ଔଷଧ ବ୍ୟବସାୟୀଙ୍କ ଚେତାବନୀ: ଯୋଦ୍ଧା ମାନ୍ୟତା ନ ମିଳିଲେ ଦୋକାନରେ ତାଲା

ଭୁବନେଶ୍ବର :‌ ଔଷଧ ବ୍ୟବସାୟୀଙ୍କୁ କୋଭିଡ୍‌ ‌ଯୋଦ୍ଧା ମାନ୍ୟତା ସହ ଅଗ୍ରାଧିକାର ଭିତ୍ତିରେ ଟିକା ପ୍ରଦାନ କରିବାକୁ ଖୋର୍ଧା ଜିଲ୍ଲା କେମିଷ୍ଟସ୍‌ ଆଣ୍ଡ୍‌ ଡ୍ରଗିଷ୍ଟ ଆସୋସିଏସନ୍‌ ଦାବି କରିଛି। ଭୁବନେଶ୍ବର ଅଟଳ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ପ୍ରଗତି ମହାନ୍ତି କହିଛନ୍ତି ଯେ ଗତବର୍ଷ ପ୍ରାୟ ଶହେରୁ ଅଧିକ ସଦସ୍ୟ ଓ ସେମାନଙ୍କ କର୍ମଚାରୀ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି। ଲକ୍‌ଡାଉନ୍‌ କିମ୍ବା ସଟ୍‌ଡାଉନ୍‌ରେ ଔଷଧ ବ୍ୟବସାୟୀମାନେ ତାଙ୍କ ସେବା ଯୋଗାଇବାରେ କୌଣସି ହେଳା କରିନାହାନ୍ତି। ସଂକ୍ରମଣକୁ ଦେଖି କେବେ ପଛଘୁଞ୍ଚା ଦେଇନାହାନ୍ତି। ପରିଣାମ ସ୍ବରୂପ ସେମାନଙ୍କୁ ବହୁ ମୂଲ୍ୟ ଦେବାକୁ ପଡୁଛି।

ତା’ ପରେ ବି ୨୦୨୦ରୁ କୋଭିଡ୍‌ ଯୋଦ୍ଧାର ମାନ୍ୟତା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରି ଆସୁଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାର ଆଶ୍ବାସନା ମଧ୍ୟ ଦିଆଯାଇନାହିଁ। ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟ କୋଭିଡ୍‌ ସଂକ୍ରମଣ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଏଥର ସଂକ୍ରମଣରେ ଅନେକ ସଦସ୍ୟ ପ୍ରାଣ ହରାଇଲେଣି। ବହୁ ଦୋକାନୀ ଡାକ୍ତରଖାନାରେ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀଙ୍କୁ ଛାଡ଼ିଦେଲେ ଯଦି ସବୁଠୁ ଅଧିକ କିଏ ସଂକ୍ରମିତ ହେବାର ସମ୍ଭାବନା ରହିଛି, ତାହାଲେ ସେମାନେ ହେଉଛନ୍ତି ଔଷଧ ଦୋକାନୀ। ତେଣୁ ରାଜ୍ୟରେ ଥିବା ପ୍ରାୟ ୨୦ ହଜାର ଔଷଧ ଦୋକାନୀଙ୍କୁ କୋଭିଡ୍‌ ଯୋଦ୍ଧାର ମାନ୍ୟତା ପ୍ରଦାନ କରିବା ସହ ଅଗ୍ରାଧିକାର ଭିତ୍ତି‌ରେ ଟିକା ଦିଆଯାଉ। ଏନେଇ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସମସ୍ତ ଜିଲ୍ଲାପାଳ, ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଓ ଭେଷଜ ନିୟନ୍ତ୍ରକଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନି। ଯଦି ସରକାର ସଂଘର ଦାବିକୁ ନ ମାନନ୍ତି, ତେବେ ବାଧ୍ୟ ହୋଇ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ସଂଘର ସମ୍ପାଦକ ପ୍ରଶାନ୍ତ କୁମାର ଜେନା, ମଧୁରାମ, ଭୁବନେଶ୍ବର ସଭାପତି ଉମାଶଙ୍କର ମିଶ୍ର, ସମ୍ପାଦକ ଜୟପ୍ରକାଶ ପରିଡ଼ା, ବରିଷ୍ଠ ସଦସ୍ୟ ପ୍ରବୀଣ କୁମାର ଭୂୟାଁ ପ୍ରମୁଖ କହିଛନ୍ତି।

ସମ୍ବନ୍ଧିତ ଖବର