ଭିଜିଲାନ୍ସ ଜାଲରେ ପଡ଼ିଥିବା ୱାର୍ଡ ଅଫିସର୍‌ ନିଲମ୍ବିତ

ଭୁବନେଶ୍ବର : ହୋଲ୍ଡିଂ ଟ୍ୟାକ୍ସ କମ୍‌ କରିବାକୁ ଲାଞ୍ଚ ନେଇ ଧରା ପଡ଼ିଥିବା ଦକ୍ଷିଣ-ପଶ୍ଚିମ ଜୋନ୍‌ର ୨୩ ନମ୍ବର ୱାର୍ଡ ଅଫିସର ହେମନ୍ତ କୁମାର ସାହୁ ନିଲମ୍ବିତ ହୋଇଛନ୍ତି। ଗୃହ ଓ ନଗର ଉନ୍ନୟନ ବିଭାଗ ନିଲମ୍ବନ ଆଦେଶ ଜାରି କରିବା ସହ ନିଲମ୍ବନ ଅବଧିରେ ଖୋର୍ଦ୍ଧା ପୌରସଂସ୍ଥା ତାଙ୍କର ମୁଖ୍ୟାଳୟ ହେବ ବୋଲି ନିର୍ଦ୍ଦେଶ ଦେଇଛି। କର୍ତ୍ତୃପକ୍ଷଙ୍କ ବିନାନୁମତିରେ ସେ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ। ସେ ଗିରଫ ହେବା ଦିନ(ଅଗଷ୍ଟ ୨୨) ଠାରୁ ଏହି ନିଲମ୍ବନ ଆଦେଶ ଲାଗୁ ହେବ। ଉଲ୍ଲେଖଯୋଗ୍ୟ ଅଭିଯୁକ୍ତ କର୍ମଚାରୀ ଶ୍ରୀ ସାହୁ ଗତକାଲିଠାରୁ ଜାମିନ୍‌ ପାଇ ସାରିଛନ୍ତି।

ଅନ୍ୟପଟେ ସେ ଧରାପଡ଼ି ଜେଲ୍‌ ଯିବା ପରେ ୨୩ ନମ୍ବର ୱାର୍ଡ ଅଫିସର ପଦ ଖାଲି ପଡ଼ିଛି। ଏହି ୱାର୍ଡ ଦାୟିତ୍ବ କାହାକୁ ଦିଆଯାଇନାହିଁ। ଏଠାରେ ବିଶ୍ବସ୍ତ କର୍ମଚାରୀଙ୍କୁ ଦାୟିତ୍ବ ଦେଇ ପକେଟ୍‌ ଗରମ କରିବାକୁ ଅଧିକାରୀମାନେ ଯୋଜନା କରୁଥିବା ଅଭିଯୋଗ ହୋଇଛି। ପୂର୍ବରୁ ହୋଲ୍ଡିଂ ଟ୍ୟାକ୍ସ କମାଇବା ଓ ବାଣିଜ୍ୟିକକୁ ଆବାସିକ କରିବାରେ ଲାଞ୍ଚ କାରବାର ହେଉଥିବା ଅଭିଯୋଗ ରହିଥିଲା। ‌କେତେକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଏଠାରୁ ବଦଳି କରାଯାଇଥିଲା। ସେବେଠାରୁ କେତେକ ୱାର୍ଡ ଖାଲି ପଡ଼ିଛି। ଗୋଟିଏ ଗୋଟିଏ ୱାର୍ଡ ଅଫିସର୍‌ଙ୍କ ଦାୟିତ୍ବରେ ୨ରୁ ୩ଟି ୱାର୍ଡ ରହିଛି। ଏଣେ ୫ଜଣ ୱାର୍ଡ ଅଫିସର ବିଏମ୍‌ସି ଅଫିସ୍‌ରେ ବସି କିରାଣୀ କାମ କରୁଛନ୍ତି। ସେମାନଙ୍କର ମୂଳ କାମ ୱାର୍ଡ ଅଫିସର୍‌ ହୋଇଥିଲେ ମଧ୍ୟ ସେମାନେ ଫିଲ୍ଡକୁ ଯାଉ ନାହାନ୍ତି କିମ୍ବା ହୋଲ୍ଡିଂ ଟ୍ୟାକ୍ସ ସଂଗ୍ରହ, ଆକଳନ ଓ ଅନ୍ୟାନ୍ୟ କାମ କରୁନାହାନ୍ତି। ୬୭ୱାର୍ଡ ପାଇଁ ୫୦ ୱାର୍ଡ ଅଫିସର ଅଛନ୍ତି। ସେଥିରୁ ୫ଜଣ କିରାଣୀ କାମ କରିବା ପରେ ୪୫ଜଣଙ୍କ ପାଖରେ ୬୭ ୱାର୍ଡ ଦାୟିତ୍ବ ରହିଛି। ହୋଲ୍ଡିଂ ଟ୍ୟାକ୍ସ ଆଦାୟ ଓ ଆକଳନ ଛଡ଼ା ଏବେ ସେମାନଙ୍କୁ ପରିମଳ କାମରେ ଲଗାଯାଇଛି।

ସେହିଭଳି ୩ମାସ ହେବ ବାଣପୁର ପୌରସଂସ୍ଥାରୁ ଏଠାକୁ ପଦୋନ୍ନତି ପରେ ବଦଳି ହୋଇ ଆସିଥିବା ଜଣେ ବରିଷ୍ଠ କିରାଣୀ ମଧ୍ୟ ହାତବାନ୍ଧି ବସି ରହିଛନ୍ତି। ତାଙ୍କୁ ଦାୟିତ୍ବ ମିଳିନାହିଁ। ସେ ଡାଏରି ସେକ୍ସନରେ ବସି ବସି ଯାଉଛନ୍ତି। ୩ ମାସର ଦରମା ମଧ୍ୟ ପାଇନାହାନ୍ତି। ତାଙ୍କୁ ବରିଷ୍ଠ କିରାଣୀ ଦାୟିତ୍ବ ମିଳିବା କଥା। ସେ ଦାୟିତ୍ବ ନେଲେ ଏଠାରେ ଚାଲିଥିବା କେଳେଙ୍କାରୀ ଧରାପଡ଼ିଯିବ ଭୟରେ ଏଭଳି କରାଯାଇଥିବା ଚର୍ଚ୍ଚା ହେଉଛି। ଏଣୁ ସମସ୍ତ କେଳେଙ୍କାରୀ ପଛରେ ଅଧିକାରୀମାନଙ୍କର ସମ୍ପୃକ୍ତି ଥିବା ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର