ଭୁବନେଶ୍ବର: କୁଆଖାଇ ନଦୀରେ ବାଲିମାଫିଆଙ୍କ ଦ୍ବାରା ସୃଷ୍ଟି ହୋଇଥିବା ଏହି କୃତ୍ରିମ ଗଣ୍ଡ ପ୍ରତିବର୍ଷ ମୁଣ୍ଡ ନେଉଛି। ରାଜଧାନୀସ୍ଥିତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଓ ଯୁବକମାନେ ଅସାବଧାନତାବଶତଃ ବୁଡ଼ି ମରୁଛନ୍ତି। କୁଆଖାଇ ପଠାସ୍ଥିତ ଜଙ୍ଗଲିଆ ପ୍ରାକୃତିକ ପରିବେଶ ଛାତ୍ର ଓ ଯୁବକମାନଙ୍କୁ ବଣଭୋଜି ପାଇଁ ଆକର୍ଷିତ କରୁଥିବା ବେଳେ ଗଣ୍ଡରେ ମୃତ୍ୟୁ ଜଗି ରହୁଛି ବୋଲି ସେମାନେ ଜାଣିପାରୁନାହାନ୍ତି। ଅଘଟଣ ଘଟିବା ପରେ ସମସ୍ତେ ପ୍ରଶାସନକୁ ଦାୟୀ କରୁଛନ୍ତି। ଏହି ଅଘଟଣକୁ ରୋକିବା ଲାଗି ବଡ଼ଗଡ଼ ଥାନା ପକ୍ଷରୁ କୁଆଖାଇ ନଦୀପଠାରେ ସୂଚନା ଫଳକ ଲଗାଯାଇଛି। ପଠାକୁ ଆସୁଥିବା ଲୋକଙ୍କୁ ସତର୍କ କରିବାକୁ ୪ଟି ସ୍ଥାନରେ ଏହି ସତର୍କ ସୂଚନା ଲେଖାଥିବା ହୋର୍ଡିଂ ପୋତାଯାଇଛି।
ସୂଚନା ଅନୁସାରେ ଗତ ଫେବ୍ରୁଆରି ମାସରେ ସରସ୍ବତୀଙ୍କ ମୂର୍ତ୍ତି ବିସର୍ଜନ ସମୟରେ ଦୁଇଜଣ ଛାତ୍ର କୁଆଖାଇର ଗଭୀର ଗଣ୍ଡରେ ବୁଡ଼ି ମୃତ୍ୟୁବରଣ କରିଥିଲେ। ପିଚୁପଡ଼ିଆ ନିକଟରେ ଥିବା ଏକ କୋଚିଂ ସେଣ୍ଟର୍ରୁ ୬ ଜଣ ଛାତ୍ର ମୂର୍ତ୍ତି ବିସର୍ଜନ ପାଇଁ କୁଆଖାଇ ନଦୀକୁ ଆସିଥିଲେ।ସେଥିରୁ ୨ ଜଣ ପ୍ରାଣ ହରାଇଥିଲେ। ତେଣୁ ଚଳିତ ପାର୍ବଣ ଋତୁ ପୂର୍ବରୁ ପୁଲିସ ପକ୍ଷରୁ ଏହି ସତର୍କ ସୂଚନା ଫଳକ ଲଗାଯାଇଛି। ଗଭୀର ଜଳକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। କୁଆଖାଇ ନଦୀରୁ ବାଲିଉଠାଣ ଫଳରେ ବିଭିନ୍ନ ସ୍ଥାନରେ ଗଭୀର ଗର୍ତ୍ତ ହୋଇଛି। କେଉଁଠି ଅଧିକ, କେଉଁଠି କମ୍ ପାଣି ରହିଛି ତାହା ଜଣାପଡ଼ୁନି। ଫଳରେ ଏହି ସବୁ ଗଣ୍ଡରେ ବୁଡ଼ି ଚଳିତ ବର୍ଷ ୬ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ବାରମ୍ବାର କୁଆଖାଇ ନଦୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ ହେଉଥିବା ବେଳେ ଏହାକୁ ନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ବାରମ୍ବାର ଅଭିଯୋଗ ହେଉଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସତ୍ୟଭାମାପୁର, କଣ୍ଟାଗୋଠ, ଧବଳାହାର, ବଇଁଚୁଆ, ରଙ୍ଗବଜାର, ଟଙ୍କପାଣି ବ୍ରିଜ୍ ନିକଟରେ କୁଆଖାଇ ନଦୀରେ ଗଭୀର ଗଣ୍ଡ ରହିଛି। ଗଣ୍ଡର ନୀଳ ଜଳରାଶିରେ ଆକର୍ଷିତ ହୋଇ ଯୁବପିଢ଼ି ଏଠାରେ ଗାଧୋଇବାକୁ ଆସିଥା’ନ୍ତି। ବାହାରୁ ଆସୁଥିବା ଯୁବଗୋଷ୍ଠୀ ପାର୍ବଣ ଋତୁରେ ଏଠାକୁ ମୂର୍ତ୍ତି ବିସର୍ଜନ କିମ୍ବା ଭୋଜି କରିବାକୁ ଆସିବା ସହିତ ନଦୀରେ ଗାଧୋଇଥା’ନ୍ତି। ବର୍ତ୍ତମାନ ନଦୀରେ ପାଣି ଭରି ରହିଛି। କେଉଁଠି ଗଭୀର ଜଣାପଡ଼ୁ ନାହିଁ। ତେଣୁ ଛାତ୍ରଛାତ୍ରୀମାନେ ନଦୀ ବାବଦରେ ଜାଣି ନଥିବାରୁ ଗଭୀର ଜଳକୁ ଯାଇ ମୃତ୍ୟୁମୁଖରେ ପଡ଼ନ୍ତି। ତେଣୁ କେବଳ ବଡ଼ଗଡ଼ ଥାନା ଅଞ୍ଚଳରେ ନୁହେଁ ସବୁ ଥାନା ଅଞ୍ଚଳରେ ଥିବା ଦୟା ଓ କୁଆଖାଇ ନଦୀ ପଠାରେ ଏଭଳି ସତର୍କ ସୂଚନା ଲଗାଇବାକୁ ସାଧାରଣରେ ଦାବି ହେଉଛି।