ବାଲିଅନ୍ତା :ଏ ଅଞ୍ଚଳର ସବୁଠୁ ପୁରୁଣା ଭିଙ୍ଗାରପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ, ଏରିଆ ହସ୍ପିଟାଲ ମାନ୍ୟତା (ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମାନ୍ୟତା ସହ ସମାନ) ଦାବିରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷର ସ୍ବର ତୀବ୍ର ହୋଇଛି । ୧୯୩୬ ମସିହାରେ ସ୍ଥାପିତ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ର ସେତେବେଳେ ଏକମାତ୍ର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଭାବେ ସେବା ଯୋଗାଇ ଆସୁଛି । ଭିଙ୍ଗାରପୁର, ବେଣ୍ଟପୁର, କାକରୁଦ୍ରପୁର ପଞ୍ଚାୟତ ସମେତ ଆଖପାଖ ୬ଟି ପଞ୍ଚାୟତର ଲୋକ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରିଥାନ୍ତି । ହେଲେ ଏହା ମଧ୍ୟରେ ଦୀର୍ଘ ୮୪ ବର୍ଷ ବିତିଯାଇଥିଲେ ହେଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମାନ୍ୟତା ମିଳିପାରି ନାହିଁ ।
ଅନ୍ୟପକ୍ଷରେ ଡାକ୍ତର ସମସ୍ୟା ଓ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଜରୁରୀକାଳୀନ ଚିକିତ୍ସା ପାଇଁ ଲୋକେ ଅନ୍ୟତ୍ର ଯିବାକୁ ବାଧ୍ୟ ହେଉଛନ୍ତି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବାଳକାଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଗ୍ରାଧିକାର ଭିତ୍ତିରେ ୨୦୦୪/୦୫ ମସିହାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ପ୍ରଦାନ କରାଯାଇଥିଲା । ଏନେଇ ସ୍ଥାନୀୟ ଜନ ସାଧାରଣଙ୍କ ମଧ୍ୟରେ ସେତେବେଳେ ଘୋର ଉଦବେଗ ପ୍ରକାଶ ପାଇଥିଲା । ସେବେଠାରୁ ଏହି ହସ୍ପିଟାଲକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସହ ସମାନ ମାନ୍ୟତା ଆଞ୍ଚଳିକ ହସ୍ପିଟାଲ କରାଯିବା ନେଇ ଦାବି ହୋଇ ଆସୁଛି । ହେଲେ ଏଯାଏ ଆଞ୍ଚଳିକ ହସ୍ପିଟାଲର ମାନ୍ୟତା ମିଳିପାରିନଥିବାରୁ ସାଧାରଣରେ ଘୋର ଉଦବେଗ ପ୍ରକାଶ ପାଇଛି ।
ଏହାର ପ୍ରତିବାଦରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଚୌଧୁରୀ ଦ୍ବାରିକା ନାଥ ଦାଶଙ୍କ ନେତୃତ୍ବରେ ଆସନ୍ତା ମାସ ପ୍ରଥମ ସପ୍ତାହରେ ସଂପୃକ୍ତ ହସ୍ପିଟାଲ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସି ରହିବେ ବୋଲି ସ୍ଥାନୀୟ ଲୋକ ଚେତାବନୀ ଦେଇଛନ୍ତି । ଏନେଇ ୧୦୦୦ ଦସ୍ତଖତ ସ୍ବାକ୍ଷରିତ ଦାବିପତ୍ର ଭୁବନେଶ୍ବର ସାଂସଦ , ଜୟଦେବ ବିଧାୟକ , ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ , ମୁଖ୍ୟ ଶାସନ ସଚିବ , ସ୍ବାସ୍ଥ୍ୟ ବିଭାଗ ସଚିବ , ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ବାଳକାଟି ଓ ଖୋର୍ଧା ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।