ମୁଖ୍ୟମନ୍ତ୍ରୀଙ୍କ ସହାୟତା ଦେବାକୁ ଲାଞ୍ଚ ମାଗୁଛନ୍ତି ୱାର୍ଡ ଅଫିସର : ‘ହଜାରେ ଦିଅ ୧୦ହଜାର ନେବ’

ଭଡ଼ାରେ ଦୋକାନ ନେଇଥିବା ବ୍ୟବସାୟୀ ଦ୍ବନ୍ଦ୍ବରେ, ଲାଞ୍ଚ ମାଗୁଥିଲେ କାର୍ଯ୍ୟାନୁଷ୍ଠାନ ହେବ: ବିଏମ୍‌ସି

ଭୁବନେଶ୍ବର : ବାତ୍ୟା‌ ଫନିରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ଉଠା ଦୋକାନୀଙ୍କୁ ୧୦ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହାପରେ ବିଏମ୍‌ସି ପକ୍ଷରୁ ଟଙ୍କା ଦେବା ପାଇଁ ୱାର୍ଡ ସ୍ତରରେ ସର୍ଭେ ଆରମ୍ଭ ହୋଇଛି। ‌ହେଲେ ଏହି ୧୦ହଜାର ଟଙ୍କା ଦେବା ପାଇଁ ଏବେ ବିଏମ୍‌ସିର କିଛି କର୍ମଚାରୀ ପ୍ରତି ଦୋକାନୀ ପିଛା ହଜାରେ ଟଙ୍କା ଲେଖାଏଁ ଆଦାୟ କରୁଥିବା ‌ଅଭିଯୋଗ ହେଲାଣି।

ବିଏମ୍‌ସିର ୱାର୍ଡ ୧୬ରେ ଥିବା କଳିଙ୍ଗ ହସ୍ପିଟାଲ ନିକଟସ୍ଥ ମୈତ୍ରୀ ବିହାର ଅଞ୍ଚଳରେ ଉଠା ଦୋକାନୀମାନଙ୍କଠାରୁ ଏବେ ହଜାରେ ଟଙ୍କା ଲେଖାଏଁ ଆଦାୟ ହେଉଥିବା ଅଭିଯୋଗ ହୋଇଛି। ଏହି ଟଙ୍କା ପାଇଁ କୌଣସି ରସିଦ୍ ଦିଆଯାଉ ନଥିବାରୁ ଏହା ଯେ କେବଳ ଅଧିକାରୀଙ୍କ ପକେଟ୍‌କୁ ଯାଉଛି ସେଥିରେ ବି ସନ୍ଦେହ ନାହିଁ। ଏପରିକି ଯେଉଁ ଦୋକାନୀମାନେ ହଜାରେ ଟଙ୍କା ଲେଖାଏଁ ଦେଉନାହାନ୍ତି ସେମାନଙ୍କଠାରୁ କିଛି ଡକୁମେଣ୍ଟ ନିଆଯାଉନି। ସେମାନଙ୍କୁ ୧୦ହଜାର ଟଙ୍କା ମିଳିବନି ବୋଲି ରୋକଠୋକ୍ କୁହାଯାଉଛି।

ବାତ୍ୟାରେ ଦୋକାନ ପୂରା ଭାଙ୍ଗି ଯାଇଛି। ବ୍ୟବସାୟ ବୁଡ଼ି ଯାଇଥିବାରୁ ହଜାରହଜାର ଉଠା ଦୋକାନୀ ଏବେ ସରକାରୀ ସହାୟତା ପାଇବାକୁ ଚାହିଁ ବସିଛନ୍ତି। ଏହିପରି ସମୟରେ ବିଏମ୍‌ସିର କିଛି କର୍ମଚାରୀ ସରକାରଙ୍କ ଆର୍ଥିକ ସହାୟତା ‌ଦେବା ପାଇଁ ଲାଞ୍ଚ ନେବା ପ୍ରଶାସନର ସ୍ବଚ୍ଛ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ଉଠାଇଛି।

ମୈତ୍ରୀ ବିହାରରେ ବ୍ୟବସାୟ କରୁଥିବା ଉଠା ଦୋକାନୀମାନଙ୍କ ଅଭିଯୋଗ ଯେ, ଦୁଇ ଦିନ ହେଲା ସେମାନଙ୍କ ଅଞ୍ଚଳରେ ବିଏମ୍‌ସି ପକ୍ଷରୁ ସର୍ଭେ ଆରମ୍ଭ ହୋଇଛି। ଏହି ଅଞ୍ଚଳରେ ଥିବା କମ୍ୟୁନିଟି ଅର୍ଗାନାଇଜର୍‌ଙ୍କୁ ସର୍ଭେ ଦାୟିତ୍ବ ଦିଆଯାଇଥିବାବେଳେ ସେ ନିଜେ ସର୍ଭେ କରିବାକୁ ନଆସି ତାଙ୍କର ଜଣେ ଲୋକଙ୍କୁ ପଠାଉଛନ୍ତି। ସେ ଆମକୁ ବ୍ୟାଙ୍କ ପାସ୍‌ବୁକ୍‌ର ପ୍ରଥମ ପୃଷ୍ଠାର ନକଲ, ଆଧାର କାର୍ଡ ନକଲ, ଗୋଟିଏ ପାସ୍‌ପୋର୍ଟ ଫଟୋ ସହ ହଜାରେ ଟଙ୍କା ମାଗୁଛନ୍ତି। ହଜାରେ ଟଙ୍କା କାହିଁକି ଦେବୁ ବୋଲି ପଚାରିବାରୁ ସେ କହୁଛନ୍ତି କାଗଜପତ୍ର କାମ ପାଇଁ ଟଙ୍କା ଦରକାର। ଯେଉଁମାନେ ଦସ୍ତଖତ କରିବେ ସେମାନଙ୍କ ଖର୍ଚ୍ଚ ପାଇଁ ଦେଉଛ। ସରକାର ତୁମକୁ ୧୦ହଜାର ଟଙ୍କା ଦେବେ, ତୁମେ ଏଥିପାଇଁ ହଜାରେ ଟଙ୍କା ଦେବନି। ଏହାପରେ ଯଦି ଆମେ ଆଉ କିଛି କହୁଛୁ ତେବେ ଉତ୍ତର ମିଳୁଛି ତୁମେ ଉଠା ଦୋକାନୀ ବୋଲି ପ୍ରମାଣ କ’ଣ? ଆମେ ସିନା ରିପୋର୍ଟ ଦେଲେ ଟଙ୍କା ମିଳିବ। ହଜାରେ ନଦେଲେ ୧୦ହଜାର ପାଇବା ଆଶା ଛାଡ଼ି ଦିଅ। ଏହାପରେ ବହୁ ଦୋକାନୀ ହଜାରେ ଟଙ୍କା ଲେଖାଏଁ ଦେଇଛନ୍ତି। ଏପରିକି ଏଠାରେ ୧୩୦ଟି ଦୋକାନ ଥିବାବେଳେ ପ୍ରାୟ ୧୦୦ ଦୋକାନୀ ହଜାରେ ଟଙ୍କା ଲେଖାଏଁ ଦେଇଥିବାବେଳେ ବାକି ଦୋକାନୀ କ’ଣ କରିବେ, କାହାକୁ ଅଭିଯୋଗ କରିବେ ସେ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି।

କିଛି ବ୍ୟବସାୟୀଙ୍କ କହିବା କଥା ରାଜଧାନୀରେ ଯେତିକି ସ୍ଥାନରେ ଭେଣ୍ଡିଂ ଜୋନ୍‌, ଉଠା ଦୋକାନ ଅଛି ସେଥିରୁ ଅଧିକାଂଶ ଭଡ଼ାରେ ଲାଗିଛି। ଆମେ ଯେଉଁମାନେ ଭଡ଼ାରେ ଦୋକାନ କରିଛୁ ଆମର ବାତ୍ୟାରେ ବହୁତ କ୍ଷୟକ୍ଷତି ହୋଇଛି। ହେଲେ ଏବେ ସହାୟତା ପାଇବା ପାଇଁ ହେଲେ ହଜାରେ ଟଙ୍କା ଲାଞ୍ଚ ଦେବାକୁ ପଡ଼ିବ ବୋଲି କହୁଛନ୍ତି। ଯଦି ବିରୋଧ କରୁଛୁ ତେବେ ଆମେ ବ୍ୟବସାୟ କରୁଛୁ ବୋଲି ପ୍ରମାଣ ଦେଖାଇ ପାରିବୁନି। ଦୋକାନ ଯାହାର ସେ ଟଙ୍କା ପାଇଯିବ। ବିଏମ୍‌ସି ଅଧିକାରୀଙ୍କ ନିକଟରେ ଏନେଇ ଅଭିଯୋଗ କଲେ ବି ସେମାନେ କିଛି କରିପାରିବେନି ବୋଲି କହୁଛନ୍ତି। ୱାର୍ଡ ଅଫିସର/ କମ୍ୟୁନିଟି ଅର୍ଗାନାଇଜର୍ ଯାହା ରିପୋର୍ଟ ଦେବେ ସେହି ଅନୁଯାୟୀ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କହୁଛନ୍ତି। ତେଣୁ ଆମେ ହଜାରେ ଟଙ୍କା ଦେବୁ ନା ବିଏମ୍‌ସି ଅଧିକାରୀଙ୍କ ଉପରେ ନିର୍ଭର କରି ରହିବୁ ଜାଣିପାରୁନୁ ବୋଲି ସେମାନେ କହିଛନ୍ତି।

କେବଳ ମୈତ୍ରୀ ବିହାର ଅଞ୍ଚଳରେ ନୁହେଁ। ରାଜଧାନୀର ପ୍ରାୟ ସମସ୍ତ ଅଞ୍ଚଳରେ ଏହିପରି ଉଠା ଦୋକାନୀମାନଙ୍କଠାରୁ ହଜାରେ ଟଙ୍କା ଲେଖାଏଁ ଆଦାୟ ହେଉଛି। ବିଏମ୍‌ସିର ଅଧିକାରୀମାନଙ୍କ ନିକଟରେ ଏନେଇ ଅଭିଯୋଗ ପହଞ୍ଚିଥିଲେ ହେଁ କେହି କାର୍ଯ୍ୟାନୁଷ୍ଠାନ ନେବା ଦୂରର କଥା ଉଠା ଦୋକାନୀଙ୍କ ଅଭିଯୋଗ ବି ଶୁଣୁନାହାନ୍ତି।

ଏପଟେ ବିଏମ୍‌ସି କମିସନରଙ୍କ ବଦଳି ହୋଇଯାଇଥିବାରୁ ସେ ବି ଉଠା ଦୋକାନୀଙ୍କ ଅଭିଯୋଗ ଶୁଣିବା ମୁଡ୍‌ରେ ନାହାନ୍ତି।

ଏନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଉଠା ଦୋକାନୀଙ୍କୁ ୧୦ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ କମ୍ୟୁନିଟି ଅର୍ଗାନାଇଜର୍ ଏବଂ ୱାର୍ଡ ଅଫିସରମାନଙ୍କୁ ଦାୟିତ୍ବ ଦିଆଯାଇଛି। ସେମାନେ ଉଠା ଦୋକାନୀଙ୍କ ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟର ପାସ୍‌ବୁକ୍‌ର ପ୍ରଥମ ପୃଷ୍ଠାର ନକଲ ଏବଂ ଆଧାର କାର୍ଡର ନକଲ ଆଣିବାକୁ କୁହାଯାଇଛି। ୱାର୍ଡ ଅଫିସରମାନେ ଯେଉଁ ତାଲିକା ପ୍ରସ୍ତୁତ କରିବେ ସେଥିରେ ଦସ୍ତଖତ କରିକି ଦେବେ। ଏହା ଠିକ୍ ଅଛି ବୋଲି ତା’ର ପ୍ରମାଣ ଦେବେ। ଏହାପରେ ଜୋନାଲ ଡେପୁଟି କମିସନରମାନେ ଏହା ଠିକ୍ ଅଛି ବୋଲି ଯାଞ୍ଚ କରି ମୁଖ୍ୟାଳୟକୁ ପଠାଇବେ। ଏହି ତାଲିକାକୁ ସୁଡାକୁ ପଠାଯିବ। ତା’ପରେ ସେମାନଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବ।

ଭଡ଼ାରେ ଦୋକାନ ନେଇ ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କୁ ଆର୍ଥିକ ସହାୟତା ମିଳିବ। ଏଠାରେ ମାଲିକଙ୍କୁ ଟଙ୍କା ମିଳିବନି। ଯଦି କେହି ଲାଞ୍ଚ ମାଗୁଛନ୍ତି ଏନେଇ ଦୋକାନୀମାନେ ଜେଡ୍‌ଡିସିଙ୍କ ନିକଟରେ ଅଭିଯୋଗ କରି‌ପାରିବେ। ଯଦି କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ଜାଣି ଶୁଣି ତାଲିକାରୁ ବାଦ୍‌ ଦିଆଯାଇଥିବ ତେବେ ସଂପୃକ୍ତ ୱାର୍ଡ ଅଫିସର/କମ୍ୟୁନିଟି ଅର୍ଗାନାଇଜର ଏବଂ ଜେଡ୍‌ଡିସିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସୂଚନାଯୋଗ୍ୟ ଯେ, ବିଏମ୍‌ସି ୨୦୧୫-୧୬ରେ କରିଥିବା ଉଠା ଦୋକାନୀ ସର୍ଭେ ଅନୁଯାୟୀ, ରାଜଧାନୀର ୬୭ଟି ୱାର୍ଡରେ ୨୧୪୮୩ଜଣ ଉଠା ଦୋକାନୀ ଥିବାବେଳେ ଏଥିରୁ ୨୪୪୦ଜଣ ମୋବାଇଲ୍ ଭେଣ୍ଡର (ବିଭିନ୍ନ ଯାନରେ ସାମଗ୍ରୀ ବିକୁଥିବେ), ୧୨୭୬ଜଣ ପେରିପେଟେଟିକ୍ ‌େଭଣ୍ଡର (ବିଭିନ୍ନ ସ୍ଥାନରେ ବସିକି ବେପାର କରୁଥିବେ), ୧୭୭୬୭ଜଣ ଷ୍ଟେସନାରି ଭେଣ୍ଡର (ଷ୍ଟେସନାରି ସାମଗ୍ରୀ ବିକ୍ରି କରୁଥିବେ) ଅଛନ୍ତି।

ସମ୍ବନ୍ଧିତ ଖବର