ୱାର୍ଡ ନଂ୨୨: ରାସ୍ତା, ଡ୍ରେନ୍‌ ଅସଜଡ଼ା

ୱାର୍ଡ ପରିସୀମା
ପାଇକରାପୁରା ଗାଁ, ଶ୍ୟାମପୁର ଗାଁ, ଭରତପୁର, ଦୁର୍ଗାମାଧବନଗର,ମହାଲକ୍ଷ୍ମୀବିହାର, ଶ୍ରୀବିହାର, ଜି ଏ କଲୋନି

ଭୋଟର୍: ୧୫୬୬୬
ପୁରୁଷ: ୭୯୬୭
ମହିଳା: ୭୬୮୨
ତୃତୀୟ ଲିଙ୍ଗ: ୧୭

ଖଣ୍ଡଗିରି : ସବୁ ଅଞ୍ଚଳରେ ଅସଜଡ଼ା ରାସ୍ତା। ବହୁ ରାସ୍ତା ଆଜି ବି ପିଚୁ ହୋଇପାରିନି। କଚ୍ଚା ରାସ୍ତା ବର୍ଷା ଦିନେ କାଦୁଅ ପଙ୍କରେ ଭର୍ତ୍ତି ହୋଇ ଯାଉଛି। ବହୁ ଡ୍ରେନ୍‌ ମୁକୁଳା ପଡ଼ିଛି। ପ୍ରାୟ ରାସ୍ତାରେ ଆଲୋକୀକରଣ ହୋଇପାରିନି। ତେଣୁ ରାତିରେ ଯାତାୟାତ କରିବାକୁ ମହିଳା ଓ ବରିଷ୍ଠ ନାଗରିକମାନେ ନିରାପଦ ମଣୁନାହାନ୍ତି। ନିୟମିତ ଅଳିଆ ଆବର୍ଜନା ସଫେଇ ହେଉନଥିବାରୁ ମଶାଙ୍କ ଉତ୍ପାତ ଅଞ୍ଚଳବାସୀଙ୍କ ପାଇଁ ମୁଣ୍ତବିନ୍ଧାର କାରଣ ହୋଇରହିଛି। ନିଶା କାରବାର ତ ଚରମ ସୀମାରେ ପହଞ୍ଚିଛି ଓ ଏହାକୁ ନେଇ ସମଗ୍ର ଅଞ୍ଚଳରେ ସାଧାରଣ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏସବୁ ହେଉଛି ବିଏମ୍‌ସି ୱାର୍ଡ ନମ୍ବର ୨୨ର ବାସ୍ତବ ଚିତ୍ର। ନିର୍ବାଚନ ଆସିଲେ, ରାଜନେତାମାନେ ପୁଳାପୁଳା ପ୍ରତିଶ୍ରୁତି ଦିଅନ୍ତି ଏସବୁ ସମସ୍ୟାର ସମାଧାନ କରିବେ ବୋଲି। ମାତ୍ର ନିର୍ବାଚନ ପରେ ପୂର୍ବାବସ୍ଥାରେ କୌଣସି ପରିବର୍ତ୍ତନ ହୁଏନାହିଁ। ତେଣୁ ଏଥର ପୌର ନିର୍ବାଚନ ସମୟରେ ସ୍ଥାନୀୟ ଭୋଟରମାନେ ଏହି ସବୁ ସମସ୍ୟାକୁ ନେଇ ଆଶାୟୀମାନଙ୍କୁ ପ୍ରଶ୍ନ କରିବେ ବୋଲି ସୂଚନା ମିଳିଛି।

ବର୍ଷା ଦିନ ଆସି‌ଲେ ରାଜଧାନୀବାସୀଙ୍କୁ ଘାରେ ଡେଙ୍ଗୁ ଭୟ। ରାଜଧାନୀର ପରିଧିରେ ଥିବା ଓ ଭରତପୁର ସଂରକ୍ଷିତ ଜଙ୍ଗଲ ସଂଲଗ୍ନ ଏହି ୱାର୍ଡକୁ ସବୁ‌ବେଳେ ଡେଙ୍ଗୁ ଭୟ ଘାରିଆସିଛି। ଡ୍ରେନ୍‌ ପରିଚାଳନାରେ ରହିଥିବା ଅବ୍ୟବସ୍ଥା ଓ ରାସ୍ତାଘାଟ ସଫେଇରେ ଥିବା ଅନିୟମିତତା କାରଣରୁ ପଣ୍ଡାକୁଦିଆ ଭଳି ଅଞ୍ଚଳରେ ଡେଙ୍ଗୁ ଭୟ ସୃଷ୍ଟି ହୋଇଥାଏ। ନିୟମିତ ଅଳିଆ ଆବର୍ଜନା ସଫା ହେଉନଥିବାରୁ ମଶା ବଂଶ ବୃଦ୍ଧି ପାଉଛି। ଏଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ବହୁ ସମୟରେ ଡାକ୍ତର ରହୁନାହାନ୍ତି। ବହୁ ରାସ୍ତାରେ ଷ୍ଟ୍ରିଟ୍‌ ଲାଇଟ୍‌ ନାହିଁ। ଫଳରେ ଖାଲଖମା ଭର୍ତ୍ତି ବହୁ ରାସ୍ତା‌ରେ ରାତିରେ ଯାତାୟାତ ବଡ଼ ଯନ୍ତ୍ରଣାଦାୟକ। ଏବେ ମଧ୍ୟ ନାଲି ମାଟି ରାସ୍ତା। ବହୁ ଡ୍ରେନ୍‌ରେ ସ୍ଲାବ୍‌ ପଡ଼ି ନଥିବାରୁ ଛୋଟ ପିଲାମାନେ ସେଥିରେ ଗଳିପଡ଼ି ଆହତ ହେଉଛନ୍ତି। ବଡ଼ କଥା ହେଉଛି ଏଠାରେ ଜନବସତି ଅଞ୍ଚଳରେ ରହିଛି ବର୍ଜ୍ୟବସ୍ତୁ ପ୍ଲାଣ୍ଟ। ଏହାକୁ ହଟାଇବା ପାଇଁ ସ୍ଥାନୀୟ ବାସିନ୍ଦାମାନେ ବାରମ୍ବାର ବିଏମ୍‌ସି ଅଧିକାରୀଙ୍କୁ ଅନୁରୋଧ କରିଥିଲେ ବି ଏହା ହୋଇପାରିନି। ଏହି ଭଳି ପୁଳା ପୁଳା ସମସ୍ୟ‌ାର ତାଲିକା ଧରି ବସିଛନ୍ତି ଏହି ୱାର୍ଡର ବାସିନ୍ଦା।

କିନ୍ତୁ ପୂର୍ବତନ କର୍ପୋରେଟର ହରେକୃଷ୍ଣ ନାୟକଙ୍କ କହିବା କଥା ଅଧିକାଂଶ ଅଞ୍ଚଳରେ ରାସ୍ତା ପିଚୁ ହୋଇଛି ଓ ଆଲୋକୀକରଣ ହୋଇଛି। ପ୍ରାୟ ସବୁ ରାସ୍ତାରେ ଷ୍ଟ୍ରିଟ୍‌ ଲାଇଟ୍‌ ଲାଗିଛି। ମୁଖ୍ୟତଃ ବସ୍ତି ଅଞ୍ଚଳରେ ପାନୀୟ ଜଳ ଯୋଗାଣଠାରୁ ଆରମ୍ଭ କରି ସବୁପ୍ରକାର ସାମାଜିକ ସୁରକ୍ଷା ଯୋଜନାରେ ଲୋକଙ୍କୁ ସାମିଲ୍ କରାଯାଇଛି। ତାରିଣୀ ବସ୍ତି, ହନୁମାନ ବସ୍ତି, ହରି ମାଧବ ବସ୍ତି, ହନୁମାନ ପ୍ରସାଦ ବସ୍ତି, ଲକ୍ଷ୍ମୀ ବିହାର ବସ୍ତି, ଶ୍ରୀବିହାର ବସ୍ତି ଭଳି ସବୁ ବସ୍ତିରେ ରାସ୍ତା, ସ୍ବେରେଜ୍‌ ଓ ଡ୍ରେନ୍‌ ବ୍ୟବସ୍ଥ‌ା ହୋଇଛି। କାଁ ଭାଁ କିଛି ଡ୍ରେନ୍‌ ମୁକୁଳା ରହିଯାଇଛି ସିନା ବହୁ ଡ୍ରେନ୍‌ରେ ସ୍ଲାବ୍‌ ପଡ଼ିଛି। ବଡ଼ କଥା ହେଉଛି ଏଠାରେ ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହୋଇଛି। ଡାକ୍ତର ସମସ୍ୟା ଥିଲେ ବି ଏହି ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ସ୍ଥାନୀୟ ଲୋକେ ବହୁ ମାତ୍ରାରେ ଉପକୃତ ହୋଇପାରୁଛନ୍ତି। ବର୍ଷ ବର୍ଷର ଶ୍ମଶାନ ସମସ୍ୟା ଦୂର ହୋଇଛି। ଭରତପୁରରେ ସବୁଠୁ ବଡ଼ ଶ୍ମଶାନ ତିଆରି ହୋଇଛି। ଏବେ ସମ ହସ୍‌ପିଟାଲ୍‌ ନିକଟରେ ୬ କୋଟି ଟଙ୍କା ବ୍ୟୟ ଅଟକଳରେ ଡ୍ରେନ୍‌ କାମ ଚାଲିଛି।

ସୂଚନାଯୋଗ୍ୟ, ୨୦୧୪ ମସିହାରେ ଏହି ୱାର୍ଡ ଗଠିତ ହୋଇଥିଲା। ଏବେ ଏହି ୱାର୍ଡରେ ସାମିଲ ହୋଇଛି ଶ୍ୟାମପୁର ଓ ଅନ୍ୟ କିଛି ଅଞ୍ଚଳ। ଏଥର ଏହି ୱାର୍ଡ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ତେଣୁ ପୂର୍ବତନ କର୍ପୋରେଟର ହରେକୃଷ୍ଣ ନାୟକ ଏଥର ପ୍ରାର୍ଥୀ ହୋଇପାରିବେନାହିଁ। ଏଥର ଏହି ୱାର୍ଡ ଜଣେ ମହିଳାଙ୍କୁ କର୍ପୋରେଟର ଭାବେ ଦେଖିବ। ଏଠାରେ ବିଜେଡି, ବିଜେପି ଓ କଂଗ୍ରେସର ସଂଗଠନ ଥିବାରୁ ପ୍ରାୟ ସବୁ ଦଳରୁ ବହୁ ଆଶାୟୀ ଦଳୀୟ ଟିକେଟ୍‌ ପାଇଁ ଲବି ଚଳାଇଛନ୍ତି।

ସମ୍ବନ୍ଧିତ ଖବର