ଜଟଣୀ: ମୌଳିକ ସୁବିଧାରୁ ବଞ୍ଚିତ ଜଟଣୀ ପୌରପାଳିକାର ୯ନମ୍ବର ୱାର୍ଡ ବାସିନ୍ଦା। ଏହି ୱାର୍ଡ ଅଧୀନରେ ରାମଚନ୍ଦ୍ରପୁର, ଗାନ୍ଧୀନଗର, କୃପାସିନ୍ଧୁବିହାର, ନୂଆସାହି, ବିଜୁ ଆଦର୍ଶ କଲୋନି, ଷଣ୍ଢପୁର, ଜଗନ୍ନାଥବିହାର, ଏମ୍‌ସିସି-୧, ଏମ୍‌ସିସି-୨, ଗୋଶାଳା, ଆଦର୍ଶ କଲୋନି ଭଳି ଅଞ୍ଚଳ ରହିଛି। ଅନେକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଏହି ୱାର୍ଡରେ ଥିଲେ ମଧ୍ୟ ଅନେକ ସମସ୍ୟାର ସମାଧାନ ହୋଇପାରି ନାହିଁ। ଅଞ୍ଚଳରେ ମୁଖ୍ୟ ସମସ୍ୟା ହେଉଛି ଡ୍ରେନ୍‌। ଡ୍ରେନ୍‌ ନ ଥିବାରୁ ଦୂଷିତ ପାଣି ରାସ୍ତାରେ ଭାସୁଛି। ରାସ୍ତାରେ ଯାତାୟାତ ବେଳେ ଘୋର ସମସ୍ୟା ଦେଖାଦେଉଛି। ସେହିପରି ଅଞ୍ଚଳରେ ରାସ୍ତା ସମସ୍ୟା ଦୀର୍ଘ କାଳ ହେଲା ଲାଗି ରହିଛି। ନୂତନ ରାସ୍ତା ନିର୍ମାଣ ହୋଇପାରୁନି। ନାଲି ଗୋଡ଼ି ରାସ୍ତାରେ ଯାତାୟାତ କରୁଛନ୍ତି ଲୋକେ। ବର୍ଷାଦିନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 

Advertisment

ଅନ୍ୟପଟେ ଅଞ୍ଚଳବାସୀ ଗ୍ରାମରେ ଏକ ମଶାଣି ନିର୍ମାଣ କରିବାକୁ ବହୁ ବର୍ଷ ହେଲା ଦାବି କରି ଆସୁଥିଲେ ମଧ୍ୟ ହୋଇପାରି ନାହିଁ। ଗାଁରେ ଗୋଟିଏ ହେଲେବି ପୋଖରୀ ନାହିଁ। ଏହି ୱାର୍ଡରେ ଥିବା ଷଣ୍ଢପୁର ସରକାରୀ ବିଦ୍ୟାଳୟର ଭିତ୍ତିଭୂମି ଦୁର୍ବଳ ହୋଇପଡ଼ିଛି। ଛାତ୍ରଛାତ୍ରୀଙ୍କ ତୁଳନାରେ ଘର ନାହିଁ। ସେହିପରି ଗାଁରେ କଲ୍ୟାଣ ମଣ୍ଡପ ପାଇଁ ବହୁ ଦିନ ହେଲା ଦାବି ହୋଇଆସୁଛି। ଗାଁରେ ଏବେବି କିଛି ଲୋକ ମାଟିଘରେ ବାସ କରି ରହୁଛନ୍ତି। ସେମାନଙ୍କୁ ଏ ପର୍ଯ୍ୟନ୍ତ ଘର ମିଳି ନାହିଁ। ଅଞ୍ଚଳର ବରିଷ୍ଠ ନାଗରିକଙ୍କ ପାଇଁ ଗୃହ, ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ଆଦି ପ୍ରକଳ୍ପ କାର୍ଯ୍ୟକାରୀ ହୋଇନଥିବା ଅଭିଯୋଗ ହୋଇଛି।

ସ୍ଥାନୀୟ ବାସିନ୍ଦା ରବୀନ୍ଦ୍ର ସାହୁ କହିଛନ୍ତି ଯେ, ବର୍ଷ ବର୍ଷ ଧରି ୱାର୍ଡରେ ସମସ୍ୟା ଲାଗି ରହିଛି। ସବୁ ସମସ୍ୟାର ସମାଧାନ ହୋଇପାରିବ ନାହିଁ। କିନ୍ତୁ ଲୋକଙ୍କ ମୌଳିକ ସମସ୍ୟାକୁ ଗୁରୁତ୍ବର ସହ ନେଇ ସମାଧାନ କରିବା ଆବଶ୍ୟକ। ମୁଖ୍ୟତଃ ଡ୍ରେନ୍, ରାସ୍ତା ସହ ପିଇବା ପାଣିର ସମାଧାନ ନିହାତି ଆବଶ୍ୟକ। କାଉନ୍‌ସିଲର ଆରତି ରାଉତ କହିଛନ୍ତି, ଅଞ୍ଚଳରେ ଅନେକ ବିକାଶମୂଳକ କାର୍ଯ୍ୟ କରାଯାଇଛି। ପୋଖରୀ ଓ ମଶାଣି ନିର୍ମାଣ ପାଇଁ ଅନେକ ଥର ଲିଖିତ ଅଭିଯୋଗ କରିଛି। ହେଲେ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଗାନ୍ଧୀନଗରଠାରେ ଡ୍ରେନ୍‌ କାମ ପାଇଁ ୧୨ଲକ୍ଷ ଟଙ୍କାର ଟେଣ୍ଡର୍‌ ହୋଇଛି। ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ।