ଏମିତି ଚାଲିଛି ୱାର୍ଡ ଅଫିସ : ଭୁଆଁ ବୁଲାଇଲେ, ଦେଢ଼ ମାସ ପରେ ବି ପ୍ରତି ୱାର୍ଡରେ ଖୋଲିନି ଅଫିସ୍‌

ଗୋଟିଏ ରୁମ୍‌ରେ ଚାଲିଛି ୩ଟି ୱାର୍ଡ ଅଫିସ୍‌, ଖୋଲୁନି କାର୍ଯ୍ୟାଳୟ, ଆସୁନାହାନ୍ତି ଅଫିସର

ଭୁବ‌ନେଶ୍ବର : ସହରବାସୀଙ୍କ ପାଖରେ ପହଞ୍ଚିବ ସେବା। ସେମାନଙ୍କୁ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) କାର୍ଯ୍ୟାଳୟକୁ ଆସିବାକୁ ପଡ଼ିବନି। ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡ଼ିରେ ଅପେକ୍ଷା କରିବାକୁ ହେବନି। ପ୍ରଶାସନ ଲୋକଙ୍କ ପାଖକୁ ଯିବ। ପ୍ରତି ୱାର୍ଡରେ ୱାର୍ଡ ଅଫିସ ରହିବ। ସେଠାରେ ଅଫିସର ନିଯୁକ୍ତ ହୋଇ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିବେ। ପାନୀୟ ଜଳ, ଡ୍ରେନେଜ୍‌, ରାସ୍ତା ମରାମତି, ଷ୍ଟ୍ରିଟ୍‌ ଲାଇଟ୍‌ ଓ ଅନ୍ୟ ମୌଳିକ ସେବା ସମ୍ପର୍କିତ ଅଭିଯୋଗ ଗ୍ରହଣ କରାଯିବ। ଭୁବନେଶ୍ବର ସମେତ ରାଜ୍ୟର ସମସ୍ତ ମହାନଗର ନିଗମ, ପୌରପାଳିକା ଓ ଏନ୍‌ଏସିରେ ଏହି ବ୍ୟବସ୍ଥା ଲାଗୁ ହୋଇଥିଲା।

ପୌର ସଂସ୍ଥାରେ ନିର୍ବାଚିତ ପ୍ରତିନିଧି ନ ଥିବାରୁ ଲୋକଙ୍କ ସମସ୍ୟା କର୍ତୃପକ୍ଷଙ୍କ ନିକଟରେ ପହଞ୍ଚି ପାରୁନି। ତେଣୁ ବିକଳ୍ପ ବାଟ ଭାବେ ଗତ ସ୍ବାୟତ୍ତ ଶାସନ ଦିବସଠାରୁ ‘ୱାର୍ଡ ଅଫିସ୍’ ମାଧ୍ୟମରେ ସିଧାସଳଖ ଲୋକଙ୍କ ଅଭିଯୋଗ ଶୁଣାଣି ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିଲେ। ତେବେ ଦିନ କେଇଟା ନ ବିତୁଣୁ ଖୋଦ୍‌ ରାଜଧାନୀରେ ସବୁ କିଛି ଏପାଖସେପାଖ ହୋଇଗଲାଣି।

କେଉଁଠି ୱାର୍ଡ ଅଫିସ୍‌ରେ ତାଲା ପଡ଼ିଛି ତ ଆଉ କେଉଁଠି ନିର୍ଦ୍ଧାରିତ ସମୟ ପୂର୍ବରୁ କର୍ମଚାରୀ ତାଲା ପକାଇ ଛୁ…। ଆଉ କେଉଁଠି ଗୋଟିଏ ସ୍ଥାନରେ ଚାଲିଛି ୨ରୁ ୩ଟି ୱାର୍ଡ ଅଫିସ୍‌। ପ୍ରତି ୱାର୍ଡରେ ଅଫିସ୍‌ ଖୋଲିବାକୁ କହି ଏଭଳି ଭାବେ ରାଜଧାନୀବାସୀଙ୍କୁ ଭୁଆଁ ବୁଲାଯାଇଛି। ଭୁବନେଶ୍ବରରେ କିଭଳି ଚାଲିଛି ୱାର୍ଡ ଅଫିସ, ତାହା ଜାଣିବା ଲାଗି ଶୁକ୍ରବାର ‘ସମ୍ବାଦ’ ପକ୍ଷରୁ କରାଯାଇଥିବା ଅନୁସନ୍ଧାନ ବେଳେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା।
ରିପୋର୍ଟ: କେଶବ ପାଣି, ଫଟୋ: ବିଭୂତି ସାହୁ

ରାଜ୍ୟ ସରକାରଙ୍କ ‘୫-ଟି’ ବ୍ୟବସ୍ଥାକୁ ୱାର୍ଡରେ କିଭଳି ପାଳନ କରାଯାଉଛି, ତାହା ଜାଣିବା ଲାଗି ‘ସମ୍ବାଦ’ ଟିମ୍‌ ସହରର ବିଭିନ୍ନ ୱାର୍ଡକୁ ଗସ୍ତ କରିଥିଲା। ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟ ଖୋଲା ରହୁଥିବାରୁ ପୂର୍ବାହ୍ନ ୧୧ଟା ୩୭ରେ ସାଲିଆସାହିସ୍ଥିତ ୨୬ନମ୍ବର ୱାର୍ଡ ଅଫିସ୍‌ରେ ପହଞ୍ଚି ଥିଲା ଟିମ୍‌। ୱାର୍ଡ ଅଫିସ୍‌ରେ ତାଲା ପଡ଼ିଥିଲା। ସେଠାରେ କେହି ନ ଥିଲେ। ୱାର୍ଡ ଅଫିସରଙ୍କର ଦେଖା ମିଳି ନଥିଲା। କର୍ମଚାରୀ ବି କେହି ନ ଥିଲେ। ସ୍ଥାନୀୟ ଅଞ୍ଚଳର କିଛି ଲୋକ ଆସି ଫେରି ଯାଉଥିବା ଦେଖିବାକୁ ମିଳିଥିଲା। ପଚାରିବାରୁ ସେମାନେ କହିଥିଲେ ଯେ ଅଧିକାରୀ କେତେବେଳେ ଆସୁଛନ୍ତି ଓ କେତେବେଳେ ଯାଉଛନ୍ତି ଆମେ ‌ଜାଣିନୁ।

ଏହାପରେ ପହଞ୍ଚିଥିଲୁ ୱାର୍ଡ ନମ୍ବର ୪୭ ଓ ୪୮ରେ। ୟୁନିଟ୍‌-୮ ଅଞ୍ଚଳରେ ଆସୁଥିବା ଏହି ଦୁଇ ୱାର୍ଡ କାର୍ଯ୍ୟାଳୟ ଅବସ୍ଥା ବି ସମାନ। ଦିନ ୧୨ଟା ବାଜିବାର କିଛି ସମୟ ପୂର୍ବରୁ ଫାଟକରେ ତାଲା ଝୁଲୁଥିଲା। ପଛ ପାର୍ଶ୍ବରେ ଥିବା ଝରକା ବାଟେ କାର୍ଯ୍ୟାଳୟ ଭିତରର ଦୃଶ୍ୟ ଦେଖିଥିଲୁ। ଗୋଟିଏ ରୁମ୍‌ରେ ଚାଲିଛି ଦୁଇଟି ୱାର୍ଡ ଅଫିସ୍‌। ପ୍ରତି ୱାର୍ଡ ପାଇଁ ଅଫିସ୍‌ରଙ୍କ ଚେୟାର ବ୍ୟତୀତ ୩ଟି ଲେଖାଏଁ ଚେୟାର, ଗୋଟିଏ ଲେଖାଏ ଟେବୁଲ ଓ ଆଲମିରା ରହିଛି। ଏଠି ବି ଲୋକେ ଆସି ଫେରୁଥିଲେ। ନିକଟରେ ଚଳପ୍ରଚଳ କରୁଥିବା ଲୋକଙ୍କୁ ପଚାରିବାରୁ ସେମାନେ କହିଲେ ଦୁଇଜଣ ବାବୁ ୧୫ ମିନିଟ୍‌ ଆଗରୁ ତାଲା ପକାଇ ପଳାଇଲେଣି। ଏହି ଦୁଇ ୱାର୍ଡର ଅଞ୍ଚଳ ଭିନ୍ନ ଭିନ୍ନ ହୋଇଥିବା ବେଳେ ଗୋଟିଏ ସ୍ଥାନରେ କିଭଳି ଦୁଇଟି ୱାର୍ଡ ଅଫିସ୍‌ ଚାଲିଛି, ତାହାକୁ ନେଇ ପ୍ରଶ୍ନ ଉଠିଛି।

କେବଳ ୟୁନିଟ୍‌-୮ ଗୋଷ୍ଠୀ କେନ୍ଦ୍ର ନୁହେଁ, ଶାସ୍ତ୍ରୀ ନଗର କଲ୍ୟାଣ ମଣ୍ଡପରେ ଦେଖିବାକୁ ମିଳିଥିବା ଦୃଶ୍ୟ ଆହୁରି ଚିନ୍ତାର ବିଷୟ। ଗୋଟିଏ ଛୋଟିଆ ରୁମ୍‌ରେ ଚାଲିଛି ୩ଟି ୱାର୍ଡ ଅଫିସ୍‌। ପ୍ରତି ୱାର୍ଡରେ ୱାର୍ଡ ଅଫିସ୍‌ ଖୋଲିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। ସ୍ବାୟତ୍ତ ଶାସନ ଦିବସରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଏମ୍‌ସିର ୬୭ଟି ୱାର୍ଡ ପାଇଁ ୬୭ଟି ୱାର୍ଡ ଅଫିସ୍‌ ଖୋଲିଲା ବୋଲି ଘୋଷଣା କରାଗଲା। ତେବେ ଏହାର ଦେଢ଼ ମାସ ପରେ ବି ଗୋଟିଏ ସ୍ଥାନରେ ୩ଟି ୱାର୍ଡ କାର୍ଯ୍ୟାଳୟ ଚାଲିବା ଚିନ୍ତାର ବିଷୟ। ଏଠା‌ରେ ପ୍ରଶ୍ନ ଉଠୁଛି, ଯଦି ଗୋଟିଏ ୱାର୍ଡବାସୀ ସେମାନଙ୍କ ଅଭିଯୋଗ ନେଇ ଆଉ ଗୋଟିଏ ୱାର୍ଡକୁ ଯିବେ ତେବେ ‘ପ୍ରତି ୱାର୍ଡରେ ୱାର୍ଡ ଅଫିସ୍‌’ ସ୍ଲୋଗାନ କ’ଣ ପାଇଁ? ପରେ ପରେ ଆମେ ଯାଇଥିଲୁ ୩୭ନମ୍ବର ୱାର୍ଡ ଅଫିସକୁ। ସେଠାରେ ପହଞ୍ଚିଲା ବେ‌ଳକୁ ସମୟ ମଧ୍ୟାହ୍ନ ୧୨ଟା ୨୦ ହୋଇଯାଇଥିଲା। ତଥାପି ୩୭ ନମ୍ବର ୱାର୍ଡର ଅଫିସର କାର୍ଯ୍ୟ କରୁଥିଲେ। ସହକାରୀ କର୍ମଚାରୀ ମଧ୍ୟ ଥିଲେ। ତେବେ ବାକି ଦୁଇଟି ୱାର୍ଡ(୩୮ ଓ ୩୯)ର ଅଫିସରଙ୍କ ସିଟ୍‌ ଖାଲି ଥିଲା। ୩୭ ନମ୍ବର ୱାର୍ଡ ଅଫିସରଙ୍କୁ ପଚାରିବାରୁ ସେ କହିଥିଲେ ଯେ ମଧ୍ୟାହ୍ନ ୧୨ଟା ବାଜିବାରୁ ୩୮ ଓ ୩୯ ନମ୍ବର ୱାର୍ଡର ଅଧିକାରୀମା‌ନେ ପଳାଇ ଯାଇଛନ୍ତି। ମୋର କାମ ଥିବାରୁ ଏବେ ବି ଅଫିସ୍‌ରେ ରହିଛି। ଏଠାକୁ ଲୋକେ ଆସୁଛନ୍ତି। ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନିଆଯାଇଛି। ୩ଟି ୱାର୍ଡ ଅଫିସ୍‌ ଚାଲିଥିଲେ ମଧ୍ୟ ଖାତା ରଖିବାକୁ ଏଠାରେ ଆଲମିରା‌ଟିଏ ବି ନାହିଁ।

ୱାର୍ଡ ଅଫିସ୍‌ରେ କେବଳ ଚେୟାର ଓ ଟେବୁଲ
୧୦ରୁ ଅଧିକ ୱାର୍ଡ କାର୍ଯ୍ୟାଳୟ ଅନୁସନ୍ଧାନ କରିବା ସମୟରେ ‌ଗୋଟିଏ କଥା ଦେଖିବାକୁ ମିଳିଥିଲା ଯେ ପ୍ରତି ୱାର୍ଡ ଅଫିସ୍‌ରେ କେବଳ ଚେୟାର ଓ ଟେବୁଲ ପଡ଼ିଛି। ଆଉ କିଛି ଭିତ୍ତିଭୂମି ନାହିଁ। ପରିଦର୍ଶନ କରିଥିବା କୌଣସି କାର୍ଯ୍ୟାଳୟରେ କମ୍ପ୍ୟୁଟର ନାହିଁ। କେତେକ ସ୍ଥାନରେ ଚେୟାର, ଟେବୁଲ ସମେତ ଆଲମିରା କିଣାଯାଇଛି। ଆଉ କିଛି ସ୍ଥାନରେ ଆଲମିରା ନାହିଁ। ଆଇଆର୍‌ସି ଭିଲେଜ୍‌ର ୱାର୍ଡ ନମ୍ବର ୨୫ ଓ ୨୭ ପାଇଁ ଜଳ ଦେୟ ପଇଠ କାର୍ଯ୍ୟାଳୟରେ ୱାର୍ଡ ଅଫିସ୍‌ ଖୋଲିଛି। ଏଠାରେ ଚେୟାର, ଟେବୁଲ୍‌ ସମେତ କାନ୍ଥରେ ମହାତ୍ମା ଗାନ୍ଧୀଙ୍କ ଫାଟୋ ଟଙ୍ଗା ଯାଇଛି। ହେଲେ ଅଫିସ୍‌ରେ ଆଉ କିଛି ନାହିଁ। ଆଲମିରା ନାହିଁ କି ଫ୍ୟାନ୍‌ ବି ନାହିଁ। ଜଳ ଦେୟ ପଇଠ କାର୍ଯ୍ୟାଳୟର ସମାଗ୍ରୀଗୁଡ଼ିକ ୱାର୍ଡ ଅଫିସ୍‌ରଙ୍କ କାର୍ଯ୍ୟାଳୟରେ ଜମା ହୋଇ ରହିଛି।

ଅଫିସ୍‌ ସମୟ ବଢ଼ାଯାଉ
ସମସ୍ତ ସରକାରୀ କାର୍ଯ୍ୟାଳୟ ପୂର୍ବାହ୍ନ ୧୦ଟାରୁ ଅପରାହ୍‌ଣ ୫ଟା ଯାଏ ଚାଲୁଛି। ତେବେ ବିଏମ୍‌ସିର ୱାର୍ଡ ଅଫିସ୍‌ର କାର୍ଯ୍ୟ ସମୟ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା। ଅଫିସ୍‌ ମାତ୍ର ଦୁଇ ଘଣ୍ଟା ଖୋଲିବ। ଏଭଳି ନିୟମକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ମାତ୍ର ଦୁଇ ଘଣ୍ଟା ଭିତରେ ଆସିବା ସମ୍ଭବପର ହେଉ ନାହିଁ। ସମୟ ବଢ଼ାଇବାର ଆବଶ୍ୟକତା ରହିଛି। ଅଧିକାଂଶ ସମୟରେ ୱାର୍ଡ ଅଫିସ୍‌ରେ ତାଲା ପଡ଼ୁଛି। ତେଣୁ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇବା ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ପ୍ରତି ୱାର୍ଡରେ ୱାର୍ଡ ଅଫିସ୍‌ ଖୋଲିବା ସହ ଅଫିସ୍‌ ସମୟ ବୃଦ୍ଧି କରିବାକୁ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର