ଭୁବନେଶ୍ବର: ରାଜଧାନୀର କୌଣସି ଅଞ୍ଚଳ ଅନ୍ଧାରରେ ରହିବନି। କେବଳ ପାର୍ବଣ ଋତୁରେ ନୁହେଁ, ବର୍ଷ ସାରା ସହର ଉଜ୍ଜ୍ବଳ ଆଲୋକରେ ଝଲସିବ। ଷ୍ଟ୍ରିଟ୍‌ଲାଇଟ୍‌ର ମୁକ୍ତ ପ୍ରବାହକୁ ଗଛ ଡାଳ ଅବରୋଧ କଲେ ତୁରନ୍ତ କଟା ହେବ, କେଉଁଠି ଲାଇଟ୍‌ ନ ଜଳିଲେ ତୁରନ୍ତ ମରାମତି ହେବ। ସହରର ଶତପ୍ରତିଶତ ଷ୍ଟ୍ରିଟ୍‌ ଲାଇଟ୍‌ ଜଳିବାକୁ ନିଶ୍ଚିତ କରିବା ପାଇଁ ବିଏମ୍‌ସି ୬୭ ଅଫିସରଙ୍କୁ ଗୋଟିଏ ଗୋଟିଏ ୱାର୍ଡର ଦାୟିତ୍ବ ଦେଇଛି। ରାତି ୯ଟାରୁ ରାତି ୧ଟା ପର୍ଯ୍ୟନ୍ତ ବୁଲି ଏହି ଅଫିସରମାନେ ସ୍ଥିତି ଅନୁଧ୍ୟାନ କରିବେ। ଏକ ସ୍ବତନ୍ତ୍ର ଫର୍ମାଟ୍‌ରେ ରିପୋର୍ଟ ଦାଖଲ କରିବେ। ସେହି ରିପୋର୍ଟ ଆଧାରରେ ଲାଇଟ୍‌ ମରାମତି କରାଯିବ। ଏମାନଙ୍କର ନିର୍ଦ୍ଦେଶ ପାଳନ କରିବେ ସେହି ୱାର୍ଡର ସାନିଟାରି ଇନ୍‌ସ୍‌ପେକ୍ଟର, ସ୍ବଚ୍ଛ ସୁପର ଭାଇଜର ଓ ୱାର୍ଡ ଅଫିସର। ଏ ନେଇ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି କମିସନର। ତେବେ ଏହାକୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ୱାର୍ଡ ଅଫିସରମାନେ ପ୍ରଥମେ ଟ୍ୟାକ୍ସ କଲେକ୍ଟର ଥିଲେ। ସେମାନେ ବିଏମ୍‌ସିର ବିଭିନ୍ନ ରାଜସ୍ବ ଆଦାୟ କାମରେ ରହିଥିଲେ। ପରେ ଏମାନଙ୍କୁ ୱାର୍ଡ ଅଫିସର ଭାବରେ ଚିହ୍ନିତ କରାଗଲା। ତେବେ ଏହାପରେ ଏମାନଙ୍କର ଦାୟିତ୍ବ ବି ବଢ଼ିବାରେ ଲାଗିଥିଲା। କିନ୍ତୁ ଲିଖିତ ଭାବେ କୌଣସି ଆଦେଶ ଦିଆଯାଉନଥିଲା। କାରଣ ମୂଳ ପଦବୀ ‘ଟ୍ୟାକ୍ସ କଲେକ୍ଟର’ ଥିବାରୁ ଏମାନଙ୍କୁ ଅନ୍ୟ ଦାୟିତ୍ବ ଦେଲେ ଆଇନଗତ ବିବାଦ ହେବା ଆଶଙ୍କା ରହିଥିଲା। ଏଣୁ ଭିନ୍ନ କାମରେ ଲଗାଇବ‌ା ବେଳ‌େ କର୍ତ୍ତୃପକ୍ଷ ଏହି ଆଇନଗତ ଦିଗକୁ ଆଖି ଆଗରେ ରଖି ସତର୍କତା ଅବଲମ୍ବନ କରୁଥିଲେ। ୨୦୨୦ ମସିହାରେ ପ୍ରଥମେ ଏମାନଙ୍କୁ ଅନ୍ୟ କାମରେ ଲଗା ଯାଇଥିଲା। ମାସ୍କ ନ ପିନ୍ଧିଲେ ଜରିମାନା ବ୍ୟବସ୍ଥା ରହିଥିବାରୁ ଏମାନଙ୍କୁ ପୁଲିସ ଭଳି ମାସ୍କ ଏନ୍‌ଫୋର୍ସମେଣ୍ଟ କାମରେ ଲଗା ଯାଇଥିଲା‌। ଏମାନେ ନିଜ ନିଜ ୱାର୍ଡରେ ବୁଲୁଥିଲେ। ଅଧାରୁ ଅଧିକ ୱାର୍ଡରେ ଅଫିସର ନଥିବାରୁ ଜଣେ ଜଣେ ୱାର୍ଡ ଅଫିସରଙ୍କୁ ୨-୩ ୱାର୍ଡ ଦିଆଯାଇଥିଲା। ଏହି ଏକାଧିକ ୱାର୍ଡ ଦାୟିତ୍ବରେ ଥିବା ୱାର୍ଡ ଅଫିସର ରାସ୍ତାରେ ବୁଲି ବୁଲି ଜରିମାନା ଆଦାୟ କରିବା ବେଳେ ଫସି ଯାଇଥିଲେ। ଅମାନିଆମାନେ ଭୟରେ ପୁଲିସକୁ ମାନୁ ଥିବାବେଳେ ଏମାନଙ୍କୁ ମାନୁନଥିଲେ।

ଏଣୁ ଅନେକ ସମୟରେ ଅମାନିଆଙ୍କ ସହ ୱାର୍ଡ ଅଫିସର ମୁହାଁମୁହିଁ ହେଉଥିଲେ। ଅମାନିଆଙ୍କ ସହ ଜରିମାନା ପାଇଁ ଲଢ଼େଇ କରୁ କରୁ କେତେକ କରୋନା ଆକ୍ରାନ୍ତ ବି ହୋଇଥିଲେ। ସେତେବେଳେ ୱାର୍ଡ ଅଫିସର ବିଶ୍ବଜିତ୍‌ ମାନ୍ନାଙ୍କର କରୋନାରେ ମୃତ୍ୟୁ ହୋଇଥିଲା। ପୁଣି ୨୦୨୨ ଜୁଲାଇରେ ବିଏମ୍‌ସି ଏକ ବିଚିତ୍ର ନିର୍ଦ୍ଦେଶନାମା ଜାରିକଲା। ରାତି ୧୦ଟା ଯାଏଁ ଜୋନ୍‌ ଅଫିସ୍‌ ଖୋଲା ରହିବ ଓ ୱାର୍ଡ ଅଫିସରମାନେ ଡ୍ୟୁଟିରେ ରହିବେ। ପରିମଳ ବ୍ୟବସ୍ଥାରେ ଦୋକାନ ଦୋକାନ ବୁଲି ଜରିମାନା ଆଦାୟ କରିବେ। କିଛିଦିନ ଏଭଳି ଚାଲିବା ପରେ ଏହାକୁ ପ୍ରବଳ ବିରୋଧ ହୋଇଥିଲା। ଏଣୁ ଏହି ନିର୍ଦ୍ଦେଶମାନା ଆଉ କାର୍ଯ୍ୟକାରୀ ‌ହୋଇ ପାରିନଥିଲା। ସେହି ବର୍ଷ ଅକ୍ଟୋବରରେ ଓଦା-ଶୁଖିଲା ବର୍ଜ୍ୟକୁ ନେଇ ଜନସାଧାରଣଙ୍କୁ ସଚେତନତା କରିବା ପାଇଁ ଯୋଜନା ହୋଇଥିଲା। ୱାର୍ଡ ଅଫିସରଙ୍କୁ ପୁଣି ଏହି ଦାୟିତ୍ବ ଦିଆଯାଇଥିଲା। ଘର ଘର ବୁଲି ୱାର୍ଡ ଅଫିସରମାନେ ଲିଫ୍‌ଲେଟ୍‌ ବାଣ୍ଟିଥିଲେ। ୨୦୨୩ ମସିହା ଜାନୁଆରି ମାସରେ ଏମାନଙ୍କୁ ଡିଡିଏନ୍‌ (ଡିଜିଟାଲ୍‌ ଡୁଅର ନମ୍ବରିଂ) ସର୍ଭେ କାମରେ ମଧ୍ୟ ଲଗା ଯାଇଥିଲା। ଘର ଘର ବୁଲି ପୂର୍ବରୁ ଦିଆଯାଇଥିବା ଡିଡିଏନ୍‌ ସହ ଘରର ତଥ୍ୟ ମେଳ କରିବାକୁ ସେମାନଙ୍କୁ କୁହାଯାଇଥିଲା। ଏମାନେ ଘର ଘର ବୁଲି ଏହି କାର୍ଯ୍ୟ କରିଥିଲେ।

ଏସବୁ କାମ ମୂଳକାମ ସହ କରାଯିବାକୁ କୁହାଯାଇଥିଲା। ଫଳରେ ମୂଳକାମ, ଅର୍ଥାତ୍‌ ରାଜସ୍ବ ଆଦାୟ ପ୍ରଭାବିତ ହୋଇଥିଲା। ହୋଲ୍ଡିଂ ଟ୍ୟାକ୍ସ ଆଦାୟ ଅପେକ୍ଷାକୃତ କମ୍‌ ହେବାରୁ ୱାର୍ଡ ଅଫିସରଙ୍କ ଉପରେ ଚଡ଼କ ପଡ଼ିଥିଲା। ୨୦୨୩ ମସିହା ମେ’ ମାସରେ ବସିଥିବା‌ ଏକ ସମୀକ୍ଷା ବୈଠକରେ କମିସନର ଏମାନଙ୍କୁ ଚେତାବନୀ ଦେଇଥିଲେ- ହୋଲ୍ଡିଂ ଟ୍ୟାକ୍ସ ଆଦାୟ‌ରେ ଯାହାର ଲକ୍ଷ୍ୟ ଠାରୁ କମ୍‌ ହେବ, ତାଙ୍କର ଦରମା ବନ୍ଦ କରି ଦିଆଯିବ। ଏହାକୁ ନେଇ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାର ଏକ ତୀବ୍ର ପ୍ରତିକ୍ରିୟା ଏଇ ୫ ଦିନ ତଳେ ମଧ୍ୟ ଦେଖିବାକୁ ମିଳିଥିଲା। ରାଜସ୍ବ କମ୍‌ ଆଦାୟ ହୋଇଥିବାରୁ ଡେପୁଟି କମିସନର କେତେକ ୱାର୍ଡ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ଜଣେ ୱାର୍ଡ ଅଫିସର ଏହି ସବୁ କାରଣ ଦେଖାଇଥିଲେ। କମିସନରଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜସ୍ବ ସମୀକ୍ଷା ବୈଠକରେ ‘ଲିଖିତ ଆଦେଶ ଦିଆଯାଉନଥିବାରୁ କୋର୍ଟ ଯିବେ’ ବୋଲି ଜଣେ ୱାର୍ଡ ଅଫିସର କହିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। କମିସନର ଚାକିରିରୁ ବିଦା କରିଦେ ବୋଲି ଧମକାଇବାରୁ ସମ୍ପୃକ୍ତ କର୍ମଚାରୀ କ୍ଷମା ପ୍ରାର୍ଥନା କରିବାକୁ ବାଧ୍ୟ ହୋଇଥିଲେ। ଏବେ ବିଦ୍ୟୁତ ଖୁଣ୍ଟ ଦେଖିବାକୁ ରାତି ଗୋଟାଏ ଯାଏ ବୁଲିବା ଆଦେଶକୁ ନେଇ ଆହୁରି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କାରଣ ଲାଇଟ୍‌ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ଦୁଇଟି ଠିକା ସଂସ୍ଥାକୁ ବିଏମସି ଲକ୍ଷ ଲକ୍ଷ ଟଙ୍କା ଦେଉଛି।