ଭୁବନେଶ୍ବର: ରାଜଧାନୀର ପ୍ରତି ଘରକୁ ଏକ ନମ୍ବର ଦିଆଯିବ। ଏହି ନମ୍ବର ଜିଓ ଟ୍ୟାଗିଂ ହେବ। ଜିପିଏସ୍ ଟ୍ରାକ୍ କରି ଘରେ ପହଞ୍ଚି ହେବ। ଘରକୁ ସ୍ମାର୍ଟ ଆଡ୍ରେସ୍ ମିଳିବ। ଲୋକ ଯେତିକି ସୁବିଧା ପାଇବେ ବିଏମ୍ସି ସହ ଅନ୍ୟ ସରକାରୀ ସଂସ୍ଥାମାନେ ସେବା ଯୋଗାଇବା ମଧ୍ୟ ସେତିକି ସହଜ ହେବ। ଏଭଳି ଏକ ସୁବିଧା ପାଇଁ ବିଏମ୍ସି ଡିଜିଟାଲ ଡୋର୍ ନମ୍ବରିଂ(ଡିଡିଏନ୍) କରିଥିଲା। ଏଥିପାଇଁ ଠିକା ସଂସ୍ଥା ନେଇଥିଲା ପାଖାପାଖି ୪ କୋଟି ଟଙ୍କା। ହେଲେ ତାହା ପାଣିରେ ପଡ଼ିଛି। ଡିଡିଏନ୍ ବ୍ୟବସ୍ଥା ଫେଲ୍ ମାରିଛି। ଏଣୁ ଏହାକୁ ଆଉ ଥରେ ଘର ଘର ବୁଲି ସର୍ଭେ କରିବାକୁ ନିଷ୍ପତ୍ତି ହୋଇଛି। ଏବେ ୱାର୍ଡ ଅଫିସରମାନେ ଏହି କାମ କରିବେ।
ବିଏମ୍ସି ବା ଅନ୍ୟ ସରକାରୀ ସଂସ୍ଥା ଓ ସାଧାରଣ ଲୋକ ଉଭୟ ଉପକୃତ ହେବାକୁ ଥିବାରୁ ଡିଡିଏନ୍ ବ୍ୟବସ୍ଥାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିଲା। କେବଳ ଡିଡିଏନ୍ ନମ୍ବର କହିଦେଲେ ପୁଲିସ ଠାରୁ ଆରମ୍ଭ କରି ଦମ୍କଳ ବାହିନୀ ବି ଘରେ ପହଞ୍ଚି ଯାଇଥା’ନ୍ତା। ଏହି ନମ୍ବର ବଳରେ ବିଜୁଳି, ରନ୍ଧନ ଗ୍ୟାସ୍, ଟିଭି କେବୁଲ୍, ଟେଲିଫୋନ୍ ସଂଯୋଗ ଠାରୁ ବିଲ୍ ଦାଖଲ ପର୍ଯ୍ୟନ୍ତ ଭଳି ବ୍ୟବସ୍ଥା ଅତି ସହଜ ହୋଇଯାଇଥା’ନ୍ତା। ବିଏମ୍ସି ହୋଲ୍ଡିଂ ଟ୍ୟାକ୍ସ, ୟୁଜର୍ସ ଫି ଆଦାୟ ସହ ଅଭିଯୋଗ ଗ୍ରହଣ କରି ତୁରନ୍ତ ସେବା ଯୋଗାଇ ଦେବା ମଧ୍ୟ ସହଜ ହୋଇଥାନ୍ତା। ଏହି ନମ୍ବରରେ ଘରର ସଂପୂର୍ଣ୍ଣ ତଥ୍ୟ ଯଥା ଘର କେତେ ମହଲା, ସଦସ୍ୟ କେତେ, ଠିକଣା, ହୋଲଡିଂ ନମ୍ବର ପ୍ରଭୃତି ସବୁ ପ୍ରକାରର ତଥ୍ୟ ରହିଥାନ୍ତା। କେବଳ ଗୋଟିଏ କ୍ଲିକ୍ରେ ଘର ତଥା ଘର ମାଲିକର ସବୁ ରେକର୍ଡ ଉପଲବ୍ଧ ହୋଇଥାନ୍ତା। ଏହାଦ୍ବାରା ବିଏମ୍ସିର ରାଜସ୍ବ ଆଦାୟ ବଢ଼ିବା ସହ ଲୋକଙ୍କୁ ସବୁ ପ୍ରକାରର ସେବା ସହଜରେ ମିଳିଥାନ୍ତା।
ଏହାକୁ ଆଖି ଆଗରେ ରଖି ବିଏମ୍ସି ୨୦୨୦ ମସିହା ଜୁନ୍ ମାସରେ ‘ନବଯୁଗ ସ୍ପାସିଆଲ ଟେକ୍ନୋଲୋଜିଜ୍ ପ୍ରାଇଭେଟ୍ ଲିମିଟେଡ୍’ ଓ ‘ଜିପର୍ ପ୍ରାଇଭେଟ୍ ଲିମିଟେଡ୍’ ସହ ବୁଝାମଣାପତ୍ର ସ୍ବାକ୍ଷର କରିଥିଲା। ଉଭୟ ସଂସ୍ଥା ଜୁଲାଇ ମସିହାରୁ ସର୍ଭେ କରିଥାନ୍ତେ। କିନ୍ତୁ କରୋନା ପାଇଁ ସର୍ଭେ କାମ ଆରମ୍ଭ ହୋଇ ପାରିନଥିଲା। ୨୦୨୧ ମସିହା ଫେବୃଆରି ମାସରେ ଏହାର ସର୍ଭେ ଆରମ୍ଭ ହୋଇଥିଲା। ପ୍ରଥମେ ପାଇଲଟ୍ ପ୍ରକଳ୍ପ ଭାବରେ ତିନିଟି ଜୋନ୍ରୁ କଳିଙ୍ଗନଗର, ସହିଦନଗର ଓ ଶୈଳଶ୍ରୀବିହାରରେ ସର୍ଭେ କରାଯାଇଥିଲା। ଏହା ସଫଳ ହୋଇଥିବା ଦର୍ଶାଇ ୬୭ଟି ୱାର୍ଡରେ ଏହି ସର୍ଭେ କରାଗଲା। ସର୍ଭେ କରି ସଂସ୍ଥା ପ୍ରାୟ ୧ ଲକ୍ଷ ୨୦ ହଜାର ଡିଡିଏନ୍ ନମ୍ବର ଜାରି କରିଥିଲା। ନୂଆ କରି ନିର୍ମାଣ ହେଉଥିବା ଘରମାନଙ୍କୁ ହୋଲ୍ଡିଂ ଟ୍ୟାକ୍ସ ଧାର୍ଯ୍ୟ କରିବାକୁ ହେଉଥିବା ସର୍ଭେ ବେଳେ ଏହି ଡିଡିଏନ୍ କରିବାକୁ ଯୋଜନା ଥିଲା।
ସର୍ଭେ ପରେ ଜଣାପଡ଼ିଲା କି କେଉଁଠି ସରକାରୀ ଜମିରେ ହୋଇଥିବା ଘରକୁ ଡିଡିଏନ୍ ନମ୍ବର ମିଳିଥିଲା। ଆଉ କେଉଁଠି ଗୋଟିଏ ଘରେ ୪ ଜଣ ଭଡାଟିଆ ରହୁଥିବାରୁ ୪ଟି ଡିଡିଏନ୍ ମିଳିଥିଲା। ଅର୍ଥାତ୍ ଗୋଟିଏ ହୋଲ୍ଡିଂ ନମ୍ବରରେ ୪ଟି ଡିଡିଏନ୍ ନମ୍ବର ବାହାରିଥିଲା। ହୋଲ୍ଡିଂ ସହ ମେଳକ କରି ଏହାକୁ କମ୍ପ୍ୟୁଟରରେ ଅପ୍ଲୋଡ୍ କଲା ବେଳେ ତ୍ରୁଟି ଧରାପଡ଼ିଥିଲା। କେତେକ ଜାଗାରେ ହୋଲ୍ଡିଂ ନମ୍ବର ନଥିଲେ ମଧ୍ୟ ଡିଡିଏନ୍ ନମ୍ବର ବାହାରୁଥିଲା। ଏଭଳି ବିଚିତ୍ର ପରିସ୍ଥିତି ସୃଷ୍ଟି ହେବାରୁ ନା ଏହାକୁ କାର୍ଯ୍ୟକ୍ଷମ କରାଯାଇ ପାରିଥିଲା, ନା ଏହାର ତଥ୍ୟ ପୋଷ୍ଟ ଅଫିସ୍, ପୁଲିସ, ଅଗ୍ନିଶମ କାହାକୁ ଦିଆ ଯାଇପାରିନଥିଲା। ଶେଷରେ ଏହାକୁ ପୁନଃ ସର୍ବେକ୍ଷଣ କରିବାକୁ ଯୋଜନା ହୋଇଛି। ୱାର୍ଡ ଅଫିସରମାନେ ଘର ଘର ବୁଲି ଏହି ନମ୍ବର ଆଧାରରେ ମିଳିଥିବା ତଥ୍ୟର ବାସ୍ତବତା ଯାଞ୍ଚ କରିବେ। ଗୋଟିଏ ହୋଲ୍ଡିଂ ନମ୍ବରରେ ଥିବା ଏକାଧିକ ଡିଡିଏନ୍କୁ କାଟିବେ। ସରକାରୀ ଜମିରେ ହୋଇଥିବା ନମ୍ବରକୁ ମଧ୍ୟ କାଟିବେ। ସବୁ ଶତପ୍ରତିଶତ ପ୍ରସ୍ତୁତ ହେବା ପରେ ଏହାକୁ କାର୍ଯ୍ୟକାରୀ କରାଯିବ। ୱାର୍ଡ ଅଫିସରଙ୍କୁ ବସାଇ ଏବାବଦରେ କୁହାଯାଇଛି। ପୂର୍ବରୁ ଏମାନଙ୍କୁ ଏକାଧିକ କାମରେ ଲଗାଯାଇଥିବାରୁ ପ୍ରବଳ ଅସନ୍ତୋଷ ରହିଛି। ଏକାଧିକ କାମ ଯୋଗୁ ମୂଳ କାମ ବିଗିଡ଼ି ଯାଉଥିବା ନଜିର ରହିଛି। ଏଭଳି ସ୍ଥିତିରେ ଏହି ଡିଡିଏନ୍ କେବେ କାର୍ଯ୍ୟକ୍ଷମ ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।