତିକ୍ରିୟାଶୀଳ ହୋଇ ରହିଛନ୍ତି। କିଛି ଅଞ୍ଚଳ ବର୍ଷାଦିନିଆ ଜଳବନ୍ଦୀ ହୋଇ ରହୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଗତ ୫ବର୍ଷ ଭିତରେ ଡୁମଡୁମା-ଯଦୁପୁର ମୁଖ୍ୟ ରାସ୍ତାରୁ ଆରମ୍ଭ କରି କବର ଖାନାରାସ୍ତା, ୩ଟି ପୋଖରୀ (ଦରଘା ପୋଖରୀ, ବେଗୁନିଆ ଓ ବାଘୁଆ ପୋଖରୀ) ପୁନରୁଦ୍ଧାର ହୋଇଛି। ଅଙ୍ଗନବାଡ଼ି କେନ୍ଦ୍ର, କମ୍ୟୁନିଟି ସେଣ୍ଟର, ସ୍ବାସ୍ଥ୍ୟକେନ୍ଦ୍ର ଗୃହ ନିର୍ମାଣ, ଖେଳପଡ଼ିଆ ପାଚେରି, ଯୋଗ କେନ୍ଦ୍ର, ଷ୍ଟ୍ରିଟ୍ ଲାଇଟ୍, ପ୍ରମୁଖ ଛକରେ ହାଇମାସ୍କ ଲାଇଟ୍ ଲାଗିଛି। କର୍ପୋରେଟର ବହୁତ କିଛି କରିଥିବା ଦାବି କରୁଥିଲେ ହେଁ ପଞ୍ଚସଖା ନଗର ବାସିନ୍ଦା କିନ୍ତୁ କାମରେ ସନ୍ତୁଷ୍ଟ ନୁହେଁ। ଡ୍ରେନ୍ ସମସ୍ୟା ସୁଧୁରିନଥିବାରୁ ବର୍ଷାଦିନେ ଶହ ଶହ ଲୋକ ଜଳବନ୍ଦୀ ହେଉଛନ୍ତି। ମୁଖ୍ୟ ଡ୍ରେନ୍ ୯ ଓ ୧୦ ସଫା ହେଉନଥିବାରୁ ପାଣି ଉଛୁଳି ଲୋକଙ୍କ ଘରେ ପଶୁଛି ବୋଲି କହିଛନ୍ତି।

ୱାର୍ଡରେ କେଉଁ ଅଞ୍ଚଳ ଯାଉଛି

ଯଦୁପର, ଡୁମୁଡୁମା ଗାଁ, ପଞ୍ଚସଖାନଗର, ବେଗୁନିଆ, କୋଚିଲେଇପୁଟ, କସ୍ମୋପଲି, ପାବନି କମ୍ପ୍ଲେକ୍ସ ଓ ଆଇଟିଇଆର୍ କଲେଜ ଆଦି ଅଞ୍ଚଳକୁ ନେଇ ଏହି ୱାର୍ଡ ଗଠିତ।

୫ବର୍ଷର ହିସାବ ନିକାଶ

ଜାନୁଆରି ୧୬ରେ ସରିବ ବିଏମ୍‌ସିର ନିର୍ବାଚିତ ପ୍ରତିନିଧିଙ୍କ (କର୍ପୋରେଟରଙ୍କ) କାର୍ଯ୍ୟକାଳ । ଯଦିଓ ଆସନ୍ତା ନିର୍ବାଚନ କେବେ ହେବ ତାହା ସ୍ଥିର ହୋଇନି କିନ୍ତୁ ବର୍ତ୍ତମାନର ନିର୍ବାଚିତ କର୍ପୋରେଟରମାନେ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ବହୁ ନୂଆ ଆଶାୟୀ ବି ମୁଣ୍ଡ ଟେକିଲେଣି। ନୂଆ ପ୍ରତିଶ୍ରୁତି ନେଇ ଭୋଟର୍‌ଙ୍କ ପାଖକୁ ଯିବାକୁ ନେତା ତୟାର । ଆମକୁ ଭୋଟ୍‌ ଦେଇ ଜିତାଇଲେ ଏୟା କରିଦେବୁ ସେୟା କରିଦେବୁ କହିବେ ବୋଲି ଏବେଠୁ ପ୍ରତିଶ୍ରୁତିର ଲମ୍ବା ତାଲିକା‌ ପ୍ରସ୍ତୁତ କଲେଣି। ଏପରିସ୍ଥଳେ ୫ବର୍ଷ ତଳେ ବିଜୟୀ ପ୍ରାର୍ଥୀମାନେ କ’ଣ କ’ଣ ପ୍ରତିଶ୍ରୁତି ଦେଇଥିଲେ, କେତେ ପୂରଣ କରିଛନ୍ତି, କ’ଣ ପାଇଁ ପୂରଣ ହୋଇପାରିନି ତାହାକୁ ରାଜଧାନୀବାସୀଙ୍କ ଆଗରେ ପ୍ରସ୍ତୁତ କରିବାକୁ ‘ସମ୍ବାଦ’ର ଏହି ପ୍ରୟାସ।

ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛି

ନିର୍ବାଚନ ପୂର୍ବରୁ ଲୋକଙ୍କୁ ଦେଇଥିବା ବହୁ ପ୍ରତିଶ୍ରୁତି ପୂରଣ କରିବାରେ ସକ୍ଷମ ହୋଇଛି ବୋଲି କର୍ପୋରେଟର କହିଛନ୍ତି। ରାଜଧାନୀ ଉପକଣ୍ଠରେ ଥିବା ଏହି ଅନୁନ୍ନତ ୱାର୍ଡକୁ ଏକ ସୁନ୍ଦର ୱାର୍ଡରେ ପରିଣତ କରିଛି। ରାସ୍ତାଘାଟରୁ ଆରମ୍ଭ କରି ‌େଡ୍ରନେଜ୍ ବ୍ୟବସ୍ଥା ବଦଳିଛି। ଆଗକୁ ପଞ୍ଚସଖା ନଗର ରାସ୍ତା, ଡୁମୁଡୁମାରେ ହେରିଟେଜ୍ ରାସ୍ତା, ସବୁ ଘରକୁ ପାନୀୟ ଜଳ ଯୋଗାଣ ପାଇଁ ୯୦% କାମ ସରିଛି। ଅଳ୍ପ କିଛି ଅଞ୍ଚଳର ଲୋକଙ୍କ ପାଇଁ ନଳକୂଅ ନିର୍ମାଣ କରାଯାଇଛି। ଜଣ୍ଡିସ୍ ପ୍ରବଣ ଅଞ୍ଚଳଭାବେ ପରିଚିତ ଏହି ଅଞ୍ଚଳର ବହୁ ପୁରୁଣା କୂଅ ସବୁ ପୋତି ବନ୍ଦ କରି ଦିଆଯାଇଛି। ଖୁବ୍ ଶୀଘ୍ର ସବୁ ଘରକୁ ପାଇପ୍ ପାଣି ଯୋଗାଯିବ। ଏଥିପାଇଁ ଯଦୁପୁରରେ ଏକ ଓଭର ହେଡ୍‌ ପାଣି ଟାଙ୍କି ନିର୍ମାଣ ହେଉଛି। ୱାର୍ଡରେ ଏକ ଶିଶୁପାର୍କ, ପଞ୍ଚସଖାନଗରର ଡ୍ରେନ୍ କାମ କରି ପାରିନଥିବାରୁ ଅବଶେ‌ାଷ ରହିଯାଇଥିବା କହିଛନ୍ତି।
ମୁଜାହିଦ୍ଦ ହୁସେନ୍, କର୍ପୋରେଟର

ୱାର୍ଡର ଫାଳେ ଆଲୁଅ ତ ଫାଳେ ଅନ୍ଧାର

ଗତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ହାରି ଯାଇଥିବା ଯଦୁପୁରର ସେକ୍ ଆଫତାବ୍‌ ଅଲ୍ଲୀଙ୍କ ଅଭିଯୋଗ ଯେ, ଉନ୍ନୟନମୂଳକ କାର୍ଯ୍ୟରେ ପାତରଅନ୍ତର ନୀତି ଚାଲିଛି। କୋଚିଲେଇପୁଟ-ବେଗୁନିଆରେ ରାସ୍ତା ଓ ଡ୍ରେନ୍ କାମ ହୋଇନାହିଁ । ଏହି ୱାର୍ଡ ଫାଳେ ଆଲୁଅ ତ ଫାଳେ ଅନ୍ଧାରରେ ରହିଛି। ସେହିଭଳି ଯଦୁପର ଗାଁରେ ବି କିଛି ଡ୍ରେନ୍ କାମ ବାକି ରହିଛି। କବରଖାନା ପାଇଁ ହୋର୍ଡିଂ ଲାଗିଛି, ସିନା ତାହା ବି ଅସମ୍ପୂର୍ଣ।
ସେକ୍‌ ଆଫତାବ ଅଲ୍ଲୀ, ପରାଜିତ ପ୍ରାର୍ଥୀ

ସମ୍ବନ୍ଧିତ ଖବର