ପ୍ରତି ୱାର୍ଡରେ ସ୍ବାଧୀନତା ଦିବସ: ପତାକା ଉତ୍ତୋଳନ କରିବେ ୱାର୍ଡ ଅଫିସର,କର୍ପୋରେଟର୍‌ ଜଳକା

ଭୁବନେଶ୍ୱର: ସରକାରୀ ଅଧିକାରୀଙ୍କ ଆଗରେ ନିର୍ବାଚିତ ଜନପ୍ରତିନିଧିଙ୍କର କୌଣସି ମୂଲ୍ୟ ନାହିଁ। ଅଫିସରଙ୍କର ଔଦ୍ଧତ୍ୟ ବଢ଼ିବଢ଼ି ଚାଲିଥିଲେ ମଧ୍ୟ ପ୍ରତିବାଦ କରିବାକୁ ଜନପ୍ରତିନିଧିଙ୍କ ଜୁ’ ନାହିଁ। ଏହାର ଏକାଧିକ ପ୍ରମାଣ ରହିଛି। ତେବେ ସ୍ବାଧୀନତା ଦିବସ ପାଳନକୁ ନେଇ ବିଏମ୍‌ସି ନେଇଥିବା ନିଷ୍ପତ୍ତି ପୁଣି ଅଫିସରରାଜ୍‌ର ଏକ ନଗ୍ନ ନମୁନା ଉପସ୍ଥାପନ କରିଛି। ବିଏମ୍‌ସିର ପ୍ରତ୍ୟେକ ୱାର୍ଡରେ ସ୍ବାଧୀନତା ଦିବସ ପାଳନ ପାଇଁ ବିଏମ୍‌ସି ଅତିରିକ୍ତ କମିସନର ଲେଖିଥିବା ଚିଠିକୁ ନେଇ ହଇଚଇ ହୋଇଛି। ସ୍ବାଧୀନତା ଦିବସ ପାଳନ ବେଳେ କର୍ପୋରେଟର ଉପସ୍ଥିତ ରହିବେ, ହେଲେ ପତାକା ଉତ୍ତୋଳନ କରିବେ ୱାର୍ଡ ଅଫିସର। ଏଭଳି ନିର୍ଦ୍ଦେଶନାମା ଜାରି ହେବା ପରେ ବିଭିନ୍ନ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି। କେଉଁ ପରିସ୍ଥିତିରେ ଲୋକ ପ୍ରତିନିଧି ଉପସ୍ଥିତ ଥାଇ ସରକାରୀ ଅଧିକାରୀ ପତାକା ଉତ୍ତୋଳନ କରିବେ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗଣତନ୍ତ୍ରରେ ସବୁବେଳେ ଜନପ୍ରତିନିଧିଙ୍କୁ ଅଗ୍ରାଧିକାର ଦିଆଯାଇଛି। ସ୍ବାଧୀନତା ଦିବସ ପାଳନ ଭଳି ଏକ ଗାଣତାନ୍ତ୍ରିକ ଉତ୍ସବରେ ଏଭଳି ଅଗଣତାନ୍ତ୍ରିକ ବ୍ୟବସ୍ଥା କେମିତି ହେବ? ନିର୍ବାଚିତ ଜନପ୍ରତିନିଧି ଏକ୍ଷେତ୍ରରେ ଜଳକା ହୋଇରହିବେ ବୋଲି କୁହାଯାଉଛି। ଏହାକୁ ଅନେକ ଜନପ୍ରତିନିଧି ବିରୋଧ କରୁଥିଲେ ମଧ୍ୟ କେହି ମୁହଁ ଖୋଲିନାହାନ୍ତି। କେତେକ ଜାଣିଜାଣି ଏଭଳି କାର୍ଯ୍ୟକ୍ରମକୁ ଯିବା ପାଇଁ ଚାହି ନାହାନ୍ତି।

‌ଅତିରିକ୍ତ କମିସନର ଲେଖିଥିବା ଚିଠି ଅନୁସାରେ ପ୍ରତି ୱାର୍ଡରେ ୭୭ତମ ସ୍ବାଧୀନତା ଦିବସ ପାଳନ ହେବ। ଏଥିପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଆସିଛି। ଏଣୁ ପ୍ରତ୍ୟେକ ଜେଡ୍‌ଡିସି(ଜୋନାଲ୍‌ ଡେପୁଟି କମିସନର) ଓ ୱାର୍ଡ ଅଫିସରମାନେ ଏହି ଦିବସ ପାଳନ ତଥା ପତାକା ଉତ୍ତୋଳନ କରିବା ନିଶ୍ଚିତ କରିବେ। ଏଥିରେ ସମ୍ପୃକ୍ତ ୱାର୍ଡର କର୍ପୋରେଟର ଉପସ୍ଥିତ ରହିବେ। ତାଙ୍କ ସହିତ ସ୍ଥାନୀୟ ଅଞ୍ଚଳର ନେତା, ବରିଷ୍ଠ ନାଗରିକ, ଗୋଷ୍ଠୀ ସହଭାଗୀଙ୍କୁ ସାମିଲ କରାଯିବ। ମିସନ ଶକ୍ତି ଗ୍ରୁପ୍‌ର ସଦସ୍ୟାମାନେ ଜାତୀୟ ସଙ୍ଗୀତ ଗାନ କରିବେ। ୱାର୍ଡ ଅଫିସର ପତାକା ଉତ୍ତୋଳନ କରିବେ। ଯେଉଁ ୱାର୍ଡରେ ୱାର୍ଡ ଅଫିସର ନାହାନ୍ତି, ସେଠାରେ କମିସନର ଜଣେ ଅଧିକାରୀଙ୍କୁ ନିଯୁକ୍ତ କରିବେ ଏବଂ ସେହି ଅଧିକାରୀ ପତାକା ଉତ୍ତୋଳନ କରିବେ। ଏହି ଅବସରରେ ବରିଷ୍ଠ ନାଗରିକ ତଥା ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ବକ୍ତବ୍ୟ ରଖିବା ପାଇଁ ସୁଯୋଗ ଦିଆଯିବ। ଶେଷରେ ସ୍ନାକ୍‌ସ୍‌ ବା ମିଷ୍ଟାନ୍ନ ବଣ୍ଟାଯିବ। ଏଥିପାଇଁ ପ୍ରତ୍ୟେକ ୱାର୍ଡ ଅଫିସ୍‌କୁ ୧୦ ହଜାର ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି।

ଚଳିତ ମାସ ୧୧ ତାରିଖରେ ଗୃହ ଓ ନଗର ଉନ୍ନୟନ ବିଭାଗ ବିଏମ୍‌ସିକୁ ଚିଠି ଲେଖିଛି। ବିଏମ୍‌ସି ଗତକାଲି ଅର୍ଥାତ୍ ୧୨ ତାରିଖରେ ନିର୍ଦ୍ଦେଶନାମା ଜାରି କରିଛି। ହାତରେ ଦୁଇଦିନ ଅଛି। ପ୍ରତି ୱାର୍ଡରେ ମିସନ ଶକ୍ତି ଗ୍ରୁପ୍‌ର ସଦସ୍ୟଙ୍କୁ ଖୋଜି ଜାତୀୟ ସଙ୍ଗୀତ ଗାନ କରାଇବା ପାଇଁ ପ୍ରସ୍ତୁତ କରିବା ଓ ଅନ୍ୟାନ୍ୟ ଆୟୋଜନ କରିବା ପାଇଁ ୱାର୍ଡ ଅଫିସର ଚିନ୍ତାରେ ପଡ଼ିଛନ୍ତି। ସେହିଭଳି ଏଭଳି ଅଗଣତାନ୍ତ୍ରିକ ବ୍ୟବସ୍ଥାକୁ ନେଇ ଉଠିଥିବା ଅସନ୍ତୋଷ ଏହି କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ଆଶଙ୍କା ସୃଷ୍ଟି କରିଛି। ନିକଟ ଅତୀତରେ ୩୧ ନଂ କର୍ପୋରେଟର ତଥା ଏଷ୍ଟାବ୍ଲିସ୍‌ମେଣ୍ଟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷଙ୍କୁ ଏହି ବିଭାଗ ଦାୟିତ୍ବରେ ଥିବା ତତ୍‌କାଳୀନ ଡେପୁଟି କମିସନର ଦୁର୍ବ୍ୟବହାର କରିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ବିଏମ୍‌ସି କମିସନର ଏକ ବିଜ୍ଞପ୍ତି ଜାରି କରିଥିଲେ କି ଲୋକ ପ୍ରତିନିଧିଙ୍କୁ ସମ୍ମାନ ଦିଅ। କିନ୍ତୁ ଏହା କେବଳ ଲୋକଦେଖାଣିଆ ଥିଲା ବୋଲି ଏବେ ପ୍ରମାଣିତ ହୋଇଛି। ସମ୍ପୃକ୍ତ ଅଧିକାରୀ ବଦଳି ହୋଇଥିଲେ ମଧ୍ୟ ସେ ବିଏମ୍‌ସି ଛାଡ଼ୁନଥିବାରୁ ତାଙ୍କୁ ରିଲିଭ୍‌ କରିବାକୁ କର୍ପୋରେଟର ଜିଦ୍‌ ଧରିଥିଲେ। ହେଲେ ସମ୍ପୃକ୍ତ ଜନପ୍ରତିନିଧିଙ୍କ ସମ୍ମାନ ରଖା ଯାଇନଥିଲା। ଏବେ ଏହି ପତାକା ଉତ୍ତୋଳନ ପ୍ରସଙ୍ଗ ପୁଣି ଥରେ ଜନପ୍ରତିନିଧିଙ୍କ ସମ୍ମାନହାନୀ କରିଥିବା କେତେକ ବରିଷ୍ଠ କର୍ପୋରେଟର କହିଛନ୍ତି।

ସମ୍ବନ୍ଧିତ ଖବର