ବଜାରକୁ ଯାଉଥିଲେ ଭିଡ଼ରୁ ଦୂରରେ ରୁହନ୍ତୁ, ମାସ୍କକୁ ଗୁରୁତ୍ୱ ଦିଅନ୍ତୁ: ବିଏମସି କମିସନର

ଭୁବନେଶ୍ୱର: ପନିପରିବା ପାଇଁ ହେଉଁ କି ତେଜରାତି ସାମଗ୍ରୀ କିଣିବାକୁ ବଜାରକୁ ଯାଉଥିଲେ, ଭିଡରୁ ନିବୃତ୍ତ ରୁହନ୍ତୁ । ମହାମାରୀ କରୋନା ଭାଇରସ ଠାରୁ ବର୍ତ୍ତିବାକୁ ହେଲେ ଭିଡ଼ରୁ ଦୂରରେ ଉଚିତ ବୋଲି କହିଛନ୍ତି ଭୁବନେଶ୍ୱର ମହାନଗର ନିଗମର କମିସନର ପ୍ରେମଚନ୍ଦ୍ର ଚୌଧୁରୀ । ସେ କହିଛନ୍ତି, ଘରୁ ବାହାରକୁ ଯିବା ମାତ୍ରେ ମାସ୍କକୁ ଅଧିକ ଗୁରୁତ୍ୱ ଦେବା ସହିତ ସାମାଜିକ ଦୂରତା ନିୟମ ପାଳନ କରନ୍ତୁ । ଅଳ୍ପ କିଛି ଟଙ୍କା ବଂଚାଇବା ପାଇଁ ଚାରିଆଡେ ବୁଲି ବୁଲି ଜିନିଷ ପତ୍ର ନକିଣି ଗୋଟିଏ ସ୍ଥାନରୁ ପରିବା କିଣିଲେ ଭଲ । କାରଣ ଶସ୍ତାରେ ଜିନିଷ କିଣିବା ଲାଗି ଟଙ୍କା ବଂଚାଇବା ଅପେକ୍ଷା ଜୀବନ ଅଧିକ ମୂଲ୍ୟବାନ ।

ଶ୍ରୀ ଚୌଧୁରୀ କହିଛନ୍ତି, ଯଦି ଗ୍ରାହକମାନେ କଡ଼ାକଡ଼ି ଭାବେ କୋଭିଡ ଗାଇଡଲାଇନ ପାଳନ କରିବେ ତା’ହେଲେ ଆମେ କରୋନା ମୁକାବିଲା କରିବାରେ ସଫଳ ହେବା । ଥରକରେ ଯଦି ଆମେ ୩ରୁ ୪ ଦିନ ପାଇଁ ପରିବା କିଣିବା ତା’ହେଲେ ମାର୍କେଟରେ ଭିଡ ହ୍ରାସ ପାଇବ । ସେହିଭଳି ଅନେକ ଜିନିଷ ଅନଲାଇନରେ ଅର୍ଡର ମଧ୍ୟ କରାଯାଇ ମାର୍କେଟରେ ଭିଡ କମ କରାଯାଇପାରିବ । କରୋନା କାଳରେ ଅନଲାଇନ ପେମେଣ୍ଟ, ସପିଂ କରି ଲୋକେ ଆମକୁ ସାହାଯ୍ୟ କରିପାରିବେ । ଶିଳ୍ପାନୁଷ୍ଠାନ ଦ୍ୱାରା ଆମକୁ ସହଯୋଗ ସମର୍ଥନ ମିଳିଛି । ଘରୋଇ ହସପିଟାଲ ଆମପାଇଁ ଅନ୍ୟ ଏକ ଚ୍ୟାଲେଞ୍ଜ ଥିଲା ଏବଂ ଏବେ ବି ଅଛି । କିନ୍ତୁ ଘରୋଇ ହସ୍ପିଟାଲରେ ଏବେ କରୋନା ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରାଯାଉଥିବା ପରିଲକ୍ଷିତ ହେଉଛି ।

ବିଏମସି କମିସନର କହିଛନ୍ତି, କିଛି ଦିନ ଭିତରେ ଆମେ ଟେଷ୍ଟିଂ ବଢ଼ାଇଛୁ । ୟୁନିଟ-୧, ମାର୍କେଟ ବିଲ୍ଡିଂ, ମାଛ ମାର୍କେଟ ଓ ପନିପରିବା ମାର୍କେଟ ଆମ ପାଇଁ ଚ୍ୟାଲେଞ୍ଜ ହୋଇଛି । ଆଳୁଗଦିରେ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କରି ଯୋଗୁଁ ପରବର୍ତ୍ତୀ ସମୟରେ ୪୧ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଥିଲେ । ସେହିଭଳି ମାଛ ବଜାରରେ ଆମେ କରୋନା ପରୀକ୍ଷା କରିଛୁ । ମାଛ ମାର୍କେଟରୁ ମଧ୍ୟ ୨୧ ଜଣ କରୋନା ପଜିଟିଭ ଚିହ୍ନଟ କରିଥିଲୁ । ମାଛ ମାର୍କେଟରେ ସାମାଜିକ ଦୂରତ୍ୱ ପାଳନ ହେଉ ନାହିଁ । ଫଳରେ କିଛି ଦିନ ପାଇଁ ୟୁନିଟ-୪ ମାଛ ମାର୍କେଟ ବନ୍ଦ କରିଥିଲୁ । ନିକଟରେ ମାଛ ମାର୍କେଟକୁ ଖୋଲାଯାଇଛି ।

କରୋନା ସଂକ୍ରମଣ ନେଇ ଆଜି ମାର୍କେଟ ଆସୋସିଏସନଙ୍କ ସହିତ ବୈଠକ କରିଛୁ ବୋଲି ଶ୍ରୀ ଚୌଧୁରୀ ଗଣମାଧ୍ୟମର ପତିନିଧିଙ୍କୁ ସୂଚନା ଦେଇଛନ୍ତି । ବଜାରରେ ବ୍ୟବସାୟୀ ଓ ଗ୍ରାହକ କୋଭିଡ-୧୯କୁ ଗୁରୁତ୍ୱ ଦେଲେ ସଂକ୍ରମଣ ରୋକାଯାଇପାରିବ । ବ୍ୟବସାୟୀ ସଂଘ କୋଭିଡ-୧୯ ଗାଇଡଲାଇନ ପାଳନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଲୋକେ ମାସ୍କ ପିନ୍ଧିବା, ସାମାଜିକ ଦୂରତାକୁ ଗୁରୁତ୍ୱ ଦିଅନ୍ତୁ । ଚାର୍ଟ, ଠେଲା, ଗୁପଚୁପ ଦୋକାନୀଙ୍କୁ ପାର୍ସଲ ବିକ୍ରି କରିବାକୁ ଅନୁମତି ଦିଆଯାଇଛି । କିନ୍ତୁ ଅନେକ ସ୍ଥାନରେ ଏହାର ଉଲ୍ଲଂଘନ ହେଉଛି ।

ବସ୍ତି ଅଂଚଳରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ବସ୍ତି କମିଟି ଗଠନ କରାଯାଇଛି । ସଚେତକ ଟିମ ମାଧ୍ୟମରେ ଆମେ କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରୁଛୁ। ୬୦ ପ୍ରତିଶତ ବସ୍ତି ଅଂଚଳରେ ଆମେ ଗୋଟିଏ ବି କରୋନା ପଜିଟିଭ ଚିହ୍ନଟ ହୋଇନାହାନ୍ତି । ରମାଦେବୀ ବସ୍ତିରେ ୨୫୦ଟି ପରିବାରରେ ୧୨୦୦ ଲୋକ ରହୁଛନ୍ତି । ଏଠାରେ ୭ଟି କମିଟି ଗଠନ କରାଯାଇଛି । ଏହି ବସ୍ତିକୁ ଆସିଥିବା ଲୋକେ ପ୍ରଥମେ କଣ୍ଟେନମେଣ୍ଟରେ ରହିଥିଲେ । ଫଳରେ ଜଣେ ବି କରୋନା ପଜିଟିଭ ଚିହ୍ନଟ ହୋଇନାହାନ୍ତି ।

ବିଏମସି କମିସନର କହିଛନ୍ତି, ପ୍ରାୟ ୧୪୦୦୦ ଲୋକଙ୍କୁ ନେଇ ଆମେ ନିକଟରେ ଏକ ସର୍ଭେ କରିଥିଲୁ । ଏଥିରୁ ୧୨୩୬୭ ଜଣ ଲୋକ ସଚେତକ ଆପ ଡାଉନଲୋଡ କରିଛନ୍ତି । କୋଭିଡ-୧୯ ନେଇ କୌଣସି ପ୍ରକାରର ଗୁଜବ ଜଣାପଡ଼ିଲେ ୧୯୨୯ ହେଲପଲାଇନ ନମ୍ବର, ବିଏମସିର ସଚେତକ ଟିମ, ଇମେଲରେ ବିଏମସିକୁ ଜଣାଇପାରିବେ । ଆମେ ଏହାକୁ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନେବୁ ।

ସମ୍ବନ୍ଧିତ ଖବର