ନକଲି ଆୟକର ଅଧିକାରୀ ଗିରଫ, ଚଢ଼ଉ ଧମକରେ ଚାନ୍ଦା

ଟାର୍ଗେଟରେ ମାଲ୍‌ଗୋଦାମ ବ୍ୟବସାୟୀ

ଭୁବନେଶ୍ବର: ଆୟକର ବିଭାଗରେ ପିଅନ ଥିଲା। କିନ୍ତୁ ଚାକିରିରେ ଥାଇ ୪୨୦ କାର୍ଯ୍ୟକଳାପରେ ଲିପ୍ତ ରହିବା ଯୋଗୁଁ ତାକୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା। ତେବେ ଏହା ପରେ ତା’ର ୪୨୦ କାର୍ଯ୍ୟକଳାପ ବଢ଼ି ଯାଇଥିଲା। ନିଜକୁ ସହକାରୀ କମିସନର୍‌ ପରିଚୟ ଦେଇ ସେ ପୁଣି ଠକିବାରେ ଲାଗି ପଡ଼ିଲା। ବ୍ୟବସାୟୀମାନଙ୍କୁ ଚଢ଼ଉ ଭୟ ଦେଖାଇ ଚାନ୍ଦା ଆଦାୟ କରୁଥିଲା। ବିଶେଷକରି କଟକ ମାଲ୍‌ଗୋଦାମର ବ୍ୟବସାୟୀ ଓ ଭୁବନେଶ୍ବରର କିଛି ବଡ଼ ବଡ଼ ବ୍ୟବସାୟୀଙ୍କୁ ସେ ଟାର୍ଗେଟ୍‌ କରୁଥିଲା। ଏମିତି ଜଣେ ଧୂର୍ତ୍ତକୁ ଆଜି କମିସନରେଟ୍‌ ପୁଲିସ ଗିରଫ କରିଛି। ଖାରବେଳନଗର ଥାନା ପୁଲିସ ଦ୍ବାରା ଗିରଫ ହୋଇଥିବା ଏହି ଠକ ହେଲା ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ଜେନାସାହିର ଉମାକାନ୍ତ ରାଉତ(୫୯)। ତାକୁ ଥାନାରେ ରଖି ପଚରାଉଚରା ଚାଲିଛି ଓ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ପିଅନ ଭାବେ ଚାକିରି କରୁଥିବା ବେଳେ ଉମାକାନ୍ତ ଆୟକର ଦାଖଲ କରୁଥିବା ବ୍ୟବସାୟୀଙ୍କ ତଥ୍ୟ ଚୋରି କରି ନେଇଥିଲା। ଏବେ ସେହି ତଥ୍ୟକୁ ଆଧାର କରି ସେ ଜଣକ ପରେ ଜଣେ ବ୍ୟବସାୟୀଙ୍କୁ ଟାର୍ଗେଟ୍ କରୁଥିଲା। ଚଢ଼ଉ ଭୟ ଦେଖାଇ ହଜାର ହଜାର ଟଙ୍କା ଆଦାୟ କରୁଥିଲା। ତେବେ ତା’ ଠକାମି ବେଶି ଦିନ କାମ କରି ନଥିଲା। କିଛି ଦିନ ପୂର୍ବେ ସେ ଖାରବେଳନଗର ଥାନା ଅନ୍ତର୍ଗତ ଭୌମନଗରସ୍ଥିତ ଦେବ ଏଜେନ୍ସିର ମାଲିକ ଦେବାଶିଷ ପଟ୍ଟନାୟକଙ୍କୁ ଫୋନ୍ କରିଥିଲା। ନିଜକୁ ଆୟକର ବିଭାଗର ସହକାରୀ କମିସନର ପରିଚୟ ଦେଇଥିଲା। ଆୟକର ଫାଙ୍କି ଅଭିଯୋଗରେ ଚଢ଼ଉ କରାଯିବ ବୋଲି ଭୟ ଦେଖାଇଥିଲା। ତେବେ ୧୦ ହଜାର ଟଙ୍କା ଦେଲେ ସେ ଚଢ଼ଉ କଥା ମ୍ୟାନେଜ୍‌ କରିବ ବୋଲି କହିଥିଲା। କିନ୍ତୁ ଡରି ନ ଯାଇ ଦେବାଶିଷ ଏ ସମ୍ପର୍କରେ ଗତ ଜୁଲାଇ ୩୧ ତାରିଖରେ ଖାରବେଳନଗର ଥାନାରେ ଅଭିଯୋଗ କଲେ ଓ ପୁଲିସ ମାମଲା ରୁଜୁ କରି ନକଲି ଆୟକର ସହକାରୀ କମିସନରଙ୍କୁ ଖୋଜିଥିଲା। କିନ୍ତୁ ଏହା ଜାଣି ପାରି ଉମାକାନ୍ତ ଫେରାର୍ ହୋଇଯାଇଥିଲା। ତେଣୁ ପୁଲିସ ତା’ର ପତ୍ତା ପାଇ ନଥିଲା। ଖାରବେଳନଗର ଥାନା ପୁଲିସ ଉମାକାନ୍ତକୁ ଖୋଜୁଥିବା ବେଳେ ଗତ ସେପ୍ଟେମ୍ବର ମାସର ଏକ ମାମଲାରେ ମାଲଗୋଦାମ ଥାନା ପୁଲିସ ତାକୁ ଗିରଫ କରିଥିଲା। ମାଳ୍‌ଗୋଦାମର ୨ ଜଣ ବ୍ୟବସାୟୀଙ୍କଠାରୁ ଚାନ୍ଦା ନେଇଥିବା ଅଭିଯୋଗ‌ରେ ତାକୁ ଗିରଫ କରାଯାଇଥିଲା। କିନ୍ତୁ ଖାରବେଳନଗର ଥାନା ପୁଲିସ ଜାଣିବା ପୂର୍ବରୁ ସେ ଜେଲ୍‌ରୁ ଜାମିନ୍‌ ପାଇ ଫେରାର୍ ରହିଥିଲା। ତେବେ ପୁଣି ଚାନ୍ଦା ଆଦାୟ ଚଳାଇଥିଲା। ଏବେ ଉମାକାନ୍ତ ବିରୋଧରେ ଅନୁରୂପ ଭାବେ ଇନ୍‌ଫୋସିଟି ଥାନାରେ ଆଉ ଏକ ମାମଲା ରୁଜୁ ହୋଇଛି। ଏ ସମ୍ପର୍କରେ ଖାରବେଳନଗର ଥାନା ପୁଲିସକୁ ସୂଚନା ମିଳିବା ପରେ ଆଜି ସନ୍ଧ୍ୟାରେ ତା’କୁ ଗିରଫ କରାଯାଇଛି। ପୁଲିସ ସୂଚନାନୁସା‌ରେ, ତା’ ବିରୋଧରେ ମାଲ୍‌ଗୋଦାମ ଥାନାରେ ୩ଟି, ଚାଉଳିଆଗଞ୍ଜ ଥାନାରେ ଓ ଇନ୍‌ଫୋସିଟି ଥାନରେ ଗୋଟିଏ ଲେଖାଏଁ ମାମଲା ରହିଛି।

ପୁଲିସ ସୂଚନା ଅନୁସାରେ, ଚାକିରିରେ ଥିବା ବେଳେ ଉମାକାନ୍ତ ବିରୋଧରେ ଅନେକ ଅଭିଯୋଗ ଆସିଥିଲା। ଆୟକର ଦାଖଲ ଫାଇଲ୍‌ରୁ ତଥ୍ୟ ଚୋରି କରିବା, ଆୟକର ଦାଖଲ କରୁଥିବା ବ୍ୟକ୍ତିଙ୍କୁ ଚଢ଼ଉ ଭୟ ଦେଖାଇ ଟଙ୍କା ମାଗିବା ଭଳି ସଂଗିନ୍ ଅଭିଯୋଗ ତା’ ନାମରେ ଆସିଥିଲା। ବାରମ୍ବାର ଏଭଳି ଅଭିଯୋଗ ହେବାରୁ ତା’ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଚାକିରି ସରିବାର ୫ ବର୍ଷ ପୂର୍ବରୁ ଅର୍ଥାତ୍ ୨୦୧୫ରେ ତାକୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା।

ସମ୍ବନ୍ଧିତ ଖବର